ଜିଡିପି ତଥ୍ୟ ଉପରେ ରାଜନଙ୍କ ସନ୍ଦେହ

ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି ହାର ୭% ହୋଇଛି ବୋଲି ସରକାର ପ୍ରଚାର କରୁଥିବା ବେ‌ଳେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ କିନ୍ତୁ ସେହି ଦାବିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଜିଡିପି ତଥ୍ୟ ଉପରେ ସେ ସନ୍ଦେହ ପ୍ରକଟ କରିଛନ୍ତି।
ଏକ ସାକ୍ଷାତକାର ଅବସରରେ ରାଜନ କହିଛନ୍ତି ଯେ, ଦେଶରେ ନିଯୁକ୍ତି ସୃଷ୍ଟି ହେଉନାହିଁ। ଏଭଳି ପରିସ୍ଥିତିରେ ୭% ଅଭିବୃଦ୍ଧି ହାର ସନ୍ଦେହଜନକ ରହିଛି। ଜିଡିପି ତଥ୍ୟକୁ ନେଇ ଯେଉଁ ସନ୍ଦେହର ବାତାବରଣ ରହିଛି ତାହାକୁ ଦୂର କରିବା ପାଇଁ ସରକାର ପ୍ରୟାସ କରିବା ଦରକାର। ଏକ ନିରପେକ୍ଷ ଏଜେନ୍ସି ନିଯୁକ୍ତ କରି ସେହି କାମ କରାଯିବା ଦରକାର ବୋଲି ରାଜନ କହିଛନ୍ତି।
୨୦୧୩ ସେପ୍ଟେମ୍ବରରୁ ୨୦୧୬ ସେପ୍ଟେମ୍ବର ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାମ କରିଥିବା ରାଜନ କହିଛନ୍ତି ଯେ, ମୁଁ ଜଣେ ମନ୍ତ୍ରୀଙ୍କୁ ଜାଣିଛି, ଯିଏ କହିଥିଲେ ଯଦି ନିଯୁକ୍ତି ନାହିଁ ‌ତେବେ ଆମେ କିଭଳି ୭% ଅଭିବୃଦ୍ଧି ହାର ହାସଲ କରୁଛୁ। ତାଙ୍କ କଥାରୁ ‌ଏହା ମଧ୍ୟ ଅନୁମାନ କରାଯାଇପାରିବ ଯେ ଆମେ ସାତ ପ୍ରତିଶତ ହାରରେ ଆଗକୁ ବଢ଼ୁନାହୁଁ ବୋଲି ସେ କହିଛନ୍ତି।
କିଛି ମାସ ତଳେ ପିଛିଲା ବର୍ଷଗୁଡ଼ିକର ଜିଡିପି ତଥ୍ୟକୁ ଏନ୍‌ଡିଏ ସରକାର ସଂଶୋଧନ କରିଥିଲେ। ସେଥିରେ ଉପା ସରକାରଙ୍କ ସମୟର ଅଭିବୃଦ୍ଧି ହାର କମ୍ ହୋଇଯାଇଥିଲା ଏବଂ ମୋଦୀ ସରକାରଙ୍କ ସମୟରେ ଅଧିକ ଅଭିବୃଦ୍ଧି ହୋଇଥିବା ପ୍ରଦର୍ଶିତ କରାଯାଇଥିଲା। ପୁରୁଣା ଜିଡିପି ତଥ୍ୟର ସଂଶୋଧନ ପରେ କେତେକ ଆର୍ଥିକ ତଥ୍ୟକୁ ନେଇ ‌ସନ୍ଦେହ ସୃଷ୍ଟି ହୋଇଛି। ଏସମ୍ପର୍କରେ ରାଜନ କହିଛନ୍ତି ଯେ, ଯେଉଁ ସବୁ ଦ୍ବନ୍ଦ୍ବ ରହିଛି ତାହାକୁ ଦୂର କରାଯିବା ଦରକାର। ଏଥିପାଇଁ ଏକ ନିରପେକ୍ଷ ସଂସ୍ଥା ଗଠନ କରିବାକୁ ହେବ। ୨୦୧୮ ନଭେମ୍ବରରେ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ସିଏସ୍‌ଓ) ତରଫରୁ ଉପା ସରକାରଙ୍କ ଅମଳର ଜିଡିପି ତଥ୍ୟକୁ ହ୍ରାସ କରାଯାଇଥିଲା। ଏଥି ସହିତ ୨୦୧୭-୧୮ରେ ଦେଶର ଅଭିବୃଦ୍ଧି ହାର ୬.୭%ରୁ ବଦଳାଇ ୭.୨% କରିଦିଆଯାଇଥିଲା।
ସରକାରୀ ତଥ୍ୟକୁ ନେଇ କିଛି ଦିନ ହେଲା ସନ୍ଦେହ ସୃଷ୍ଟି ହୋଇଛି। ନିଯୁକ୍ତିକୁ ନେଇ ଜାତୀୟ ନମୁନା ସର୍ବେକ୍ଷଣ ସଂଗଠନ (ଏନ୍‌ଏସ୍‌ଏସ୍‌ଓ) ଯେଉଁ ରିପୋର୍ଟ ପ୍ରସ୍ତୁତ କରିଥିଲା ତାହାକୁ ସରକାର ଚାପି ଦେଇଥିବା ଅଭିଯୋଗ ହେଉଛି। ଶ୍ରମ ବ୍ୟୁରୋର ନିଯୁକ୍ତି ରିପୋର୍ଟକୁ ମଧ୍ୟ ଅଟକାଇ ଦିଆଯାଇଛି। ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ନିକଟରେ ୧୦୮ ଜଣ ଅର୍ଥନୀତିଜ୍ଞ ଆପତ୍ତି ଉଠାଇଥିଲେ। ଅବଶ୍ୟ କିଛି ଦିନ ପରେ ୧୩୧ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ସେମାନଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ।

ସମ୍ବନ୍ଧିତ ଖବର