ଡାଇବେଟିସ ଔଷଧ ଦାମ କମିବ, ଆସିବ ଜେନେରିକ୍ ଗ୍ଲିପ୍‌ଟିନ୍

ମୁମ୍ବାଇ: ଡାଇବେଟିସ (ମଧୁମେହ)ରେ ପୀଡ଼ିତ ଲୋକମାନଙ୍କ ପାଇଁ ଖୁସି ଖବର। ଆସନ୍ତା ଡିସେମ୍ବର ମାସ ପରେ ଡାଇବେଟିସ୍‌ ଔଷଧ ଦାମ କମିବାର ସମ୍ଭାବନା ସୃଷ୍ଟି ହୋଇଛି। ବର୍ତ୍ତମାନ ପ୍ରଚଳନରେ ଥିବା ଲୋକପ୍ରିୟ ‘ଭିଲ୍‌ଡାଗ୍ଲିପ୍‌ଟିନ୍‌’ର ଜେନେରିକ୍ ଭର୍ସନ ଡିସେମ୍ବର ପରେ ବଜାରରେ ଉପଲବ୍ଧ ହେବ। ବର୍ତ୍ତମାନ ଏହି ଔଷଧକୁ ନୋଭାର୍ଟିସ୍‌ ନାମକ ଔଷଧ କଂପାନି ପ୍ରସ୍ତୁତ କରୁଛି। ଏଥିପାଇଁ କଂପାନି ପାଖରେ ପେଟେଣ୍ଟ୍‌ ରହିଛି। ଡିସେମ୍ବର ପରେ ନୋଭାର୍ଟିସ୍‌ ଉକ୍ତ ପେଟେଣ୍ଟ୍‌ ହରାଇବ। ଫଳରେ ଜେନେରିକ୍ ଗ୍ଲିପ୍‌ଟିନ୍ ପାଇଁ ବାଟ ଖୋଲିବ। ଜେନେରିକ୍ ଗ୍ଲିପ୍‌ଟିନ୍ ବଜାରକୁ ଛାଡ଼ିବାକୁ ଅନ୍ୟ କଂପାନିଗୁଡ଼ିକ ପ୍ରସ୍ତୁତ ହୋଇରହିଛନ୍ତି। ବିଶେଷ କରି ଜାଇଡସ୍‌ କାଡିଲାକ୍, ଗ୍ଲେନ୍‌ମାର୍କ, ମ୍ୟାନ୍‌କାଇଣ୍ଡ୍‌ ଫାର୍ମା, ୟୁଏସ୍‌ ଭିଟାମିନ୍‌ସ, ସିପ୍‌ଲା ଓ ଆବଟ୍‌ ପକ୍ଷରୁ ବଜାରରେ ଜେନେରିକ୍ ଗ୍ଲିପ୍‌ଟିନ୍ ବିକ୍ରି କରାଯିବ ବୋଲି ଜଣାପଡ଼ିଛି। ଜେନେରିକ୍ ଗ୍ଲିପ୍‌ଟିନ୍‌ର ଦାମ୍ ନୋଭାର୍ଟିସ୍‌ ଉତ୍ପାଦନ କରୁଥିବା ଭିଲ୍‌ଡାଗ୍ଲିପ୍‌ଟିନ୍ ତୁଳନାରେ ୫୦% ଶସ୍ତା‌ ରହିବ। କିଛି ମାସ ପୂର୍ବରୁ ଗୁଜରାଟର ୧୮ଟି ଔଷଧ କଂପାନି ଜେନେରିକ୍ ଗ୍ଲିପ୍‌ଟିନ୍ ପ୍ରସ୍ତୁତ କରି ବଜାରରେ ବିକ୍ରି କରିବାକୁ ଉଦ୍ୟମ କରିଥିଲେ। ନୋଭାର୍ଟିସ୍‌ ପକ୍ଷରୁ ସେମାନଙ୍କ ଉପରେ ରୋକ ଲଗାଯାଇଥିଲା। ଭାରତରେ ବର୍ଷକୁ ୩୫୦୦ କୋଟି ଟଙ୍କାର ଗ୍ଲିପ୍‌ଟିନ୍ ବିକ୍ରି ହେଉଥିଲା। ଏହି ବଜାରର ୨୫% ଭାଗ ନୋଭାର୍ଟିସ୍‌ର ଭିଲ୍‌ଡାଗ୍ଲିପ୍‌ଟିନ୍ ପାଖରେ ରହିଛି। ବର୍ତ୍ତମାନ ତିନି ପ୍ରକାର ଗ୍ଲିପ୍‌ଟିନ୍-ସିଟାଗ୍ଲିପ୍‌ଟିନ୍, ଭିଲ୍‌ଡାଗ୍ଲିପ୍‌ଟିନ୍ ଓ ସେକ୍ସାଗ୍ଲିପ୍‌ଟିନ୍ ଉପଲବ୍ଧ ହେଉଛି। ଏହାକୁ ବ୍ୟବହାର କରିବାର ଦୈନିକ ଖର୍ଚ ୪୫ ଟଙ୍କା ପାଖାପାଖି ରହିଛି। ଜେନେରିକ୍ ଗ୍ଲିପ୍‌ଟିନ୍ ଆସିବା ପରେ ସେହି ଦୈନିକ ଖର୍ଚ ୧୦ ଟଙ୍କା ଭଳି ସ୍ତରକୁ ଖସିଯିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର