ପେଟ୍ରୋଲ୍ ପମ୍ପ୍‌ରେ ମିଳୁନି ଡିଜେଲ୍‌: ବାକିରେ କଂପାନି ଦେଉନାହାନ୍ତି ତେଲ

ପେମେଣ୍ଟ୍‌ ମିଳିବା ପରେ ତେଲ ଦିଆଯାଉଛି: କଂପାନି ଅଧିକାରୀ

ଭୁବନେଶ୍ବର: ରାଜ୍ୟର ଅଧିକାଂଶ ପେଟ୍ରୋଲ୍ ପମ୍ପ୍‌ରେ ଡିଜେଲ୍‌ ମିଳୁନାହିଁ। କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ଏକାଧିକ ପେଟ୍ରୋଲ୍ ପମ୍ପ୍‌ରେ ସେହି ସମସ୍ୟା। ଲୋକମାନେ ନିଜ ଗାଡ଼ିରେ ଡିଜେଲ୍ ପକାଇବା ଲାଗି ଏ ପେଟ୍ରୋଲ ପମ୍ପ୍‌ରୁ ସେ ପେଟ୍ରୋଲ୍ ପମ୍ପ୍ ଦୌଡ଼ିବା ପରେ ମଧ୍ୟ ନିରାଶ ହେଉଛନ୍ତି। ଡିଜେଲ୍‌କୁ ନେଇ ରାଜ୍ୟରେ ହଠାତ ଏଭଳି ଏକ ବଡ଼ ସମସ୍ୟା ଦେଖାଦେଇଛି। ପରିବହନ ଓ ଗମନାଗମନଠାରୁ ଆରମ୍ଭ କରି କୃଷି, ରିଅଲ ଇଷ୍ଟେଟ୍‌ ଓ ଟେଲିକମ୍ ପର୍ଯ୍ୟନ୍ତ ବହୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଡିଜେଲ୍ ବ୍ୟବହାର ହେଉଛି। ତାହାର ଅଭାବ ରାଜ୍ୟର ଅର୍ଥନୀତିକୁ ଗୁରୁତର ଭାବେ ପ୍ରଭାବିତ କରିବା ଆଶଙ୍କା ରହିଛି।

ଏ ସମ୍ପର୍କରେ ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି ଯେ ଡିଜେଲ୍‌ ଅଭାବ ସବୁ ପେଟ୍ରୋଲ୍ ପମ୍ପ୍‌ର ସମସ୍ୟା ନୁହେଁ। ଏବେ କେବଳ ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ କର୍ପୋରେସନ ଲିମିଟେଡ୍‌ (ଏଚ୍‌ପିସିଏଲ୍‌)ର କିଛି ପେଟ୍ରୋଲ୍ ପମ୍ପ୍‌ରେ ଏହି ସମସ୍ୟା ଦେଖାଦେଇଛି। କଂପାନି ଆଉ ବାକିରେ ତେଲ ଦେଉନାହିଁ। କଂପାନି ଏବେ ଅଗ୍ରୀମ ମାଗୁଛି। ଆଗୁଆ ପେମେଣ୍ଟ୍‌ ନେବା ପରେ ପେଟ୍ରୋଲ୍ ପମ୍ପ୍‌କୁ ତେଲ ପଠାଉଛି। ଯେଉଁ ଛୋଟ ପେଟ୍ରୋଲ୍ ପମ୍ପ୍‌ଗୁଡ଼ିକ ଟଙ୍କା ଯୋଗାଡ଼ କରିପାରୁନାହାନ୍ତି ସେମାନେ ତେଲ କିଣିପାରୁନାହାନ୍ତି। ସେଥିପାଇଁ ସେମାନଙ୍କ ପମ୍ପ୍‌ରେ ଡିଜେଲ୍‌ ମିଳୁନାହିଁ। ଗ୍ରାହକମାନେ କିନ୍ତୁ ଏସମ୍ପର୍କରେ କିଛି ଜାଣନ୍ତି ନାହିଁ। ତେଣୁ ସେମାନଙ୍କର ସବୁ ରୋଷ ପେଟ୍ରୋଲ୍‌ ପମ୍ପ୍‌ ଉପରେ ରହୁଛି। ତେଲ ପକାଇବା ଏକ ଅଭ୍ୟାସ। ଗ୍ରାହକମାନେ ନିଜ ସୁବିଧା ଅନୁସାରେ ନିର୍ଦିଷ୍ଟ କେତେକ ପେଟ୍ରୋଲ୍ ପମ୍ପ୍‌ରେ ତେଲ ପକାଇଥାନ୍ତି। ସେଠାରୁ ଯଦି ସେମାନେ ନିରାଶ ହୁଅନ୍ତି ତେବେ ପେଟ୍ରୋଲ୍‌ ପମ୍ପ୍‌କୁ ଖରାପ ଭାବନ୍ତି ବୋଲି ସେ କହିଛନ୍ତି। ଡିଲରମାନଙ୍କୁ ଅଯଥାରେ ହଇରାଣ ହେବାକୁ ପଡ଼ୁଛି ବୋଲି ସେ କହିଛନ୍ତି।
ଶ୍ରୀ ଲାଠ୍‌ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଆମେ ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ର ଅଧିକାରୀଙ୍କ ସହ ଆଲୋଚନା କରିଛୁ। ସମସ୍ୟାର ତ୍ବରିତ ସମାଧାନ କରିବା ଲାଗି ପ୍ରୟାସ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। କଂପାନିର ବିଶୋଧନାଗାର ପାରାଦୀପରେ ରହିଛି। ସେଠାରୁ ବିଭିନ୍ନ ସ୍ଥାନକୁ ତେଲ ପଠାଯାଉଛି।

ଅନ୍ୟ ପକ୍ଷରେ, ନିକଟରେ ଶିଳ୍ପ ସଂସ୍ଥା ଭଳି ବଡ଼ କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ପାଇଁ ଡିଜେଲ୍‌ର ଲିଟର ପିଛା ଦାମ୍‌ରେ ୨୫ ଟଙ୍କାର ବୃଦ୍ଧି କରାଯାଇଥିଲା। ସେଥିପାଇଁ ଖଣି ଓ ଶିଳ୍ପ ସଂସ୍ଥାଗୁଡ଼ିକର ଅଧିକାଂଶ ଟ୍ରକ୍ କମ୍‌ ଦାମ୍‌ରେ ବାହାରେ ଆସି ତେଲ ପକାଉଥିବା ସନ୍ଦେହ କରାଯାଉଛି। ଚାହିଦା ବଢ଼ିବା ଯୋଗୁଁ ଡିଜେଲ୍ ଶୀଘ୍ର ସରିଯାଉଛି। ଆଉ ଏକ ସମସ୍ୟା ହେଉଛି, ଗତବର୍ଷର ଚାହିଦା ଅନୁସାରେ କଂପାନିଗୁଡ଼ିକ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକୁ ତେଲ ଦେଉଛନ୍ତି। କିନ୍ତୁ ଗତବର୍ଷ କରୋନା ମହାମାରୀର ଦ୍ବିତୀୟ ଲହର ପ୍ରଭାବ ଥିଲା। ସେଥିପାଇଁ କମ୍ ତେଲ ବିକ୍ରି ହୋଇଥିଲା। ଚଳିତ ବର୍ଷ ସ୍ଥିତି ଭଲ ରହିଛି। ଏଭଳି ପରିସ୍ଥିତିରେ ତେଲ କଂପାନିଗୁଡ଼ିକ ପେଟ୍ରୋଲ୍‌ ପମ୍ପ୍‌କୁ ଅଧିକ ତେଲ ଯୋଗାଇ ନଦେବା ଚିନ୍ତାର ବିଷୟ ହୋଇଛି। କିଛି ଦିନ ତେଲ ତେଲେଙ୍ଗାନାରେ ଏଭଳି ସମସ୍ୟା ଦେଖାଦେଇଥିଲା। ସେଠାକାର ରାଜ୍ୟ ସରକାର ହସ୍ତକ୍ଷେପ କରିବା ପରେ ସମସ୍ୟାର ସମାଧାନ ହୋଇଛି। ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ରାଜ୍ୟ ସରକାରଙ୍କୁ ଏଦିଗରେ ହସ୍ତକ୍ଷେପ କରିବାକୁ ପଡ଼ିପାରେ ବୋଲି ଅନୁମାନ କରାଯାଉଛି। ଏହି ସମସ୍ୟା ସମ୍ପର୍କରେ ତୈଳ କଂପାନିର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ କିଛି ପେଟ୍ରୋଲ୍ ପମ୍ପ୍‌ରେ ଡିଜେଲ୍ ଅଭାବ ଥିବା କଥାକୁ ସେ ସ୍ବୀକାର କରିଛନ୍ତି। କିନ୍ତୁ ଏହା ସ୍ପଷ୍ଟ କରିଛନ୍ତି ଯେ ବିତ୍ତୀୟ ଶୃଙ୍ଖଳା ହାସଲ କରିବା ଲାଗି ବାକିରେ ପେଟ୍ରୋଲ୍ ପମ୍ପ୍‌କୁ ତେଲ ବିକ୍ରି ନକରିବାକୁ କଂପାନି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ‌ଯେଉଁମାନେ ପେମେଣ୍ଟ୍‌ କରୁଛନ୍ତି ସେମାନଙ୍କୁ ଠିକ୍ ସମୟରେ ତେଲ ମିଳୁଛି। ଅଗ୍ରୀମ ଦେବା ସତ୍ତ୍ବେ ପେଟ୍ରୋଲ୍ ପମ୍ପ୍ ଡିଜେଲ୍ ପାଉନଥିବା ଅଭିଯୋଗକୁ ସେ ଅସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର