ନୂଆଦିଲ୍ଲୀ: ଭାରତକୁ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ସରକାର ଏବେଠାରୁ କାମ ଆରମ୍ଭ କରିଦେଇଛନ୍ତି। ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଅଳ୍ପ କିଛି ଦିନ ପରେ ଆଚରଣବିଧି ଲାଗୁ ହେବାର ସମ୍ଭାବନା ରହିଛି। ତା’ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରୀମଣ୍ଡଳର ମନ୍ତ୍ରୀମାନଙ୍କ ସହ ବିକଶିତ ଭାରତ ନକ୍ସା ନେଇ ଆଲୋଚନା କରିଛନ୍ତି। ମନ୍ତ୍ରୀମାନେ ଯେଉଁ ଚିନ୍ତାଧାରା ଉପସ୍ଥାପନ କରିଥିଲେ ତାହାକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ନୂଆ ସରକାର ଗଠନ ହେବାର ୧୦୦ ଦିନ ଭିତରେ ଯେଉଁ ସବୁ କାର୍ଯ୍ୟକ୍ରମଗୁଡ଼ିକ ଲାଗୁ କରାଯିବ ତାହାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା।
ବିକଶିତ ଭାରତ ନକ୍ସା ଲାଗି ଦୁଇ ବର୍ଷ ଧରି ପ୍ରସ୍ତୁତି ଚାଲିଥିଲା। ସେଥିରେ ବିଭିନ୍ନ ମନ୍ତ୍ରଣାଳୟ ସାମିଲ ଥିଲେ। ରାଜ୍ୟ ସରକାର, ଶିକ୍ଷାନୁଷ୍ଠାନ, ଶିଳ୍ପ ସଂଘ, ନାଗରିକ ସମାଜ ସହ ବି ବ୍ୟାପକ ଆଲୋଚନା ହୋଇଥିଲା। ବୈଜ୍ଞାନିକ ସଂଗଠନ ଓ ଯୁବବର୍ଗଙ୍କଠାରୁ ଅଭିନବ ଚିନ୍ତାଧାରା, ପରାମର୍ଶ ଓ ଇନ୍ପୁଟ୍ ସଂଗ୍ରହ କରାଯାଇଥିଲା। ବିଭିନ୍ନ ପର୍ଯ୍ୟାୟରେ ୨୭୦୦ରୁ ଅଧିକ ବୈଠକ ଆୟୋଜନ କରାଯାଇଥିଲା। ଯୁବବର୍ଗଙ୍କଠାରୁ ୨୦ ଲକ୍ଷରୁ ଅଧିକ ମତାମତ ସଂଗ୍ରହ କରାଯାଇଛି। ବିକଶିତ ଭାରତ ନକ୍ସାରେ ଅର୍ଥନୈତିକ ଅଭିବୃଦ୍ଧି, ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି), ସହଜ ବ୍ୟବସାୟ ବାତାବରଣ, ଉନ୍ନତ ଜୀବନଯାପନ, ଭିତ୍ତିଭୂମି ଓ ସାମାଜିକ କଲ୍ୟାଣର ପ୍ରତିଫଳନ ଦେଖିବାକୁ ମିଳିବ।