ଡିଜେଲ୍, ବିମାନ ଇନ୍ଧନ ରପ୍ତାନି ଟିକସ ହ୍ରାସ

ଜୁଲାଇ ପରେ ଟିକସ ୫ ଥର ସଂଶୋଧନ ହେଲାଣି

ନୂଆଦିଲ୍ଲୀ : ଆନ୍ତର୍ଜାତିକ ବଜାରରେ ତୈଳ ମୂଲ୍ୟ ହ୍ରାସ ପାଇବା ପରେ ଦେଶ ଭିତରେ ଉତ୍ପାଦନ ହେଉଥିବା ଅଶୋଧିତ ତୈଳ ଓ ରପ୍ତାନି କରାଯାଉଥିବା ଡିଜେଲ୍ ଓ ବିମାନ ଇନ୍ଧନ ଉପରୁ କେନ୍ଦ୍ର ସରକାର ଟିକସ ହ୍ରାସ କରିଛନ୍ତି। ଏହି ନିଷ୍ପତ୍ତି ସ୍ଥାନୀୟ କଂପାନିଙ୍କୁ ସୁହାଇବ। ସରକାର ଅଶୋଧିତ ତୈଳର ‌ଟନ୍ ପିଛା ସେସ୍‌କୁ ୧୦,୫୦୦ ଟଙ୍କାକୁ ହ୍ରାସ କରିଛନ୍ତି ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି। ‌ସେହିପରି ଡିଜେଲ୍ ରପ୍ତାନି ଉପରେ ଲିଟର ପିଛା ଟିକସକୁ ୧୦ ଟଙ୍କା ଓ ବିମାନ ଇନ୍ଧନ ଟିକସରେ ୫ ଟଙ୍କାର ହ୍ରାସ ଘୋଷଣା କରାଯାଇଛି।

‌ସେପ୍ଟେମ୍ବର ୧ରେ ସରକାର ଦେଶ ଭିତରେ ଉତ୍ପାଦନ ହେଉଥିବା ଅଶୋଧିତ ତୈଳର ଟନ୍ ପିଛା ୱିଣ୍ଡ୍‌ଫଲ୍‌ ଟିକସକୁ ୧୩,୩୦୦ ଟଙ୍କାକୁ ବୃଦ୍ଧି କରିଥିଲେ ଯାହା ତାହା ପୂର୍ବରୁ ୧୩ ହଜାର ଟଙ୍କା ଥିଲା। ଏଥି ସହିତ ବିମାନ ଇନ୍ଧନ ଉପରେ ସେସ୍‌କୁ ଲିଟର ପିଛା ୨ ଟଙ୍କାରୁ ବଢ଼ାଇ ୯ ଟଙ୍କା ଓ ଡିଜେଲ୍ ରପ୍ତାନି ଉପରେ ଟିକସକୁ ଲିଟର ପିଛା ୬ ଟଙ୍କାରୁ ବଢ଼ାଇ ୧୨ ଟଙ୍କା କରାଯାଇଥିଲା। ଡିଜେଲ ଉପରେ ଲଗାଯାଇଥିବା ୱିଣ୍ଡ୍‌ଫଲ୍‌ ଟିକସରେ ଲିଟର ପିଛା ଦେଢ଼ ଟଙ୍କାର ସଡ଼କ ଭିତ୍ତିଭୂମି ସେସ୍‌ ମଧ୍ୟ ରହିଛି। ତେବେ ପେଟ୍ରୋଲ୍‌ ରପ୍ତାନିକୁ ଟିକସ ମୁକ୍ତ ରଖାଯାଇଛି।

ଚଳିତ ବର୍ଷ ଜୁଲାଇ ୧ରୁ ୱିଣ୍ଡ୍‌ଫଲ୍ ଟିକସ ଲାଗୁ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାପରଠାରୁ ସେଥିରେ ପାଞ୍ଚ ଥର ସଂ‌ଶୋଧନ କରାଯାଇସାରିଲା। ଏଥର ଯେଉଁ ସଂଶୋଧନ କରାଯାଇଛି ତାହା ଆସନ୍ତାକାଲିଠାରୁ ଲାଗୁ ହେବ। ଭାରତ କିଣୁଥିବା ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ଚଳିତ ମାସରେ ୯୨.୬୭ ଡଲାରକୁ ହ୍ରାସ ପାଇଛି ଯାହା ଅଗଷ୍ଟ ମାସରେ ୯୭.୪୦ ଡଳାର ଥିଲା। ଆନ୍ତର୍ଜାତିକ ବଜାରରେ ଅଶୋଧିତ ‌ତୈଳ ଦରରେ ବୃଦ୍ଧି ହେଲେ ସ୍ଥିତି ଫାଇଦା ଉଠାଇବା ଲାଗି ଦେଶ ଭିତରେ ତେଲ ଉତ୍ପାଦନ କରୁଥିବା କଂପାନିଗୁଡ଼ିକ ତାହାକୁ ରପ୍ତାନି କରି ବିପୁଳ ରୋଜଗାର କରନ୍ତି। ସେମାନଙ୍କ ସେହି ଅପ୍ରତ୍ୟାଶିତ ଆୟ ଉପରୁ ଟିକସ ସଂଗ୍ରହ କରିବା ଲାଗି ୱିଣ୍ଡ୍‌ଫଲ୍‌ ଟିକସ ଲାଗୁ କରାଯାଇଛି। ସରକାର କହିଛନ୍ତି ଯେ ପ୍ରତି ପନ୍ଦର ଦିନରେ ଥରେ ଲେଖାଏଁ ୱିଣ୍ଡଫଲ୍‌ ଟିକସ ବ୍ୟବସ୍ଥାର ସଂଶୋଧନ କରାଯିବ।

କିଛି ମାସ ପୂର୍ବେ ସରକାର ପେଟ୍ରୋଲ ଓ ଡିଜେଲ୍‌ରେ ଲଗାଯାଇଥିବା ଟିକସ ହ୍ରାସ କରିଥିଲେ। ଦରଦାମ୍ ମୁକାବିଲା କରିବା ସହ ଲୋକମାନଙ୍କୁ ଆଶ୍ବସ୍ତି ଦେବା ଲାଗି ସେହି ପଦକ୍ଷେପ ନିଆଯାଇଥିଲା। ତେବେ ସେଥିପାଇଁ ଯେଉଁ ରାଜସ୍ବ ହାନି ହେଉଛି ତାହାକୁ ଭରଣା କରିବା ଲାଗି ୱିଣ୍ଡ୍‌ଫଲ୍‌ ଟିକସର ପରିକଳ୍ପନା କରାଯାଇଛି। ଏବେ ୱିଣ୍ଡ୍‌ଫଲ୍‌ ଟିକସରେ ହ୍ରାସ କରାଯାଇଥିବାରୁ ସରକାରଙ୍କ ରାଜସ୍ବ ଆୟ ପ୍ରଭାବିତ ହେବ ବୋଲି କୁହାଯାଉଛି। ଦେଶ ଭିତରେ ଘରୋଇ କଂପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ନାୟରା ଏ‌ନର୍ଜି ବିଦେଶକୁ ଡିଜେଲ ଓ ଏଟିଏଫ୍ ରପ୍ତାନି କରୁଛନ୍ତି।

ସମ୍ବନ୍ଧିତ ଖବର