୫ ବର୍ଷରେ ସହରରୁ ହଟିବ ଡିଜେଲ୍ ଜେନେରେଟର

ନୂଆଦିଲ୍ଲୀ: ପ୍ରଦୂଷଣ ହ୍ରାସ କରିବା ଲାଗି ମେଟ୍ରୋ ଓ ଅନ୍ୟ ବଡ଼ ସହରଗୁଡ଼ିକରେ ବ୍ୟବହାର ହେଉଥିବା ଡିଜେଲ୍ ଜେନେରେଟରଗୁଡ଼ିକୁ ସମ୍ପୂର୍ଣ୍ଣ ହଟାଇ ଦିଆଯିବ। ଏନେଇ ନିୟମରେ ଆବଶ୍ୟକ ସଂଶୋଧନ ମଧ୍ୟ କରାଯାଇଛି। ରାଜ୍ୟର ନିୟାମକ ଆୟୋଗ ଏହି ନିୟମ ଯେବେଠାରୁ ଲାଗୁ କରିବେ ତାହାର ପାଞ୍ଚ ବର୍ଷ ଭିତରେ ସମସ୍ତ ଡିଜେଲ ଜେନେରେଟର ବନ୍ଦ କରିବା ଲାଗି ଉଦ୍ୟମ କରାଯିବ। ଡିଜେଲ୍ ଜେନେରେଟର ହଟାଇବା ଲାଗି ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି। ବିଦ୍ୟୁତ ଆବଣ୍ଟନକାରୀ କଂପାନି ବା ଡିସ୍‌କମ୍‌ଗୁଡ଼ିକୁ ମେଟ୍ରୋ ସହର ଓ ୧,୦୦,୦୦୦ରୁ ଅଧିକ ଲୋକ ବାସ କରୁଥିବା ଅନ୍ୟ ସହରଗୁଡ଼ିକରେ ୨୪ ଘଣ୍ଟା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବାକୁ କୁହାଯାଇଛି। ଏହା ହେଲେ ଲୋକମାନେ ଆଉ ଡିଜେଲ୍ ଜେନେରେଟରକୁ ଖୋଜିବେ ନାହିଁ।

ମୁଖ୍ୟତଃ ବିଦ୍ୟୁତ କାଟ ସମୟର ଆବଶ୍ୟକତାକୁ ପୂରଣ କରିବା ଲାଗି ବ୍ୟାକ୍‌ଅପ୍ ଭାବେ ଡିଜେଲ୍ ଜେନେରେଟରକୁ ବ୍ୟବହାର କରାଯାଉଛି। ଅନ୍ୟାନ୍ୟ କେତେକ ସାମୟିକ କାର୍ଯ୍ୟ ପାଇଁ ମଧ୍ୟ ତାହାକୁ ବ୍ୟବହାର କରାଯାଉଛି। ସେହି କାମ ପାଇଁ ୪୮ ଘଣ୍ଟା ଭିତରେ ବିଦ୍ୟୁତ ଯୋଗାଇ ଦେବାକୁ ଡିସ୍‌କମ୍‌ଗୁଡ଼ିକୁ କୁହାଯାଇଛି। ଯେଉଁ ଗ୍ରାହକମାନେ ଏବେ ଡିଜେଲ୍ ଜେନେରେଟର ବ୍ୟବହାର କରୁଛନ୍ତି ସେମାନଙ୍କୁ ଅକ୍ଷୟ ଶକ୍ତିରେ ପରିଚାଳିତ କିଛି ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ସହରାଞ୍ଚଳରେ ମଲ୍‌ଠାରୁ ଆରମ୍ଭ କରି ଆପାର୍ଟମେଣ୍ଟ୍‌, ଦୋକାନ ବଜାର, ଭୋଜିଭାତ ଆୟୋଜନ ହେଉଥିବା ସ୍ଥଳ ଏବଂ ଶିଳ୍ପ ଓ ବାଣିଜ୍ୟିକ ସଂସ୍ଥାଗୁଡ଼ିକର କଳ କାରଖାନା ଓ ଅଫିସରେ ବ୍ୟାକ୍‌ଅପ୍ ଭାବେ ଡିଜେଲ୍ ଜେନେରେଟର ବ୍ୟବହାର କରାଯାଉଛି।

ସମ୍ବନ୍ଧିତ ଖବର