କେନ୍ଦ୍ର କୋଇଲା ଓ ଖଣି ଏବଂ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି : ହାଇପାୱାର କମିଟି ଓ ସିଏସିଏଲ୍‌ବିର ପରାମର୍ଶ ମାନିବାକୁ ଅନୁରୋଧ

ଭୁବନେଶ୍ବର: ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ପୃଥକ ପୃଥକ ଚିଠି ଲେଖି ହାଇ ପାୱାର କମିଟି ଓ କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡ (ସିଏସିଏଲ୍‌ବି) ଦ୍ବାରା ଦିଆଯାଇଥିବା ପରାମର୍ଶକୁ କଡ଼ାକଡ଼ି ପାଳନ କରିବା ନେଇ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଲେଖିଛନ୍ତି, ଠିକା ଶ୍ରମିକ (ନିୟମାବଳୀ ଏବଂ ଆବୋଲେସନ୍) ୧୯୭୦ ଅଧିନିୟମ ଧାରା ୧୦ ଅନୁସାରେ କୋଇଲା ବିକ୍ରି, କୋଇଲା ଲୋଡିଂ ଏବଂ ଅନଲୋଡିଂ, ଓଭରବୋର୍ଡ ଅପସାରଣ ଇତ୍ୟାଦିରେ ଠିକା ଶ୍ରମିକ ନିୟୋଜନ ନିଷେଧ ଅଟେ। କିନ୍ତୁ ସେହି ଅଧିନିୟମର ଧାରା ୩୧ରେ ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଏବଂ ପ୍ରତିବନ୍ଧକ ଅନୁଯାୟୀ ବିଶେଷ କ୍ଷେତ୍ରରେ ଅବ୍ୟାହତି ପ୍ରଦାନ କରାଯାଇପାରେ। ଅନୁଗୁଳ ଜିଲ୍ଲାରେ କୋଇଲା ଖଣିରେ ନିୟୋଜିତ ଅନେକ ଶିଳ୍ପାନୁଷ୍ଠାନ ଏହି ସୁବିଧା ମାଧ୍ୟମରେ ଠିକା ଶ୍ରମିକ ନିୟୋଜିତ କରୁଛନ୍ତି। ମେ’ ୨୯, ୨୦୧୯ରେ ‌କେନ୍ଦ୍ର ସରକାରଙ୍କ କୋଇଲା ମନ୍ତ୍ରଣାଳୟ ଅଧୀନ କୋଲ୍‌ ଇଣ୍ଡିଆ ଦ୍ବାରା ଗଠନ ହୋଇଥିବା ହାଇପାୱାର କମିଟିର ପରାମର୍ଶ ତଥା କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡର ସୁପାରିଶ ଅନୁଯାୟୀ ଏନ୍‌ଟିପିସିର କୋଇଲା ଖଣି ବ୍ଲକଗୁଡ଼ିକୁ ୫ବର୍ଷ ପାଇଁ ଉପଯୁକ୍ତ ଆଇନର ଧାରା ୧୦ର କାର୍ଯ୍ୟକାରିତାରୁ ଛାଡ଼ ପ୍ରଦାନ କରାଯାଇଥିଲା।

ଅପରପକ୍ଷେ ଅନୁଗୁଳରେ କୋଇଲା ଖଣିରେ ନିୟୋଜିତ ନାଲ୍‌କୋ ମଧ୍ୟ ଖଣି ମନ୍ତ୍ରଣାଳୟ ମାଧ୍ୟମରେ ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟକୁ ଉପରୋକ୍ତ ଧାରା ୩୧ ଅନୁଯାୟୀ ଛାଡ଼ ପାଇଁ ଆବେଦନ କରିଛି। କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡ ମଧ୍ୟ ଉତ୍କଳ ଡି ଏବଂ ଇ କୋଲ୍‌ ବ୍ଲକ ପାଇଁ ନିୟୋଜିତ ନାଲ୍‌କୋର ପ୍ରତିନିଧି, ଏମ୍‌ଡିଓଙ୍କ ସହ ଅନେକ ଥର ବୈଠକ କରିଛନ୍ତି। ଏହି ଗାଇଡଲାଇନ୍‌ ସତ୍ତ୍ବେ କିଛି ଠିକାଦାର ଓ ଏମ୍‌ଡିଓ ନାଲ୍‌କୋରେ ନିୟୋଜିତ ଠିକା ଶ୍ରମିକଙ୍କୁ ହାଇପାୱାର କମିଟିର ସୁପାରିସ ଅନୁସାରେ ମଜୁରି ଓ ଅନ୍ୟାନ୍ୟ ସୁବିଧା ‌େଦବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏହା ଚିନ୍ତାଜନକ। ଏହାକୁ ଦୃଷ୍ଟିରେ ରଖି ନାଲ୍‌କୋ କର୍ତ୍ତୃପକ୍ଷଙ୍କ ଦ୍ବାରା କୋଇଲା ଖଣିରେ ନିୟୋଜିତ ଠିକା ଶ୍ରମିକଙ୍କୁ ଠିକାଦାରଙ୍କ ଦ୍ବାରା କେନ୍ଦ୍ରୀୟ ପରାମର୍ଶଦାତା ଠିକା ଶ୍ରମିକ ବୋର୍ଡର ପରାମର୍ଶ ଅନୁସାରେ ସେମାନଙ୍କ ପାରିଶ୍ରମିକ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବାକୁ ଶ୍ରୀ ପ୍ରଧାନ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର