ବିକାଶ, ନିଯୁକ୍ତି ପ୍ରତି ଧ୍ୟାନ ଫେରିଲା

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇ ନୂଆ କ୍ୟାବିନେଟ୍ କମିଟି ଗଠିତ

ନୂଆଦିଲ୍ଲୀ: ଯେଉଁ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ବିତୀୟ ପାଳିର କାର୍ଯ୍ୟ ଆରମ୍ଭ କରିଥିଲେ ସେହିଦିନ ଅର୍ଥନୀତିର ଦୁଇଟି ନୈରାଶ୍ୟଜନକ ଚିତ୍ର ସାମ୍ନାକୁ ଆସିଥିଲା। ଦେଶର ଅଭିବୃଦ୍ଧି ହାର ୬% ତଳକୁ ଖସିଯାଇଥିଲା। ଏଥି ସହିତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ଯେଉଁ ମୁକୁଟ ଭାରତ ପାଖରେ ଥିଲା ତାହା ଚୀନ୍‌ ପାଖକୁ ଚାଲିଯାଇଥିଲା। ଦେଶର ବେକାରୀ ହାର ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଥିବା ଖବର ମଧ୍ୟ ସେହିଦିନ ଆସିଥିଲା।
ପ୍ରଧାନମନ୍ତ୍ରୀ ମୋଦୀ ନିଜର ପ୍ରଥମ ପାଳିରେ ଅଭିବୃଦ୍ଧିକୁ ବଢ଼ାଇବା ଏବଂ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଆଶାଶୀତ ସଫଳତା ପାଇନଥିବା ଅଭିଯୋଗ ହୁଏ। ନିର୍ବାଚନ ସମୟରେ ବିରୋଧୀ ଦଳଗୁଡ଼ିକ ଏହି ଦୁଇ ପ୍ରସଙ୍ଗକୁ ନେଇ ମୋଦୀଙ୍କୁ ଘେରିଥିଲେ। ପୂର୍ବରୁ କେବେବି ଏହି ଦୁଇ ପ୍ରସଙ୍ଗ ପ୍ରତି କେନ୍ଦ୍ର ସରକାର ଏତେ ଅଧିକ ଗୁରୁତ୍ବ ଦେଉନଥିଲେ। ପୁଣି ଏଥିପ୍ରତି ସରକାରଙ୍କ ଧ୍ୟାନ ଫେରିଛି। ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ପରିମାଣ ବଢ଼ାଇବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଅଧ୍ୟକ୍ଷତାରେ ଅଭିବୃଦ୍ଧି ଓ ନିଯୁକ୍ତିକୁ ନେଇ ଦୁଇଟି ନୂଆ କ୍ୟାବିନେଟ୍ କମିଟି ଗଠନ କରିଛନ୍ତି। ଦେଶର ଅଭିବୃଦ୍ଧି ଓ ପୁଞ୍ଜିନିବେଶ ପରିମାଣ ବଢ଼ାଇବା ସହିତ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ଦୁଇ କମିଟିର ମୁଖ୍ୟ କାମ ହେବ।
ନିବେଶ ଓ ଅଭିବୃଦ୍ଧିକୁ ନେଇ ଗଠନ କରାଯାଇଥିବା ପାଞ୍ଚ ଜଣିଆ କମିଟିରେ ଗୃହ ମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସଡ଼କ ପରିବହନ ଓ ରାଜପଥ ଏବଂ ଏମ୍‌ଏସ୍‌ଏମ୍ଇ ମନ୍ତ୍ରୀ ନୀତୀନ ଗଡ଼କରୀ ଓ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ସଦସ୍ୟ ଅଛନ୍ତି।
ନିଯୁକ୍ତି ଓ ଦକ୍ଷତା ବିକାଶକୁ ନେଇ ୧୦ ଜଣିଆ କ୍ୟାବିନେଟ୍ କମିଟି ଗଠନ କରାଯାଇଛି। ସେଥିରେ ଗୃହ ମନ୍ତ୍ରୀ ଶ୍ରୀ ଶାହ, ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ, ରେଳମନ୍ତ୍ରୀ ଶ୍ରୀ ଗୋୟଲ, କୃ‌ଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, ମାବନ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶାଙ୍କ, ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଓ ଶ୍ରମ ରାଷ୍ଟ୍ର ମନ୍ତ୍ରୀ ସନ୍ତୋଷ ସିଂହ ଗଙ୍ଗୱାର ଏବଂ ଗୃହ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଦସ୍ୟ ଅଛନ୍ତି।
ଦେଶର ନିମ୍ନ ଅଭିବୃଦ୍ଧି ହାର ସରକାରଙ୍କ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ (ଏନ୍‌ଏସ୍‌ଏସ୍‌ଓ) ତରଫରୁ ନିକଟରେ ଜାରି କରାଯାଇଥିବା ତଥ୍ୟ ଅନୁସାରେ ଚଳିତ ଆର୍ଥିକ ବର୍ଷର ଶେଷ ତିନି ମାସରେ ଅଭିବୃଦ୍ଧି ହାର ୫.୮%କୁ ଖସିଯାଇଛି। ସାରା ବର୍ଷ ପାଇଁ ଦେଶର ଅଭିବୃଦ୍ଧି ହାର ୬.୮%କୁ ଖସିଯାଇଛି। ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଭାରତକୁ ଝଟ୍‌କା ଲାଗିଛି। ୨୦୧୭-୧୮ରେ ଦେଶର ବେକାରୀ ହାର ୬.୧% ଭଳି ଉଚ୍ଚ ସ୍ତରରେ ପହଞ୍ଚିଯାଇଛି ଯାହା ବିଗତ ୪୫ ବର୍ଷରେ ସର୍ବାଧିକ ବୋଲି କୁହାଯାଉଛି। ୧୯୭୨-୭୩ ପରେ ନିଯୁକ୍ତିର ଏହା ହେଉଛି ସବୁଠୁ ନୈରାଶ୍ୟଜନକ ଚିତ୍ର।
ଏନ୍‌ଏସ୍‌ଏସ୍‌ଓର ବେକାରୀ ରିପୋର୍ଟ ନିର୍ବାଚନର କିଛି ମାସ ପୂର୍ବରୁ ଲିକ୍ ହୋଇଯାଇଥିଲା। ବିଜନେସ୍ ଷ୍ଟାଣ୍ଡାର୍ଡ ନାମକ ସମ୍ବାଦପତ୍ରରେ ଏ ସମ୍ପର୍କିତ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବା ପରେ ବିରୋଧୀ ଦଳଗୁଡ଼ିକୁ ଏନ୍‌ଡିଏ ସରକାରଙ୍କୁ ଘେରିଥିଲେ। ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ନିଯୁକ୍ତିକୁ ବଡ଼ ନିର୍ବାଚନୀ ପ୍ରସଙ୍ଗ କରାଯାଇଥିଲା। ଏହା ସତ୍ତ୍ବେ ଏନ୍‌ଡିଏ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିଲା ଏବଂ କଂଗ୍ରେସ ୫୨ଟି ସିଟ୍‌ରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର