ସାଢ଼େ ଚାରି କ୍ବିଣ୍ଟାଲ୍‌ ସୁନା ବିକ୍ରି

ରାଜ୍ୟରେ ୧୪୦ କୋଟିର ବେପାର ରାଜଧାନୀରେ ବିକ୍ରି ୭୦ କୋଟି ଟପିଲା Oଗତବର୍ଷ ତୁଳନାରେ ୧୫% ଅଧିକ ବିକ୍ରି Oବଡ଼ ଦୋକାନରେ ଅଧିକ ଭିଡ଼ବାହାଘର ପାଇଁ ଅଧିକ କିଣାକିଣି

ଭୁବନେଶ୍ବର,:  ଥିଲା ଧନ୍‌‌ତେରସ୍‌। ଏହି ଦିନ ସୁନା ଓ ମୂଲ୍ୟବାନ ଧାତୁ ‌କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି। ସୁଖ ଓ ସମୃଦ୍ଧି ମଧ୍ୟ ମିଳିଥାଏ। ଲୋକଙ୍କ ମନରେ ବସା ବାନ୍ଧିଥିବା ଏହି ବିଶ୍ବାସ ଆଜି ଗହଣା ଦୋକାନୀଙ୍କ ବ୍ୟବସାୟକୁ ବଢ଼ାଇ ଦେଇଛି। ରାଜ୍ୟବାସୀ ଆଜି ଗୋଟିଏ ଦିନରେ ପ୍ରାୟ ୧୪୦ କୋଟି ଟଙ୍କା ପାଖାପାଖିର ସୁନା କିଣିଛନ୍ତି। ଆଜି ଭୁବନେଶ୍ବରରେ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୩୨ ହଜାର ଟଙ୍କା ପାଖାପାଖି ରହିଥିଲା। ଏହାକୁ ଦେଖିଲେ ରାଜ୍ୟର ଗ୍ରାହକମାନେ ଗୋଟିଏ ଦିନରେ ପ୍ରାୟ ସାଢ଼େ ଚାରି କ୍ବିଣ୍ଟାଲ ସୁନା ବୋହି ନେଇଛନ୍ତି। ସୁନା ମୂଲ୍ୟ ଗତବର୍ଷ ତୁଳନାରେ ପାଖାପାଖି ୨ ହଜାର ଟଙ୍କା ଅଧିକ ଥିଲେ ମଧ୍ୟ ଏହା ବିକ୍ରିକୁ ପ୍ରଭାବିତ କରିପାରି ନାହିଁ। ପାଗ ଅନୁକୂଳ ରହିବା ସହ ଆକର୍ଷଣୀୟ ଅଫର ବିକ୍ରି ବୃଦ୍ଧିରେ ଏହା ବିଶେଷ ସହାୟକ ହୋଇଛି। ରାଜଧାନୀ ଭୁବନେଶ୍ବର ସମେତ କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ବର, ପୁରୀ, ବାରିପଦା, ଜୟପୁର, ଢେଙ୍କାନାଳ ଓ ଅନୁଗୁଳ ଆଦି ପ୍ରମୁଖ ସହରର ଗହଣା ଦୋକାନରେ ସକାଳୁ ସକାଳୁ ଗ୍ରାହକଙ୍କ ଭିଡ଼ ଆରମ୍ଭ ହୋଇଯାଇଥିଲା। ଅପରାହ୍ନରେ ଗହଳି ବଢ଼ିବା ସହିତ ସନ୍ଧ୍ୟାରେ ଏହା ଶୀର୍ଷରେ ପହଞ୍ଚିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ କେତେକ ଦୋକାନରେ ଗ୍ରାହକଙ୍କ ଭିଡ଼ ଲାଗି ରହିଥିଲା।
ଆଗକୁ ବାହାଘର ତିଥି ଥିବାରୁ ଧନତେରସ୍‌ରେ ଗ୍ରାହକମାନେ ଅଧିକ ମାତ୍ରାରେ ସୁନା କିଣିଥିବା ବ୍ୟବସାୟୀମାନେ ମତ ଦେଇଛନ୍ତି। ବିଶେଷକରି ବର୍ତ୍ତମାନ ସୋରୁମ୍ ଗୁଡ଼ିକ ଘୋଷଣା କରିଥିବା ଆକର୍ଷଣୀୟ ଅଫର ଆଗାମୀ ଦିନରେ ମିଳିବ ନାହିଁ। ଏହା ହିଁ ବିକ୍ରି ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଇଛି। ରାଜଧାନୀର ଏକ ପ୍ରମୁଖ ଗହଣା ‌ସୋରୁମ୍‌ର ବରିଷ୍ଠ କର୍ମକର୍ତ୍ତାଙ୍କ କହିବାନୁଯାୟୀ, ଗତବର୍ଷ ତୁଳନାରେ ଚଳିତବର୍ଷ ଧନତେରସ୍‌ରେ ୧୦ ପ୍ରତିଶତରୁ ଅଧିକ ସୁନା ବିକ୍ରି ହୋଇଛି। ସାଧାରଣ ଦିନ ଗୁଡ଼ିକରେ ଯେଉଁ ବିକ୍ରି ହୋଇଥାଏ ତାହା ତୁଳନାରେ ପାଖାପାଖି ୧୦ ଗୁଣ ଅଧିକ ବିକ୍ରି ହୋଇଛି ବୋଲି ସେ କହିଛନ୍ତି। ଅନ୍ୟ ଜଣେ ବ୍ୟବସାୟୀଙ୍କ କହିବାନୁଯାୟୀ, ରାଜ୍ୟର ଅନ୍ୟ ସହର ଗୁଡ଼ିକରେ ଧନତେରସ୍‌ରେ ଯେତିକି ସୁନା ଓ ଗହଣା ବିକ୍ରି ହୋଇଥାଏ ତାହାର ପାଖାପାଖି ଅଧା ସୁନା ଭୁବନେଶ୍ବରରେ ହିଁ ବିକ୍ରି ହୋଇଥାଏ। ସେ ଦୃଷ୍ଟିରେ ‌‌ଦେଖିଲେ ଆଜି କେବଳ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ପାଖାପାଖି ୭୦ କୋଟି ଟଙ୍କାର ସୁନା ବିକ୍ରି ହୋଇଛି। ଅର୍ଥାତ୍ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ଗ୍ରାହକମାନେ ଦୁଇ କ୍ବିଣ୍ଟାଲରୁ ଅଧିକ ସୁନା ଗହଣା ଘରକୁ ବୋହି ନେଇଛନ୍ତି। ସୁନା ବ୍ୟତୀତ ରୁପା, ହୀରା ଓ ପ୍ଲାଟିନମ୍ ଭଳି ମୂଲ୍ୟବାନ ଧାତୁରେ ପ୍ରସ୍ତୁତ ଗହଣାକୁ ମଧ୍ୟ ଗ୍ରାହକମାନେ ଆଜି କିଣିଛନ୍ତି।

ବ୍ୟବସାୟୀଙ୍କ କହିବାନୁଯାୟୀ, ବାହାଘର ପାଇଁ ଯେଉଁମାନେ ଆଜି ଗହଣା କିଣିଛନ୍ତି ସେମାନେ ଅଧିକ ଓଜନର ଗହଣା କିଣିବାକୁ ପସନ୍ଦ କରିଛନ୍ତି। ଅନ୍ୟମାନେ ହାଲ୍‌କା ଓଜନର ଗହଣା ଦୈନନ୍ଦିନ ବ୍ୟବହାର ପାଇଁ କିଣିଛନ୍ତି। ଏହି ବର୍ଗର ଗ୍ରାହକଙ୍କ ମଧ୍ୟରେ କର୍ମଜୀବୀ ମହିଳା ଅଧିକ ସଂଖ୍ୟାରେ ରହିଛନ୍ତି। ଖିମ୍‌ଜୀ ଜୁଏଲର୍ସର ଏଜିଏମ୍ କିଶୋର ୱା‌‌ଧେରଙ୍କ କହିବାନୁଯାୟୀ, ଗତବର୍ଷ ତୁଳନାରେ ଚଳିତବର୍ଷ ୧୦ରୁ ୧୫ ପ୍ରତିଶତ ଅଧିକ ବିକ୍ରି ହୋଇଥିବା ଅନୁମାନ କରାଯାଉଛି।

ରାତି ୯ଟାରେ ପଚାରିବାରୁ ସେ କହିଥିଲେ ଏବେ ମଧ୍ୟ ସୋରୁମ୍‌ରେ ଗ୍ରାହକଙ୍କ ଭିଡ଼ ରହିଛି।
ଧନତେରସ ପାଇଁ ରାଜଧାନୀ ଓ ଅନ୍ୟ ସହରର ଗହଣା ସୋରୁମ୍ ଗୁଡ଼ିକ ଗତ କିଛିଦିନ ହେଲା ପ୍ରସ୍ତୁତ ହୋଇ ରହିଥିଲେ। ସୋରୁମ୍‌ରେ ନୂଆ ନୂଆ ଡିଜାଇନର ଗହଣା ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ରଖିବା ସହିତ ସୋରୁମ୍ ବାହାରକୁ ଆକର୍ଷଣୀୟ ଆଲୋକମାଳାରେ ସଜ୍ଜିତ କରିଥିଲେ। ମନ ଲୋଭା ଅଫରମାନ ମଧ୍ୟ ଗ୍ରାହକଙ୍କ ପାଇଁ ‌ଘୋଷଣା କରିଥିଲେ। ଗ୍ରାହକମାନେ ମଧ୍ୟ ଏହି ମଉକାକୁ ଆଜି ହାତ ଛଡ଼ା କରିନାହାନ୍ତି।
ବ୍ୟବସାୟୀଙ୍କ କହିବାନୁଯାୟୀ, ଡଲାର ତୁଳନାରେ ଟଙ୍କା ମୂଲ୍ୟ ଗତ କିଛି ମାସ ହେଲା କମିବାରେ ଲାଗିଛି। ଏହାର ପ୍ରଭାବରେ ସୁନା ଆମଦାନୀ ମହଙ୍ଗା ହୋଇଛି। ତେବେ ସୁନାର ଉଚ୍ଚ ଦର ଧନତେରସ୍‌ରେ ଗ୍ରାହକଙ୍କୁ ଏହି ଧାତୁ କ୍ରୟର ମୋହରୁ ଦୂରେଇ ରଖିପାରି ନାହିଁ। ସବୁ ଆୟବର୍ଗର ଗ୍ରାହକମାନେ ଆଜି ସୁନା କିଣିଥିବା ଦେଖିବାକୁ ମିଳିଛି। ବଡ଼ ବଡ଼ ସୋରୁମ୍ ଗୁଡ଼ିକରେ ଦୀର୍ଘସମୟ ଧରି ଅସମ୍ଭବ ଭିଡ଼ ହୋଇଥିବା‌ବେଳେ ଛୋଟ ସୋରୁମ୍ ଗୁଡ଼ିକ ମଧ୍ୟ କିଛି କମ୍ ବ୍ୟବସାୟ କରିନାହାନ୍ତି।

ସମ୍ବନ୍ଧିତ ଖବର