ଡିଜେଲ ୭୦ ଟପିଲା: ପେଟ୍ରୋଲଠାରୁ ଡିଜେଲ ୨୨ ପଇସା ଅଧି

୧୫ ଦିନରେ ବଢ଼ିଲାଣି ସାଢ଼େ ୩ ଟଙ୍କା

ଭୁବନେଶ୍ବର: ଦେଢ଼ ମାସର ବ୍ୟବଧାନ ପରେ ଭୁବନେଶ୍ବରରେ ‌ପୁଣି ଡିଜେଲ ଦର ୭୦ ଟଙ୍କା ଟପିଯାଇଛି। ଭାରତୀୟ ତୈଳ ନିଗମ ପେଟ୍ରୋଲ ପମ୍ପରେ ଡିଜେଲ ଦର ଲିଟର ପିଛା ରବିବାର ୭୦ ଟଙ୍କା ୧୭ ପଇସାରେ ପହଞ୍ଚିଛି। ଗତମାସ ୭ ତାରିଖରେ ଡିଜେଲ ଦର ୭୦ ଟଙ୍କା ୨୩ ପଇସା ରହିଥିଲା। ଏହାପରେ ଡିଜେଲ ଦର ନିମ୍ନମୁଖୀ ହୋଇଥିଲା। ଚଳିତମାସ ୬ ତାରିଖରେ ଏହା ୬୬ ଟଙ୍କା ୬୨ ପଇସାକୁ ଖସି ଆସିଥିଲା। କିନ୍ତୁ ଏହାପରଠାରୁ ‌ଡିଜେଲ ଦର ପ୍ରାୟତଃ ପ୍ରତିଦିନ ବଢ଼ିବାରେ ଲାଗିଛି। ଗତ ୧୫ ଦିନ ମଧ୍ୟରେ ଡିଜେଲ ଦର ୩ ଟଙ୍କା ୫୫ ପଇସା ବଢ଼ିଗଲାଣି। ସେହିଭଳି ପେଟ୍ରୋଲ ଦର ମଧ୍ୟ ଗତ ୧୫ ଦିନ ମଧ୍ୟରେ ୨ ଟଙ୍କା ୬୩ ପଇସା ବଢ଼ିଗଲାଣି। ଚଳିତମାସ ୬ ତାରିଖରେ ଭୁବନେଶ୍ବର ପେଟ୍ରୋଲ ଦର ୬୭ ଟଙ୍କା ୩୨ ପଇସା ଥିବାବେଳେ ରବିବାର ଏହା ୭୦ ଟଙ୍କା ପାଖାପାଖି ଅର୍ଥାତ୍ ୬୯ ଟଙ୍କା ୯୫ ପଇସାରେ ପହଞ୍ଚି ଯାଇଛି। ତେବେ ପେଟ୍ରୋଲ ତୁଳନାରେ ଡିଜେଲ ଦର ବୃଦ୍ଧି ଅଧିକ ମାତ୍ରାରେ ହେଉଥିବାରୁ ଭୁବନେଶ୍ବରରେ ଗତ ୩ ଦିନ ତଳୁ ପେଟ୍ରୋଲ ଦର ତୁଳନାରେ ଡିଜେଲ ଦର ଅଧିକ ହୋଇଯାଇଛି। ସେହି ଧାରା ମଧ୍ୟ ଏବେ ଅବ୍ୟାହତ ରହିଛି। ପେଟ୍ରୋଲ ତୁଳନାରେ ଡିଜେଲ ଦର ଲିଟର ପିଛା ରବିବାର ୨୨ ପଇସା ଅଧିକ ରହିଛି।

ଉଲ୍ଲେଖଯୋଗ୍ୟ‌ ଯେ, ଗତବର୍ଷ ଅକ୍ଟୋବର ୨୦ରେ ଭୁବନେଶ୍ବରରେ ପ୍ରଥମ ଥର ପାଇଁ ପେଟ୍ରୋଲ ତୁଳନାରେ ଡିଜେଲ ଦର ଅଧିକ ହୋଇଯାଇଥିଲା। ଗତ ଅକ୍ଟୋବର ୪ ତାରିଖରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସର୍ବାଧିକ ସ୍ତରରେ ପହଞ୍ଚିଥିଲା। ଭୁବନେଶ୍ବର ମଧ୍ୟ ଏଥିରୁ ବାଦ୍ ପଡ଼ି ନଥିଲା। ଭୁବନେଶ୍ବରରେ ପେଟ୍ରୋଲ ଦର ୮୨ ଟଙ୍କା ୮୧ ପଇସା ଏବଂ ଡିଜେଲ ଦର ୮୦ ଟଙ୍କା ୯୭ ପଇସା ଛୁଇଁବା ସହିତ ରେକର୍ଡ କରିଥିଲା। କିନ୍ତୁ ସେହିଦିନ କେନ୍ଦ୍ର ସରକାର ୨ ଟଙ୍କା ଟିକସ ଛାଡ଼ କରିଥିଲେ। ଫଳରେ ଏହାପରେ ପେଟ୍ରୋଲ ଓ ଡିଜେଲ ଦର କମିବାରେ ଲାଗିଥିଲା। ତେବେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇବା ଫଳରେ ଗତ କିଛିଦିନ ହେଲା ଦେଶରେ ପେଟ୍ରୋଲ, ଡିଜେଲ ଦର ବଢ଼ିବାରେ ଲାଗିଛି। ଏହା ଖାଉଟିଙ୍କୁ ଅସୁବିଧାରେ ପକାଇଛି।

ସମ୍ବନ୍ଧିତ ଖବର