ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସାକ୍ଷାତ କରି ରାଜ୍ୟ ବିକାଶ ପାଇଁ ସହଯୋଗ ଲୋଡ଼ିଛନ୍ତି। ସେ ମୋଦୀଙ୍କୁ କାର୍ତ୍ତି ସ୍ବାମୀ ମନ୍ଦିରର ଏକ ପ୍ରତୀକ ଓ ସ୍ଥାନୀୟ ଉତ୍ପାଦ ଉପହାର ଦେଇଥିଲେ। ହରୀଦ୍ବାର ଗଙ୍ଗା କରିଡର, ଋଷିକେଶ ଗଙ୍ଗା କରିଡର ଓ ସାଣଦା କରିଡର୍‌ କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦେଶ ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ଦିଲ୍ଲୀରୁ ହରିଦ୍ବାର ପର୍ଯ୍ୟନ୍ତ ଆଞ୍ଚଳିକ ଦ୍ରୁତ ପରିବହନ ବ୍ୟବସ୍ଥା ଆରମ୍ଭ କରିବା, ନେପା ଫାର୍ମକୁ ସେମିକଣ୍ଡକ୍ଟର ହବ୍‌ରେ ପରିଣତ କରିବା ଏବଂ ଟନକପୁର-ବାଗେଶ୍ବର ଏବଂ ଋଷିକେଶ-ଉତ୍ତରକାଶି ରେଳ ପ୍ରକଳ୍ପ ନିର୍ମାଣ କରିବାକୁ ମଧ୍ୟ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ। ୨୦୨୬ ଅଗଷ୍ଟରେ ହେବାକୁ ଥିବା ‘ନନ୍ଦରାଜ ଜାଟ ଯାତ୍ରା’ ପାଇଁ ୪୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଦେବାକୁ ସେ ଦାବି କରିଥିଲେ। ଏହି ଯାତ୍ରାରେ ଯୋଗଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ। ୨୦୨୭ରେ ହରିଦ୍ବାରରେ ହେବାକୁ ଥିବା ମହାକୁମ୍ଭ ପାଇଁ ସେ ୩୫୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଲୋଡ଼ିଥିଲେ।