‘ଡିଏଚ୍‌ଏଫ୍‌ଏଲ୍‌’ ଠକେଇର ତଦନ୍ତ ହେବ

ନୂଆଦିଲ୍ଲୀ : ଗୃହ ଋଣ ପ୍ରଦାନ କରୁଥିବା ଘରୋଇ ଆର୍ଥିକ ସଂସ୍ଥା ‘ଡିଏଚ୍‌ଏଫ୍‌ଏଲ୍‌’ରେ ୩୧ ହଜାର କୋଟି ଟଙ୍କାର ଜାଲିଆତି ହୋଇଥିବା ଅଭି‌ଯୋଗ ହୋଇଛି। ଏହାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ଖୁବ୍‌ଶୀଘ୍ର ଏହି ମାମଲାର ତଦନ୍ତ ଆରମ୍ଭ କରାଯିବ। କଂପାନିର ହିସାବ ଖାତା ଓ ଅନ୍ୟାନ୍ୟ କାଗଜପତ୍ରକୁ ସରକାରୀ ଏଜେନ୍ସି ଦ୍ବାରା ଯାଞ୍ଚ କରାଯିବ। ଯଦି ଠକେଇର ପ୍ରମାଣ ମିଳିବ ତେବେ କଂପାନିର ନିର୍ଦେଶକ ଓ ପ୍ରାମୋଟରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତକାଲି କୋବ୍ରାପୋଷ୍ଟ୍‌ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ଡିଏଚ୍‌ଏଫ୍‌ଏଲ୍‌ରେ ଅଂଶଧନ ରଖିଥିବା କପିଲ୍‌ ୱାଧୱାନ୍, ଅରୁଣା ୱାଧୱାନ ଏବଂ ଧୀରଜ ୱାଧୱାନ୍‌ ସଂଗଠିତ ଭାବେ ୩୧ ହଜାର କୋଟି ଟଙ୍କାର ଠକେଇ କରିଛନ୍ତି। ଜନ ସାଧାରଣଙ୍କ ୩ଟଙ୍କାକୁ ସେମାନେ ସ୍ପଷ୍ଟ ଦିବାଲୋକରେ ହଡ଼ପ କରିଛନ୍ତି। କଂପାନିର ପ୍ରମୋଟରମାନେ ବିଭିନ୍ନ ଜାଲ୍‌ କଂପାନି ଗଠନ କରି ସେଗୁଡ଼ିକ ନାମରେ ବିପୁଳ ପରିମାଣର ଋଣ ମଞ୍ଜୁର କରି ଏହି ସବୁ ଟଙ୍କା ହଡ଼ପ କରିଛନ୍ତି। ସୁଚିନ୍ତିତ ଯୋଜନା କରି ଏହି କାମ କରାଯାଇଛି। ଏହି ପ୍ରକ୍ରିୟାରେ କ୍ଷୁଦ୍ର ଜମାକାରୀ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦା କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ଦାବି କରାଯାଇଛି।

ସମ୍ବନ୍ଧିତ ଖବର