ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ମହତ୍ବକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏନେଇ ନିତି ଆୟୋଗ ପ୍ରସ୍ତୁତ କରିଥିବା ଏକ ରିପୋର୍ଟରେ ଭାରତର ଆଭିମୁଖ୍ୟ କ’ଣ ହେବା ଦରକାର ତାହା ଜଣାଇଛି। ୨୦୪୭ ସୁଦ୍ଧା ଭାରତକୁ ୩୦ ଟ୍ରିଲିଅନ୍ (ଲକ୍ଷ କୋଟି) ଡଲାର ଅର୍ଥନୀତିରେ ପରିଣତ ହେବାକୁ ଏବଂ ମୁଣ୍ଡପିଛା ଆୟକୁ ୧୮,୦୦୦ ଡଲାର ପର୍ଯ୍ୟନ୍ତ ବଢ଼ାଇବା ଲାଗି ଉଦ୍ୟମ କରିବାକୁ ହେବ ବୋଲି ନିତି ଆୟୋଗ କହିଛି।

Advertisment

ବର୍ତ୍ତମାନ ଭାରତୀୟ ଅର୍ଥନୀତିର ପରିମାଣ ହେଉଛି ୩.୩୬ ଟ୍ରିଲିଅନ୍ ଡଲାର ଏବଂ ମୁଣ୍ଡପିଛା ଆୟ ମାତ୍ର ୨୩୯୨ ଡଲାର ରହିଛି। ୨୦୪୭ ସୁଦ୍ଧା ବିକଶିତ ଦେଶ ହେବାକୁ ହେଲେ ଭାରତକୁ ଦ୍ରୁତ ଗତିରେ ଦୌଡ଼ିବାକୁ ପଡ଼ିବ। ଅର୍ଥନୀତିକୁ ବର୍ତ୍ତମାନ ସମୟଠାରୁ ୯ ଗୁଣା ବଡ଼ କରିବାକୁ ପଡ଼ିବ ଏବଂ ମୁଣ୍ଡପିଛା ଆୟରେ ୮ ଗୁଣା ବୃଦ୍ଧି ଆଣିବାକୁ ପଡ଼ିବ। ଏହି ପେପର୍‌ରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ମଧ୍ୟମ-ଆୟ ବର୍ଗ ଦେଶ ଭାବେ ଯଦି ଭାରତ ଦୀର୍ଘଦିନ ପର୍ଯ୍ୟନ୍ତ ରହିଯିବ ତେବେ ନିର୍ଧାରିତ ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇପଡ଼ିବ। ତେଣୁ ଶୀଘ୍ର କିଭଳି ସେହି ଜାଲରୁ ବାହାରି ହେବ ସେଦିଗରେ କାମ କରିବାକୁ ପଡ଼ିବ। ମଧ୍ୟମ-ଆୟରୁ ଉଚ୍ଚ-ଆୟ ଦେଶରେ ପରିଣତ ହେବାକୁ ହେଲେ ଆସନ୍ତା ୨୦-୩୦ ବର୍ଷ ପର୍ଯ୍ୟନ୍ତ ଲଗାତାର ଭାବେ ୭-୧୦ ପ୍ରତିଶତ ଭଳି ଉଚ୍ଚ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ବିଶ୍ବର ମାତ୍ର କିଛି ହାତଗଣତି ଦେଶ ସେହି ଚମତ୍କାର କରିବାରେ ସଫଳ ହୋଇଛନ୍ତି।

ବିକଶିତ ଭାରତ ସମ୍ପର୍କରେ ପେପର୍‌ରେ କୁହାଯାଇଛି ଯେ ଏହା ଏଭଳି ଏକ ଭାରତ ହେବା ଦରକାର ଯେଉଁଥିରେ ବର୍ତ୍ତମାନ ସମୟର ଉଚ୍ଚ-ଆୟ ଦେଶଗୁଡ଼ିକ ପାଖରେ ଥିବା ସବୁ ଗୁଣ ରହିବା ରହିଥିବ। ମୁଣ୍ଡପିଛା ଆୟରେ ଏହା ବିକଶିତ ଦେଶ ସହ ତୁଳନୀୟ ହେବାକୁ ପଡ଼ିବ। କେବଳ ଅର୍ଥନୀତି ନୁହେଁ, ସାମାଜିକ, ସାଂସ୍କୃତିକ, ପ୍ରଯୁକ୍ତି ଓ ସଂସ୍ଥା ଦୃଷ୍ଟିରୁ ତାହା ବିକଶିତ ଦେଶ ଭଳି ଜଣାପଡ଼ିବା ଦରକାର। ଏହାର ଏକ ସମୃଦ୍ଧ ଐତିହ୍ୟ ଓ ଜ୍ଞାନର ଦିଗନ୍ତ ରହିବା ଆବଶ୍ୟକ। ଉଚ୍ଚ-ଆୟ ଦେଶ ଲାଗି ବିଶ୍ବବ୍ୟାଙ୍କ ନିର୍ଧାରଣ କରିଥିବା ସଂଜ୍ଞା ଅନୁସାରେ ଯାହାର ବାର୍ଷିକ ମୁଣ୍ଡପିଛା ଆୟ ୧୪,୦୦୫ ଡଲାରରୁ ଅଧିକ ସେମାନଙ୍କୁ ଉଚ୍ଚ-ଆୟ ଦେଶ କୁହାଯାଉଛି। ୨୦୪୭ ବେଳକୁ ସ୍ବାଧୀନତାର ଶତ ବାର୍ଷିକୀ ପାଳନ କରିବା ବେଳକୁ ଏକ ବିକଶିତ ଦେଶରେ ପରିଣତ ହେବାକୁ ଭାରତ ଲକ୍ଷ୍ୟ ରଖିଛି। ସେଥିପାଇଁ ଭାରତ ପାଖ‌ରେ ସାମର୍ଥ୍ୟ ରହିଛି। ତେବେ ଜଣେ ବ୍ୟକ୍ତି କିମ୍ବା ଏକ ସରକାର ଚାହିଲେ ଭାରତ ଏହି ଲକ୍ଷ୍ୟ ହାସଲ କରିପାରିବନି। ଏଥିପାଇଁ ସାରା ଦେଶକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ନିତି ଆୟୋଗ କହିଛି। ଏହି ରିପୋର୍ଟ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ନିତି ଆୟୋଗ ବୈଠକରେ ଆଲୋଚନା ହୋଇଥିଲା।
କ’ଣ ରହିଛି ଆହ୍ବାନ?

ବିକଶିତ ଦେଶ ହେବାରେ ଭାରତ ସାମ୍ନାରେ ରହିଥିବା ଆହ୍ବାନଗୁଡ଼ିକ ହେଉଛି ମାନୁଫାକ୍‌ଚରିଂ ଓ ଲଜି‌ଷ୍ଟିକ୍ସ ଦକ୍ଷତାରେ ଉନ୍ନତି ଆଣିବା। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଆୟରେ ଥିବା ତାରତମ୍ୟ ଦୂର କରିବା। ଶକ୍ତି, ସୁରକ୍ଷା, ସୁବିଧାସୁଯୋଗ, ସୁଲଭତା ଓ ସ୍ଥାୟିତ୍ବକୁ ନେଇ ଏକ ସନ୍ତୁଳନ ହାସଲ କରିବା ମଧ୍ୟ ଆହ୍ବାନ ଭାବେ ଠିଆ ହୋଇଛି। କେବଳ ସେତିକି ନୁହେଁ, ଶିଳ୍ପକୁ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କରିବାକୁ ହେବ। କୃଷି କ୍ଷେତ୍ର‌ରେ କାର୍ଯ୍ୟ କରୁଥିବା ଶ୍ରମଶକ୍ତିକୁ ଶିଳ୍ପ ଶ୍ରମଶକ୍ତିରେ ପରିଣତ କରିବାକୁ ପଡ଼ିବ। ଦେଶକୁ ଏକ ବିଶ୍ବସ୍ତରୀୟ ମାନୁଫାକ୍‌ଚରିଂ ଓ ସେବା ହବ୍‌‌ରେ ରୂପାନ୍ତରିତ କରିବାକୁ ପଡ଼ିବ।