ଡିଜେଲ ୭୬ ଟପିଲା, ଆଦାୟ ହେଉଛି ୪୯ ଟଙ୍କା ୪୩ ପଇସାର ଟିକସ

ଡିଜେଲ ମହଙ୍ଗା ହେଲେ କ’ଣ ହୁଏ

ଭୁବନେଶ୍ବର: ରାଜଧାନୀରେ ଡିଜେଲ୍‌ର ଲିଟର ପିଛା ଦାମ୍ ୭୬ ଟଙ୍କାରୁ ଅଧିକ ହୋଇଯାଇଛି। ଏହା ପରିବହନକାରୀମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ରବିବାର ଦିନ ଡିଜେଲ୍‌ର ଲିଟର ପିଛା ଦାମ୍ ୭୬ ଟଙ୍କା ୪୭ ପଇସାରେ ପହଞ୍ଚିଛି। ସେହି ସମୟରେ ପେଟ୍ରୋଲ୍ ଦର ୭୯ ଟଙ୍କା ୭୯ ପଇସା ହୋଇଛି। ଗତ ୧୫ ଦିନ ହେଲାଣି ନିୟମିତ ଭାବେ ଏହି ଦୁଇ ତେଲ ଦାମ୍ ବଢ଼ୁଛି। ଡିଜେଲ୍‌ ଦାମ୍‌ର ୬୩% ଅଂଶ ହେଉଛି ଟିକସ। ଏକ ଲିଟର ଡିଜେଲରୁ ମୋଟ ୪୯ ଟଙ୍କା ୪୩ ପଇସାର ଟିକସ ଆଦାୟ ହେଉଛି। କେନ୍ଦ୍ର ସରକାର ୩୧ ଟଙ୍କା ୮୩ ପଇସାର କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ଓ ରାଜ୍ୟ ସରକାର ୧୭ ଟଙ୍କା ୬୦ ପଇସାର ଭାଟ୍‌ ଆଦାୟ କରୁଛନ୍ତି। ଚଳିତ ମାସ ୭ରୁ ତେଲ ଦର କ୍ରମାଗତ ଭ‌ାବେ ବୃଦ୍ଧି ପାଉଛି। ଏହା ପୂର୍ବରୁ ୨୦୧୮ ଅକ୍ଟୋବର ୧୬ରେ ଡିଜେଲ ଦାମ୍ ୭୫ ଟଙ୍କା ୬୯ ପଇସା ଭଳି ଉଚ୍ଚ ସ୍ତରରେ ଥିଲା। ସେହି ମାସରେ କେନ୍ଦ୍ର ସରକାର ପେଟ୍ରୋଲ୍ ଓ ଡିଜେଲ୍ ଉପରୁ ଉତ୍ପାଦନ ଶୁଳ୍କ ଦେଢ଼ ଟଙ୍କା କମ୍ କରିଥିଲେ। ତେଲ କଂପାନିଗୁଡ଼ିକ ମଧ୍ୟ ୧ ଟଙ୍କା ବୋଝ ନେବାକୁ ପ୍ରସ୍ତୁତ ହୋଇଥିଲେ। ଫଳ‌ରେ ଉଭୟ ତେଲର ଲିଟର ପିଛା ଦାମ୍ ଏକସଙ୍ଗେ ‌ଅଢ଼େଇ ଟଙ୍କା କମିଥିଲା।

କରୋନା ସଙ୍କଟର ମୁକାବଲା ଲାଗି ଚଳିତ ବର୍ଷ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍ ଘୋଷଣା କରାଯିବାର ପରର୍ବତୀ ୮୪ ଦିନ ପର୍ଯ୍ୟନ୍ତ ତେଲ ଦର ଅପରିବର୍ତିତ ରହିଥିଲା। