ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲାର ସୁଆଦିଆ ଆମ୍ବ ଯିବ ବିଦେଶ। ଭାରତ ବାହ‌ାରେ ରହୁଥିବା ଲୋକମାନେ ସେହି ଆମ୍ବର ସ୍ବାଦ ଚାଖିବେ। ଢେଙ୍କାନାଳର ଗୋବିନ୍ଦପୁରରେ ସମନ୍ୱିତ ପ୍ୟାକ୍ ହାଉସ୍‌ର ପରିଚାଳନା ପାଇଁ ଢେଙ୍କାନାଳ ଫଳ ଏବଂ ପନିପରିବା ମାର୍କେଟିଂ କମ୍ପାନି ଲିମିଟେଡ୍, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ କୋଲ୍ଡ ଚେନ୍ ସଲ୍ୟୁସନ୍ସ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହା ବ୍ୟତୀତ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, ମିଶନ ଶକ୍ତି ବିଭାଗ ଏବଂ ପ୍ରଫେସନାଲ ଆସିଷ୍ଟାନ୍ସ ଫର୍ ଡେଭେଲପମେଣ୍ଟ ଆକ୍ସନ ମଧ୍ୟରେ ‘ଓଡିଶାରେ କୃଷି ଉତ୍ପାଦନ କ୍ଲଷ୍ଟର୍‌(ଏପିସି) ମାଧ୍ୟମରେ  ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କର ଜୀବିକା ସୁଦୃଢ଼ୀକରଣ’ ନାମକ ପ୍ରକଳ୍ପର ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି।

Advertisment

ଲୋକସେବା ଭବନରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ଉଭୟ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ନୂତନ ଭାବରେ ସ୍ୱାକ୍ଷରିତ ଏହି ଏମଓୟୁ ବଲାଙ୍ଗୀର, ଢେଙ୍କାନାଳ, ଝାରସୁଗୁଡ଼ା, କନ୍ଧମାଳ, ମୟୂରଭଞ୍ଜ, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, କୋରାପୁଟ, ଦେଓଗଡ଼ ଏବଂ ନବରଙ୍ଗପୁର ଭଳି ୧୧ଟି ଜିଲ୍ଲାର ୨୭ଟି ବ୍ଲକ୍‌ରେ ୬୯୫ଟି ଉତ୍ପାଦକ ଗୋଷ୍ଠୀ (ପିଜି) ଏବଂ ୨୭ଟି ଉତ୍ପାଦନ କମ୍ପାନି (ପିସି)କୁ ସହଯୋଗ ପ୍ରଦାନ କରି ଏପିସି ମଡେଲକୁ ଆହୁରି ସୁଦୃଢ଼ କରିବ। ମିଶନ ଶକ୍ତି ବିଭାଗ ଦ୍ୱାରା ୬୨.୦୫୮ କୋଟି ଟଙ୍କାର ବଜେଟ୍‌ ସହିତ ୬୯୫ଟି ପିଜି ଅଧୀନରେ ପ୍ରାୟ ୮୩,୦୦୦ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସଦସ୍ୟାଙ୍କୁ ବୈଷୟିକ ତାଲିମ ଏବଂ ସହାୟତା ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ କୃଷି ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ, ମିଶନ ଶକ୍ତି ନିର୍ଦ୍ଦେଶକ ଡ.ମୋନିକା ପ୍ରିୟଦର୍ଶିନୀ ଉପସ୍ଥିତ ଥିଲେ।