ମୁମ୍ବାଇ: କରୋନା ମହାମାରୀ ବେଳେ ଲକଡାଉନ୍‌, ସଟ୍‌ଡାଉନ୍‌ ଆଦି ଯୋଗୁଁ ଗହଣା ବଜାରରେ ବିକ୍ରି ପ୍ରଭାବିତ ହୋଇଛି। ଏବେ ଅର୍ଥନୀତିରେ ଧୀରେ ଧୀରେ ସୁଧାର ଆସିଲାଣି। ଅର୍ଥନୀତିରେ ସୁଧାର କାରଣରୁ ଚଳିତବର୍ଷ‌ ଧନତେରସ୍‌ ଓ ଦୀପାବଳିରେ ସୁନା ବଜାରରେ ଚମକ ଫେରିବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି। ଏପରିକି ଗତବର୍ଷ ଧନତେରସ୍‌ ସମୟରେ ବ୍ୟବସାୟୀମାନେ ଯେତିକି ମୂଲ୍ୟର ଗହଣା ବିକ୍ରି କରିଥିଲେ ତାହା ତୁଳନାରେ ଚଳିତବର୍ଷର ବିକ୍ରି ୭୦ ପ୍ରତିଶତ ରହିବ ବୋଲି ଆକଳନ କରିଛନ୍ତି।

Advertisment

ଭାରତରେ ଏବେ ସୁନା ମୂଲ୍ୟ ଅଧିକ ରହିଛି। ଏଥିସହିତ କୋଭିଡ-୧୯ ମହାମାରୀ ଜନିତ ଅନିଶ୍ଚିତତା ସବୁ ଦୂର ହୋଇନାହିଁ। ଏସବୁ ସତ୍ତ୍ବେ ଚଳିତ ପାର୍ବଣରେ ସୁନା ବିକ୍ରିରେ ସୁଧାର ଆସିବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି। କାରଣ ପାର୍ବଣ ସମୟରେ ଲୋକମାନେ ସୁନା ହିଁ ଅଧିକ ମାତ୍ରାରେ କିଣିଥା’ନ୍ତି। ବିଶେଷକରି ଧନତେରସ୍‌ ଓ ଦୀପାବଳି ବେଳେ ଏହି ବିକ୍ରି ବୃଦ୍ଧି ପାଇଥାଏ। ଗତ କିଛିଦିନ ହେଲା ଗହଣା ସୋ’ରୁମ୍‌ଗୁଡ଼ିକୁ ଗ୍ରାହକଙ୍କ ଆଗମନ ବୃଦ୍ଧି ପାଇଛି। ସେହିଭଳି ବିକ୍ରିରେ ମଧ୍ୟ ଉନ୍ନତି ଆସିଛି। ତେଣୁ ଆମେ ଆଶାବାଦୀ ଅଛୁ ଯେ ଗତବର୍ଷ ଧନତେରସ‌୍‌ରେ ହୋଇଥିବା ବିକ୍ରି ତୁଳନାରେ ଚଳିତବର୍ଷ ୭୦ ପ୍ରତିଶତ ବିକ୍ରି କରିପାରିବୁ। ସର୍ବ ଭାରତୀୟ ଜେମ୍ସ ଆଣ୍ଡ ଜୁଏଲାରି ଡୋମେଷ୍ଟିକ୍ କାଉନସିଲ୍‌ ଅଧ୍ୟକ୍ଷ ଅନନ୍ତ ପଦ୍ମନାଭନ ଏହା କହିଛନ୍ତି। ଧନତେରସ୍‌ ଏକ ଭଲ ଦିନ। ଏହି ଦିନ ସୁନା କିଣିଲେ ଗୃହକୁ ସମ୍ପତ୍ତି ଓ ସମୃଦ୍ଧି ଆସିଥାଏ ବୋଲି ଅନେକ ଭାରତୀୟ ବିଶ୍ବାସ କରନ୍ତି। ତେଣୁ ଦୀର୍ଘଦିନ ଧରି ଚାହିଦା ଓ କିଣାକିଣି କମ୍ ରହିଥିବା କାରଣରୁ ଆସନ୍ତା ଧନତେରସ୍‌ରେ ବିକ୍ରି ଭଲ ରହିବ ବୋଲି ୱାର୍ଲଡ ଗୋଲ୍ଡ କାଉନସିଲର ଏମ୍‌ଡି (ଭାରତ) ସୋମୁସୁନ୍ଦରମ ପି ଆର୍‌ କହିଛନ୍ତି। ଡିଜିଟାଲ ଏବଂ ଅନଲାଇନ୍‌ରେ ସୁନା ବିକ୍ରି କରୁଥିବା କମ୍ପାନି ଗୁଡ଼ିକ ପାଇଁ ପାର୍ବଣ ଏକ ସୁଯୋଗ ଆଣିଛି। ସେମାନେ ଏହି ସମୟରେ ସେମାନଙ୍କ ବିକ୍ରି ପରିମାଣ ଏବଂ ଗ୍ରାହକ ସଂଖ୍ୟା ବଢ଼ାଇ ପାରିବେ। ଲକ୍‌ଡାଉନ୍ ଯୋଗୁ ଦେଶରେ ଅନେକ ବ୍ୟକ୍ତି ଗତ କିଛିମାସ ହେଲା କିଣାକିଣି କରିନାହାନ୍ତି। ତେଣୁ ଅନେକ ପରିବାର ସେମାନଙ୍କ ସଞ୍ଚିତ ରାଶିକୁ ସୁନା କିଣାରେ ବିନିଯୋଗ କରିପାରନ୍ତି ବୋଲି ସୋମସୁନ୍ଦରମ୍ କହିଛନ୍ତି।

ପିଏନଜି ଜୁଏଲର୍ସର ସିଏମଡି ସୌରଭ ଗାଡ଼ଗିଲ୍‌ କୁହନ୍ତି, ପାର୍ବଣରେ ଗ୍ରାହକଙ୍କ ଆଗମନ ବଢ଼ିଛି। ବଜାରରେ ସୁଧାର ଆସୁଥିବା ଲକ୍ଷ୍ୟ କରାଯାଉଛି। କୃଷି-ବ୍ୟବସାୟ ଉପରେ ନିର୍ଭରଶୀଳ ପରିବାର ଗୁଡ଼ିକ ଅଧିକ ଖର୍ଚ୍ଚ କରୁଛନ୍ତି। ମେଟ୍ରୋ ତୁଳନାରେ ଗ୍ରାମୀଣ ଭାରତର ଲୋକଙ୍କ ଖର୍ଚ୍ଚ କରିବା ମନୋଭାବ ଅଧିକ ରହିଛି। ପରିମାଣ ଦୃଷ୍ଟିରୁ ଗତବର୍ଷ ଧନତେରସ୍‌ ତୁଳନାରେ ଚଳିତବର୍ଷ ୮୫ ପ୍ରତିଶତ ଗହଣା ବିକ୍ରି କରିବା ଆଶା ରଖିଛୁ। କିନ୍ତୁ ଗତବର୍ଷ ତୁଳନାରେ ଏବେ ସୁନା ମୂଲ୍ୟ ଅଧିକ ରହିଛି। ତେଣୁ ମୂଲ୍ୟ ଦୃଷ୍ଟିରୁ ଗତବର୍ଷ ତୁଳନାରେ ବିକ୍ରି ରାଶି ଅଧିକ ରହିବ ବୋଲି ସେ କହିଛନ୍ତି। ସେହିଭଳି ତନିସ୍କର ଉପସଭାପତି ଅରୁଣ ନାରାୟଣନ ଏବଂ ସେନ୍‌‌କୋ ଗୋଲ୍‌ଡ ଆଣ୍ଡ୍ ଡାଇମଣ୍ଡ୍‌ସ ସିଇଓ ଶୁଭଙ୍କର ସେନ୍‌ ମଧ୍ୟ ଧନତେରସ୍‌ରେ ବିକ୍ରି ଭଲ ରହିବ ବୋଲି ଆଶା ପୋଷଣ କରିଛନ୍ତି।