ଯାତ୍ରୀଙ୍କୁ ଡିଜିସିଏ ମୁଖ୍ୟଙ୍କ ଭରସା: ବିମାନ ଯାତ୍ରା ସମ୍ପୂର୍ଣ୍ଣ ସୁରକ୍ଷିତ

ଭୟ କରିବାର କୌଣସି କାରଣ ନାହିଁ

ନୂଆଦିଲ୍ଲୀ : ବିମାନରେ ବାରମ୍ବାର ତ୍ରୁଟି ଦେଖାଦେବା ପରେ ଯାତ୍ରୀମାନଙ୍କ ମଧ୍ୟରେ ବିମାନ ଯାତ୍ରାକୁ ନେଇ ସୃଷ୍ଟି ହୋଇଥିବା ଭୟକୁ ଦୂର କରିଛନ୍ତି ଡିଜିସିଏ ମୁଖ୍ୟ ଅରୁଣ କୁମାର। ସେ କହିଛନ୍ତି ଯେ ବିମାନ ଚଳାଚଳ କ୍ଷେତ୍ର ସମ୍ପୂର୍ଣ୍ଣ ସୁରକ୍ଷିତ ଓ ଆନ୍ତର୍ଜାତିକ ବେସାମରିକ ବିମାନ ଚଳାଚଳ ସଂଗଠନ (ଆଇସିଏଓ) ଧାର୍ଯ୍ୟ କରିଥିବା ପ୍ରୋଟୋକଲ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି।

ବିମାନରେ ଦେଖାଦେଉଥିବା ତ୍ରୁଟି ସମ୍ପର୍କରେ ସେ କହିଛନ୍ତି ଯେ ସେହି ତ୍ରୁଟି ଯୋଗୁଁ ବଡ଼ ଧରଣର ଅଘଟଣ ଘଟିବାର ଆଶଙ୍କା ନାହିଁ। ଗତ ୧୬ ଦିନରେ ଭାରତକୁ ଆସିଥିବା ବିଦେଶୀ କଂପାନିର ବିମାନରେ ମଧ୍ୟ ୧୫ ଥର ବୈଷୟିକ ତ୍ରୁଟି ଦେଖାଦେଇଛି। ନିକଟରେ ଭାରତରେ ଯେଉଁ ସବୁ ପ୍ରକାରର ବୈଷୟିକ ତ୍ରୁଟି ଦେଖାଦେଇଛି ତାହା ସବୁ ବିମାନ କଂପାନିରେ ନିୟମିତ ଦେଖିବାକୁ ମିଳେ। ତ୍ରୁଟି ଜଣାପଡ଼ିଲେ ତାହାକୁ ସୁଧାରିବା କାର୍ଯ୍ୟ କରାଯାଉଛି। ବିମାନରେ ହଜାର ହଜାର ପ୍ରକାର ଉପକରଣ ବ୍ୟବହାର କରାଯାଇଛି। ସେଥିରୁ ଗୋଟିଏ କିମ୍ବା ଦୁଇଟିରେ ଯଦି ତ୍ରୁଟି ଦେଖାଦିଏ ତାହା ସାରା ବିମାନ ପାଇଁ ବଡ଼ ବିପଦ ବୋଲି କୁହାଯାଇପାରିବନି ବୋଲି ସେ କହିଛନ୍ତି। ବିମାନରେ ବାରମ୍ବାର ତ୍ରୁଟି ଦେଖାଦେବା ପରେ ଗତ ସପ୍ତାହରେ ସ୍ପାଇସ୍‌ଜେଟ୍‌ର ୫୦% ବିମାନ ଉଡ଼ାଣ ଉପରେ ଡିଜିସିଏ ଆଠ ସପ୍ତାହ ପାଇଁ କଟକଣା ଲଗାଇଥିଲେ। ଗତ କିଛି ସପ୍ତାହ ଭିତରେ ଭାରତରେ ଡଜନେରୁ ଅଧିକ ବୈଷୟିକ ତ୍ରୁଟି ଘଟଣା ସାମନାକୁ ଆସିଥିଲା। ‌ସେ ସମ୍ପର୍କରେ ଶ୍ରୀ କୁମାର କହିଛନ୍ତି ଯେ କିଛି ଯନ୍ତ୍ରାଂଶ ବଦଳାଇଲେ ଓ ମରାମତି ଦ୍ବାରା ତ୍ରୁଟିର ସମାଧାନ ହୋଇପାରୁଛି। ତ୍ରୁଟିଯୁକ୍ତ ଭାଲ୍‌ଭ, ୱିଣ୍ଡ୍‌ସିଲ୍‌ଡର ବାହାର ପାର୍ଶ୍ବ, ହାଇ-ପ୍ରେସର ସ୍ବିଚ୍‌, ଲ୍ୟାଣ୍ଡିଂ ଗିୟର ଅପ୍‌ଲକ୍‌, ହାଇଡ୍ରଲିକ୍ ଆକ୍ୟୁମୁଲେଟର କିମ୍ବା ଇଞ୍ଜିନ ବଦଳାଇଲେ ‌ସମସ୍ୟାର ସମାଧାନ ହୋଇଯାଉଛି। ସ୍ପାଇସ୍‌ଜେଟ୍‌ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେ କହିଛନ୍ତି ଯେ ବିମାନ କଂପାନି ବନ୍ଦ କରିବା ମୋ କାମ ନୁହେଁ। ମୋର ଦାୟିତ୍ବ ହେଉଛି ବିମାନ ଉଡ଼ାଣକୁ ସୁରକ୍ଷିତ ଓ ପ୍ରଭାବୀ କରିବା । ବିଦେଶୀ କଂପାନି ତୁଳନାରେ ଭାରତୀୟ କଂପାନିଗୁଡ଼ିକ ପାଖରେ ଥିବା ବିମାନ ଅପେକ୍ଷାକୃତ ନୂଆ। ତେଣୁ ସବୁ ବେଳେ ବିମାନଗୁଡ଼ିକର ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯାଉଛି ବୋଲି ସେ କହିଛନ୍ତି।

ବିମାନ ଚଳାଚଳ କ୍ଷେତ୍ରରେ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ଡିଜିସିଏ ପକ୍ଷରୁ ଦୁଇ ମାସିଆ ଲମ୍ବା ଅଡିଟ୍ ଆରମ୍ଭ ହୋଇଛି। ୨୦୨୦ ମାର୍ଚ୍ଚ ଶେଷ ସପ୍ତାହରୁ ଦେଶରେ କରୋନା ମହାମାରୀ ବ୍ୟାପିବା ପରେ ବିମାନ ଚଳାଚଳ ବହୁ ଦିନ ପାଇଁ ବନ୍ଦ ରହିଥିଲା। ଗତ କିଛି ମାସ ହେଲାଣି ସେଥିରେ ସ୍ବାଭାବିକ ସ୍ଥିତି ଫେରୁଛି। ଏବେ ଦୈନିକ ୬୦୦୦ରୁ ୭୦୦୦ ଥର ବିମାନ ଉଡ଼ାଣ ହେଉଛି। ଗତ ଏପ୍ରିଲ୍‌ ୧ରୁ ଜୁନ୍ ୩୦ ମଧ୍ୟରେ ଭାରତୀୟ କଂପାନିଗୁଡ଼ିକର ବିମାନରେ ୧୫୦ ତ୍ରୁଟି ଦେଖାଦେଇଥିଲା।

ସମ୍ବନ୍ଧିତ ଖବର