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲଦାମ୍ କମ୍ ଥିବାର ସୁଯୋଗ ନେଇ ଗତ ମାର୍ଚ୍ଚ ୧୪ରେ କେନ୍ଦ୍ର ସରକାର ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଉତ୍ପାଦନ ଶୁଳ୍କରେ ୩ ଟଙ୍କା ଲେଖାଏଁ ଓ ମେ’ ୧୫ରେ ପେଟ୍ରୋଲ୍ ଉପରେ ୧୦ ଟଙ୍କା ଓ ଡିଜେଲ୍‌ରେ ୧୩ ଟଙ୍କାର ଟିକସ ଲଗାଇଥିଲେ। ଏହି ଦୁଇ ଥର ଟିକସରେ ଯେଉଁ ବୃଦ୍ଧି ହୋଇଥିଲା ତାହାର ପ୍ରଭାବ ଖୁଚୁରା ମୂଲ୍ୟ ଉପରେ ପଡ଼ିନଥିଲା। ସେହି ସମୟରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୨୦ ଡଲାର ଭଳି ନିମ୍ନ ସ୍ତରରେ ରହିଥିଲା। ବର୍ତ୍ତମାନ ଏହି ଦାମ୍ ୪୨ ଡଲାରରୁ ଅଧିକ ହୋଇଗଲାଣି। ଏକ ଡଲାରର ମୂଲ୍ୟ ୭୬ ଟଙ୍କାରୁ ଅଧିକ ହୋଇଯାଇଛି। ସେଥିପାଇଁ ଅଶୋଧିତ ତେଲ ଆମଦାନି କରିବା ଲାଗି ତେଲ କଂପାନିଗୁଡ଼ିକୁ ଅଧିକ ଗଣିବାକୁ ପଡ଼ୁଛି। ଏହି ଦୁଇ ବିଷୟ ବିଚାରକୁ ନେଇ କଂପାନିଗୁଡ଼ିକ ନିୟମିତ ଦର ସଂଶୋଧନ କରୁଛନ୍ତି। ତେଲ ଦର ନିର୍ଧାରଣ ପ୍ରକ୍ରିୟା ସରକାରଙ୍କ ନିୟନ୍ତ୍ରଣ ବାହାରେ ରହିଛି। ପ୍ରତିଦିନ ତେଲ ଦର ଧାର୍ଯ୍ୟ କରିବା ଲାଗି କଂପାନିଗୁଡ଼ିକୁ ଅନୁମତି ଦିଆଯାଇଛି। କିନ୍ତୁ ଅତୀତରେ ଏଭଳି ଅନେକ ଥର ହୋଇଛି ଯେତେବେ‌ଳେ କିଛି ଦିନ ପାଇଁ ତେଲ ଦର ପରିବର୍ତ୍ତନ ପ୍ରକ୍ରିୟା ହଠାତ୍‌ ବନ୍ଦ ହୋଇଯାଇଥିଲା। ବିଶେଷ କରି ବିଭିନ୍ନ ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ତେଲ ଦରରେ ପରିବର୍ତ୍ତନ କରାଯାଉନଥିଲା। ତେଣୁ, ତେଲ କଂପାନିଗୁଡ଼ିକ ଉପରେ ସରକାରଙ୍କ ଅଦୃଶ୍ୟ ନିୟନ୍ତ୍ରଣ ରହିଥିବା ଅନେକ ସମୟରେ ଚର୍ଚ୍ଚା ହୁଏ।

ଡିଜେଲ ମହଙ୍ଗା ହେଲେ କ’ଣ ହୁଏ
ପେ‌‌ଟ୍ରୋଲ୍‌ ଦର ଠାରୁ ଡିଜେଲ୍ ଦର ବୃଦ୍ଧି ଅର୍ଥନୀତି ଲାଗି ଅଧିକ କ୍ଷତିକାରକ। କାରଣ ଡିଜେଲ୍‌କୁ ବିଭିନ୍ନ ପ୍ରକାର କାର୍ଯ୍ୟରେ ବ୍ୟବହାର କରାଯ‌ାଉଛି। ଭାରତୀୟ ରେଳଠାରୁ ଆରମ୍ଭ କରି ‌ଚାଷ ଜମିରେ ଚାଲୁଥିବା ପାୱାର ଟିଲର୍‌ ପର୍ଯ୍ୟନ୍ତ ଅନେକ କାର୍ଯ୍ୟରେ ଡିଜେଲ୍ ବ୍ୟବହାର କରାଯାଉଛି। ରେଳଗାଡ଼ି, ବସ୍‌ ଓ ଟ୍ରକ୍‌ରେ ଡିଜେଲ୍‌କୁ ଇନ୍ଧନ ଭାବେ ବ୍ୟବହାର କରାଯାଇଥାଏ। ଏହା ବ୍ୟତୀତ ତିନି ଚକିଆ ଗାଡ଼ି ଓ ପରିବହନ ଉଦ୍ଦେଶ୍ୟରେ ବ୍ୟବହାର ହେଉଥିବା କାର୍‌ରେ ମଧ୍ୟ ଡିଜେଲ୍ ବ୍ୟବହାର କରାଯାଉଛି। ଚାଷ କାର୍ଯ୍ୟରେ ବ୍ୟବହାର ହେଉଥିବା ଟ୍ରାକ୍ଟର, ପାୱାର ଟିଲର୍‌, ପାଣି ଉଠାଇବା ପମ୍ପ୍ ଓ ଜେନେରେଟର ଆଦିରେ ମଧ୍ୟ ଡିଜେଲ୍‌କୁ ଇନ୍ଧନ ଭାବେ ବ୍ୟବହାର କରାଯାଉଛି। ମୌସୁମୀ ଆଗମନ ପରେ ଚାଷ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଡିଜେଲ ଦରରେ ହୋଇଥିବା ବୃଦ୍ଧି କୃଷକମାନଙ୍କୁ ଚିନ୍ତାରେ ପକାଇଛି। ଲକ୍‌ଡାଉନ୍ ପ୍ରଭାବରେ ସେମାନେ ଏମିତି‌ରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଡିଜେଲ୍ କିଣିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ସହରାଞ୍ଚଳରେ ଥିବା ଶହ ଶହ ଆପାର୍ଟମେଣ୍ଟ୍, ମଲ୍‌, କଂପାନିଗୁଡ଼ିକର କାର୍ଯ୍ୟାଳୟ ଆଦିରେ ବିଦ୍ୟୁତ କାଟ ସମୟର ଆବଶ୍ୟକତା ପୂରଣ କରିବା ଲାଗି ଜେନେରେଟରର ବ୍ୟବସ୍ଥା ରହିଛି। ସେହି ‌ଜେନେରେଟରଗୁଡ଼ିକରେ ଡିଜେଲ୍‌କୁ ଇନ୍ଧନ ଭାବେ ବ୍ୟବହାର କରାଯାଉଛି। ମୋବାଇଲ୍ କଂପାନିଗୁଡ଼ିକର ଟାୱାରରେ ମଧ୍ୟ ଅଧିକ ପରିମାଣର ଡିଜେଲ୍ ବ୍ୟବହାର ହେଉଛି। ଡିଜେଲ ଦର ବୃଦ୍ଧି ହୋଇଥିବାରୁ ଯେତେ‌ ସବୁ ସାମଗ୍ରୀ ଟ୍ରେନ୍ ଓ ଟ୍ରକ୍‌ଗୁଡ଼ିକରେ ପରିବହନ ହେଉଛି ତାହା ମହଙ୍ଗା ହେବ। ଆପାର୍ଟମେଣ୍ଟ୍‌ରେ ବାସ କରୁଥିବା ଲୋକମାନଙ୍କୁ ସୋସାଇଟି ଓ ମେଣ୍ଟେନାନ୍ସ ଚାର୍ଜ ପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିଥାଏ। କୃଷକମାନଙ୍କ ପାଇଁ ଟ୍ରାକ୍ଟର, ପାୱାର ଟିଲର୍‌ ଓ ପାଣି ଉଠାଇବା ପମ୍ପ୍‌ର ଭଡ଼ା ବଢ଼ିବ। ଡିଜେଲ୍ ଚାଳିତ କାର୍‌ ଓ ତିନି ଚକିଆ ଗାଡ଼ିରେ ଯିବା ଲାଗି ଅଧିକ ଭଡ଼ା ଗଣିବାକୁ ପଡ଼ିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର