ଡିଜିସିଏର ନିର୍ଦେଶ: ସବୁ ପୁରୁଣା ଇଞ୍ଜିନ ବଦଳାଇବ ଇଣ୍ଡିଗୋ

୯୭ଟି ବିମାନରେ ପୁରୁଣା ଇଞ୍ଜିନ, ଜାନୁଆରି ୩୧ ସୁଦ୍ଧା ବଦଳାଇବ

ନୂଆଦିଲ୍ଲୀ: ଆସନ୍ତା ଜାନୁଆରି ୩୧ ସୁଦ୍ଧା ବିମାନରେ ଥିବା ସବୁ ପୁରୁଣା ଇଞ୍ଜିନ ବଦଳାଇବାକୁ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା‌ ଡିଜିସିଏ ତରଫରୁ ଇଣ୍ଡିଗୋକୁ ନିର୍ଦେଶ ଦିଆଯାଇଛି। ଯେକୌଣସି ମୂଲ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ କଂପାନିକୁ କୁହାଯାଇଛି। ଧାର୍ଯ୍ୟ ସମୟ ସୀମା ଭିତରେ ଯଦି କଂପାନି ପୁରୁଣା ଇଞ୍ଜିନଗୁଡ଼ିକୁ ବଦଳାଇବାରେ ବିଫଳ ହେବ ତେବେ ସେହି ବିମାନଗୁଡ଼ିକୁ ଉଡ଼ିବାର ଅନୁମତି ଦିଆଯିବ ନାହିଁ ବୋଲି ଡିଜିସିଏ ଚେତାବନୀ ଦେଇଛି। ଇଣ୍ଡିଗୋ ପାଖରେ ଥିବା ପାଖାପାଖି ୯୭ଟି ବିମାନରେ ପୁରୁଣା ଇଞ୍ଜିନ ରହିଛି।

ପ୍ରାଟ୍ ଆଣ୍ଡ୍‌ ହ୍ବାଇଟ୍‌ନି ଇଞ୍ଜିନ ଲାଗିଥିବା ବିମାନଗୁଡ଼ିକରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ଏହାକୁ ନେଇ ଡିଜିସିଏ ଚିନ୍ତା ପ୍ରକଟ କରିଥିଲେ। ଏୟାରବସ୍‌ ୩୨୦ ବିମାନଗୁଡ଼ିକରେ ଏହି ସବୁ ପୁରୁଣା ଇଞ୍ଜିନ ରହିଛି। ତୁରନ୍ତ ସେଗୁଡ଼ିକୁ ବଦଳାଇବାକୁ ଇଣ୍ଡିଗୋକୁ ନିର୍ଦେଶ ଦିଆଯାଇଛି। ଡିଜିସିଏ ଡିଜି ଅରୁଣ କୁମାର ଇଣ୍ଡିଗୋକୁ କହିଛନ୍ତି ଯେ ଯେଉଁ ୯୭ଟି ବିମାନରେ ପୁରୁଣା ଇଞ୍ଜିନ ଲାଗିଛି ତାହାକୁ ବଦଳାଇ ସେହି ସ୍ଥାନରେ ମୋଡିଫାଏଡ୍ ଲୋ ପ୍ରେସର ଟର୍ବାଇନ୍ (ଏଲ୍‌ପିଟି) ଇଞ୍ଜିନ ବ୍ୟବହାର କର। ଗତ ଏକ ସପ୍ତାହ ଭିତରେ ପୁରୁଣା ଇଞ୍ଜିନ ଲାଗିଥିବା ଇଣ୍ଡିଗୋ ବିମାନଗୁଡ଼ିକରେ ଏକାଧିକବାର ତ୍ରୁଟି ଦେଖାଦେଇଥିଲା। ଅନିର୍ଦିଷ୍ଟକାଳ ପର୍ଯ୍ୟନ୍ତ ଏହି ସ୍ଥିତିକୁ ଜାରି କରାଯାଇପାରିବ ନାହିଁ। ବହୁ ବିଚାରବିମର୍ଶ କରିବା ପରେ ଇଞ୍ଜିନ ବଦଳାଇବା ନିହାତି ଜରୁରୀ ବୋଲି ଡିଜିସିଏ ତରଫରୁ ନିଷ୍ପତ୍ତି ନିଆଯାଇଛି। ଡିଜିସିଏ ତରଫରୁ ଇଣ୍ଡିଗୋକୁ କୁହାଯାଇଛି ଯେ, ନୂଆ ବିମାନ ସାମିଲ କରିବା ପ୍ରକ୍ରିୟାକୁ କିଛି ଦିନ ଘୁଞ୍ଚାଇ ଦିଅ। ନିଜ ପାଖରେ ଏବେ ଯେଉଁ ବିମାନ ରହିଛି ତାହା କିଭଳି ଆକାଶରେ ଉଡ଼ିପାରିବ ସେହି ବ୍ୟବସ୍ଥା ଆଗ କର। ଦେଶର ଦୁଇଟି ଘରୋଇ ବିମାନ କଂପାନି ଇଣ୍ଡିଗୋ ଓ ଗୋଏୟାର ପାଖରେ ପୁରୁଣା ଇଞ୍ଜିନ ଲାଗିଥିବା ବିମାନ ରହିଛି। ଇଣ୍ଡିଗୋର ୧୬ ବିମାନ ଏବଂ ଗୋଏୟାରର ୧୩ଟି ବିମାନରେ ଲାଗିଥିବା ପୁରୁଣା ଇଞ୍ଜିନକୁ ଚଳିତ ବର୍ଷ ନଭେମ୍ବର ୧୨ ସୁଦ୍ଧା ବଦଳାଇବାକୁ କିଛି ଦିନ ତଳେ ଡିଜିସିଏ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର