ଭୁବନେଶ୍ବର: ରାଜ୍ୟର ବ୍ୟବସାୟ ଜଗତ ଲାଗି ଧନ୍‌ତେରସ୍‌ ବର୍ଷର ଏକ ପ୍ରମୁଖ ବେପାର ଦିନ ଭାବେ ଉଭା ହୋଇଛି। ଏହିଦିନ ସୁନା, ରୁପା, ହୀରାଠାରୁ ଆରମ୍ଭ କରି ବାଇକ୍, ସ୍କୁଟର, କାର୍‌ ଓ ଇଲେକ୍ଟ୍ରୋନିକ୍ସ ଜିନିଷ ବିପୁଳ ପରିମାଣରେ ବିକ୍ରି ହେଉଛି। ଗତକାଲି ଗୋଟିଏ ଦିନରେ ‌ସାରା ରାଜ୍ୟରେ ୧୮୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ବିକ୍ରି ହୋଇଥିଲା। ସେହିଦିନ ରାଜ୍ୟବ୍ୟାପୀ ୬୦୦୦ରୁ ଅଧିକ ଗାଡ଼ି ମଧ୍ୟ ବିକ୍ରି ହୋଇଛି। ସେଥିରୁ ୫୦୦୦ ଦୁଇଚକିଆ ଯାନ ହୋଇଥିବା ବେଳେ ୧୦୦୦ ପାଖାପାଖି ହେଉଛି କାର୍‌। ଏ ସମ୍ପର୍କରେ ଫେଡେରେସନ୍ ଅଫ୍ ଅଟୋମୋବାଇଲ୍‌ ଡିଲର୍ସ ଆସୋସିଏସନ୍ (ଏଫ୍‌ଏଡିଏ) ଓଡ଼ିଶା ଶାଖାର ଅଧ୍ୟକ୍ଷ ଅଖିଲ ପୋଦାର କହିଛନ୍ତି ଯେ ଚଳିତ ବର୍ଷ ଧନ୍‌ତେରସ୍‌ରେ ଗାଡ଼ି ବିକ୍ରି ଉତ୍ସାହଜନକ ରହିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଧନ୍‌ତେରସ୍‌ ଗାଡ଼ି ବିକ୍ରିରେ ୧୦-୧୨ ପ୍ରତିଶତ ବୃଦ୍ଧି ଘଟିଛି। ଦୁଇଚକିଆ ଯାନରେ ଲୋକମାନେ ମୋଟରସାଇକଲ୍‌କୁ ଅଧିକ ପସନ୍ଦ କରିଛନ୍ତି।

Advertisment

୫୦୦୦ ଦୁଇଚକିଆ, ୧୦୦୦ କାର୍‌
ଇଭି ବିକ୍ରିରେ ୧୦% ବୃଦ୍ଧି

ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବିକ୍ରିରେ ମଧ୍ୟ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି। ଦୁଇଚକିଆ ବର୍ଗରେ ୧୦୦-୧୧୦ ସିସି ସ୍କୁଟର ଅଧିକ ବିକ୍ରି ହୋଇଥିବା ବେଳେ ମୋଟରସାଇକଲ୍‌‌ରେ ଗ୍ରାହକମାନେ ୧୨୫-୧୫୦ ସିସି ବାଇକ୍‌କୁ ଅଧିକ ପସନ୍ଦ କରିଛନ୍ତି। ସେଥିପାଇଁ ଧନ୍‌ତେରସ୍‌ ଦିନ ଦୁଇଚକିଆ ଯାନ ବିକ୍ରି ଗତବର୍ଷ ତୁଳନାରେ ୧୦ ପ୍ରତିଶତ ଅଧିକ ରହିଛି। ରାଜ୍ୟର କଟକ, ସମ୍ବଲପୁର, ରାଉରକେଲା ଓ ଝାରସୁଗୁଡ଼ା ଭଳି ସ୍ଥାନରେ ଥିବା ଡିଲର୍‌ସିପ୍‌ଗୁଡ଼ିକରେ ଅଧିକ ପରିମାଣର ଦୁଇଚକିଆ ଗାଡ଼ି ବିକ୍ରି ହୋଇଛି। କାର୍‌ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କାରୁ କମ୍ ଦାମ୍‌ର ଗାଡ଼ି କିଣିବା ଉପରେ ଗ୍ରାହକମାନେ ଅଧିକ ଧ୍ୟାନ ଦେଇଥିଲେ। ବିଶେଷ କରି ଛୋଟ ଏସ୍‌ୟୁଭି ଗାଡ଼ି ସେମାନଙ୍କ ପସନ୍ଦ ଥିଲା। ୧୦୦୦-୧୨୦୦ ସିସି ଇଞ୍ଜିନର କାର୍‌ ଅଧିକ ମାତ୍ରାରେ ବିକ୍ରି ହୋଇଛି। ସର୍ବାଧିକ କାର୍‌ ଭୁବନେଶ୍ବରରେ ବିକ୍ରି ହୋଇଥିବା ଜଣାପଡ଼ିଛି। ପ୍ରତି ମାସରେ ରାଜ୍ୟରେ ହାରାହାରି ଭାବେ ୫୦-୬୦ ହଜାର ପର୍ଯ୍ୟନ୍ତ ଗାଡ଼ି ବିକ୍ରି ହେଉଛି। କିନ୍ତୁ ଉତ୍ସବ ଋତୁରେ ବିକ୍ରି ଅଧିକ ରହିଥାଏ। ରାଜ୍ୟରେ ବିକ୍ରି ହେଉଥିବା ଗାଡ଼ିର ସିଂହ ଭାଗ ହେଉଛି ଦୁଇଚକିଆ ଗାଡ଼ି ଯାହା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଚାହିଦାରେ ରହିଛି। ନିଜର ଦୈନନ୍ଦୀନ ଗମନାଗମନ ଆବଶ୍ୟକତା ପୂରଣ କରିବା ଲାଗି ଲୋକମାନେ ଦୁଇଚକିଆ ଯାନ କିଣୁଛନ୍ତି। 

ଗତକାଲି ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ଜିନିଷ ମଧ୍ୟ ବହୁ ପରିମାଣରେ ବିକ୍ରି ହୋଇଛି। ସ୍ମାର୍ଟଫୋନ୍, ଏଲ୍‌ଇଡି ଟିଭି, ଏସି, ହୋମ୍ ଆପ୍ଲାଏନ୍‌ସେସ୍‌ ଆଦି କିଣିବା ଲାଗି ଗ୍ରାହକମାନେ ଇଲେକ୍ଟ୍ରୋନିକ୍ସ ଦୋକାନରେ ଭିଡ଼ ଲଗାଇଥିଲେ। ‌ଘୋଷଣା କରାଯାଇଥିବା ଅଫର, କ୍ୟାସ୍‌ବ୍ୟାକ୍, ସହଜ ଫାଇନାନ୍ସ ସ୍କିମ୍‌ ଗ୍ରାହକମାନଙ୍କୁ ଷ୍ଟୋର୍‌କୁ ଟାଣିଥିଲା। ଯୁବବର୍ଗର ଗ୍ରାହକମାନେ ସ୍ମାର୍ଟଫୋନ୍, ସ୍ମାର୍ଟୱାଚ୍‌, ଇୟରବଡ୍‌ସ ଅଧିକ କିଣିଛନ୍ତି। ପରିବାରଗୁଡ଼ିକ ବଡ଼ ସ୍କ୍ରିନ୍‌ର ସ୍ମାର୍ଟ ଟିଭି, ଫ୍ରିଜ୍, ଏସି ଆଦି କିଣିଥିବା ଜଣାପଡ଼ିଛି।