ଭୁବନେଶ୍ୱରରେ ଡିଜେଲ ଦର ଟ. ୬୮ ତଳକୁ ଖସିଲା 

ଭୁବନେଶ୍ୱର :  ଗ୍ରାହକଙ୍କ ପାଇଁ ଖୁସି ଖବର । ଆଜି ଦେଶବ୍ୟାପୀ ପେଟ୍ରୋଲ ଦର ଲିଟର ପିଛା ୧୯-୨୨ ପଇସା ଓ ଡିଜେଲ ୧୪-୧୫  ପଇସା କମିଛି । ଏହି ହ୍ରାସ ଫଳରେ  ଭୁବନେଶ୍ୱରରେ ପେଟ୍ରୋଲ ଦର ଟ.୬୮.୫୫ କୁ ଖସିଆସିଛି ଓ  ଡିଜେଲ ଦର ଟ.୬୮.୧୮ କୁ ହ୍ରାସ ପାଇଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଓଡ଼ିଶାର ମାଲକାନିଗିରି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ଟ.୭୨.୨୮ ଓ ଟ. ୭୧.୮୮ ପଇସା ରହିଛି । ଅନ୍ୟପକ୍ଷରେ ଦିଲ୍ଲୀରେ ପେଟ୍ରୋଲ ଦର ଟ.୬୯.୨୬ ଓ ଡିଜେଲ ଦର ଟ.୬୩.୩୨ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ କୁହାଯାଇଛି ।

ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ସରକାରୀ ନିୟନ୍ତ୍ରଣମୁକ୍ତ ହୋଇଥିବାରୁ ତେଲ ଦର ଉପର ତଳ ହେଉଛି । ଗତ ଅକ୍ଟୋବର ମାସ ପର୍ଯ୍ୟନ୍ତ ଅଶୋଧିତ ତେଲ ଦର ମହଙ୍ଗା ଥିବାରୁ ଦେଶରେ ପେଟ୍ରୋଲ, ଡିଜେଲ ଦର ବଢୁଥିଲା । କିନ୍ତୁ ଏବେ ଅନ୍ତର୍ଜାତୀୟ ବଜାରେ ତେଲଦର କମୁଥିବାରୁ ଦେଶରେ ଦର କମିଚାଲିଛି । ଅବଶ୍ୟ ଅନ୍ତର୍ଜାତୀୟ ବଜାରରେ  ଅତି ଦ୍ରୁତ ଗତିରେ ତେଲ ଦର କମୁଥିବାବେଳେ ଭାରତୀୟ ବଜାରରେ  ତେଲ କମ୍ପାନିମାନେ ସେହି ଅନୁପାତରେ ଦର  କମାଉ ନାହାନ୍ତି । ଅନ୍ତର୍ଜାତୀୟ ବଜାରରେ  ବ୍ରେଣ୍ଟ କ୍ରୁଡ ମୂଲ୍ୟ ୫୩.୪୧ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୩.୧୪ ଡଲାରକୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର