ସାଢ଼େ ୭ ବର୍ଷରେ ଡିଜେଲ୍‌ ଟିକସ ଆକାଶଛୁଆଁ : କେନ୍ଦ୍ର ବଢ଼ାଇଛି ୭୯୩%, ରାଜ୍ୟ ୧୧୦%

ପେଟ୍ରୋଲ୍‌ରେ କେନ୍ଦ୍ର ୨୪୭%, ରାଜ୍ୟ ୯୮% ବଢ଼ାଇଛି

ଭୁବନେଶ୍ବର : କରୋନା ମହାମାରୀ ବ୍ୟାପିବା ପରେ ଜୀବନଜୀବିକା ହରାଇ ଲୋକମାନେ ଆର୍ଥିକ ସ୍ତରରେ ଦୁର୍ବଳ ହୋଇପଡ଼ିଥିବା ଭଳି ଏକ ଗମ୍ଭୀର ସମୟରେ ସରକାର ଲୋକମାନଙ୍କ ଉପରେ ତୈଳ ଦରବୃଦ୍ଧି ବୋଝ ଲଦି ଦେଇଛନ୍ତି। ପ୍ରତିଦିନ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ ଯେଉଁଭଳି ବୃଦ୍ଧି ହେଉଛି ଏବଂ ଯେଉଁ ସ୍ତରରେ ପହଞ୍ଚିଗଲାଣି ତାହା ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପରିବହନକାରୀଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ଚିନ୍ତା ବଢ଼ାଇ ଦେଇଛି। ଯେହେତୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କିଛି ଦିନ ତଳେ ସ୍ପଷ୍ଟ କରିଛନ୍ତି ଯେ ପେଟ୍ରୋଲ୍ କିମ୍ବା ଡିଜେଲ୍‌ ଉପରୁ ଟିକସ ହ୍ରାସ କରିବାର କୌଣସି ଯୋଜନା ନାହିଁ ତେଣୁ ନିକଟ ଭବିଷ୍ୟତରେ ଯେ ଏହି ଦୁଇ ପ୍ରକାର ତେଲ ଦାମ୍ କମିବନି ତାହା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।

ଏକ ହିସାବରୁ ଜଣାପଡ଼ିଛି ଯେ ୨୦୧୪, ଯେଉଁ ବର୍ଷ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ଶାସନ ଭାର ଗ୍ରହଣ କରିଥିଲେ ସେହିବର୍ଷର ଏପ୍ରିଲ୍ ୨ ତାରିଖରୁ ୨୦୨୧ ଫେବ୍ରୁଆରି ୧୫ (ପ୍ରାୟ ୭ ବର୍ଷ ୯ ମାସ) ଭିତରେ ପେଟ୍ରୋଲ୍‌ ଉପରେ ଲାଗିଥିବା ଟିକସ ୧୬୮.୨୯% ଓ ଡିଜେଲ୍‌ରେ ୩୦୭% ବଢ଼ିଛି। ଟଙ୍କା ହିସାବରେ ଏକ ଲିଟର ପେଟ୍ରୋଲ୍‌ରେ ଟିକସ ୩୩ ଟଙ୍କା ୭୬ ପଇସା ଓ ଡିଜେଲ୍‌ରେ ୩୭ ଟଙ୍କା ୮୯ ପଇସା ବଢ଼ିଛି। ସେଥିପାଇଁ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ଭିତରେ ପୂର୍ବରୁ ଯେଉଁ ବଡ଼ ଧରଣର ଅନ୍ତର ଥିଲା ତାହା ଦୂର ହୋଇଛି। ୨୦୧୪ ଏପ୍ରିଲ୍‌୨ରେ ଏକ ଲିଟର ପେଟ୍ରୋଲ୍‌ରେ କେନ୍ଦ୍ର ସରକାରଙ୍କ ଟିକସ ପରିମାଣ ମାତ୍ର ୯ ଟଙ୍କା ୪୭ ପଇସା ଥିଲା। ୨୦୨୧ ଫେବ୍ରୁଆରି ୧୫ ସୁଦ୍ଧା ତାହା ୩୨ ଟଙ୍କା ୯୦ ପଇସାକୁ ବୃଦ୍ଧି ପାଇଛି। ସେହିପରି ଡିଜେଲ୍‌ରେ କେନ୍ଦ୍ର ଟିକସ ୩ ଟଙ୍କା ୫୬ ପଇସା ଥିଲା ଯାହା ଏବେ ୩୧ ଟଙ୍କା ୮୦ ପଇସା ଭଳି ସ୍ତରରେ ପହଞ୍ଚିଛି। ସେହିପରି, ୨୦୧୪ ଏପ୍ରିଲ୍ ୨ରେ ଏକ ଲିଟର ପେଟ୍ରୋଲ୍ ଉପରେ ରାଜ୍ୟ ସରକାର ୧୦.୫୯ ଟଙ୍କାର ଟିକସ ଲଗାଇଥିଲେ ଯାହା ଏବେ ୨୦ ଟଙ୍କା ୯୨ ପଇସାରେ ପହଞ୍ଚିଛି। ଡିଜେଲ୍‌ରେ ରାଜ୍ୟ ସରକାରଙ୍କ ଟିକସ ପରିମାଣ ୮ ଟଙ୍କା ୭୮ ପଇସାରୁ ବୃଦ୍ଧି ପାଇ ୧୮ ଟଙ୍କା ୪୩ ପଇସାରେ ପହଞ୍ଚିଛି। ତେବେ ତେଲ ଉପରେ ଟିକସ ବଢ଼ାଇବାରେ ‌ରାଜ୍ୟ ଠାରୁ କେନ୍ଦ୍ର ସରକାର ବହୁ ଆଗରେ ରହିଛନ୍ତି। ୨୦୧୪ ଏପ୍ରିଲ୍‌ ୨ ପରଠାରୁ ପେଟ୍ରୋଲ୍‌ରେ କେନ୍ଦ୍ରର ଟିକସ ୨୪୭.୪୧% ବୃଦ୍ଧି ପାଇଥିବା ବେଳେ ଡିଜେଲ୍‌ରେ ତାହା ୭୯୩% ବଢ଼ିଛି। ଏହି ସମୟରେ ରାଜ୍ୟ ସରକାର ପେଟ୍ରୋଲ୍ ଉପରେ ଲଗାଇଥିବା ଟିକସ ୯୭.୫୪% ଓ ଡିଜେଲ୍‌ରେ ୧୦୯.୩୧% ବଢ଼ିଛି।

ଆଜି (ଫେବ୍ରୁ୍ଆରି ୧୫) ଭୁବନେଶ୍ବରରେ ପେଟ୍ରୋଲ୍ ଦାମ୍ ୮୯ ଟଙ୍କା ୬୯ ପଇସା ଓ ଡିଜେଲ ଦର ୮୬ ଟଙ୍କା ୪୭ ପଇସା ରହିଛି। ଏକ ଲିଟର ପେଟ୍ରୋଲ୍‌ରୁ କେନ୍ଦ୍ର ସରକାର ୩୨ ଟଙ୍କା ୯୦ ପଇସା ଓ ଡିଜେଲ୍‌ରୁ ୩୧ ଟଙ୍କା ୮୦ ପଇସା ଆୟ କରୁଛନ୍ତି। ସେହି ସମୟରେ ରାଜ୍ୟ ସରକାର ପେଟ୍ରୋଲ୍‌ରୁ ୨୦ ଟଙ୍କା ୯୨ ପଇସା ଓ ଡିଜେଲ୍‌ରୁ ୧୮ ଟଙ୍କା ୪୩ ପଇସା ଆୟ କରୁଛନ୍ତି। ଗ୍ରାହକମାନେ ଏକ ଲିଟର ପେଟ୍ରୋଲ୍ କିଣିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମୋଟ ୫୩ ଟଙ୍କା ୮୨ ପଇସାର ଟିକସ ଗଣୁଥିବା ବେଳେ ଡିଜେଲ୍‌ରେ ୫୦ ଟଙ୍କା ୨୩ ପଇସାର ଟିକସ ଦେଉଛନ୍ତି। ପେ‌ଟ୍ରୋଲ୍‌ରୁ କେନ୍ଦ୍ର ସରକାର ୧ ଟଙ୍କା ୪୦ ପଇସାର ଉତ୍ପାଦନ ଶୁଳ୍କ, ୧୧ ଟଙ୍କାର ଅତିରିକ୍ତ ଉତ୍ପାଦନ ଶୁଳ୍କ, ୧୮ ଟଙ୍କାର ଭିତ୍ତିଭୂମି ସେସ୍‌ ଓ ଅଢ଼େଇ ଟଙ୍କାର କୃଷି ଭିତ୍ତିଭୂମି ବିକାଶ ସେସ୍‌ ଅସୁଲ କରୁଛନ୍ତି। ସେହିପରି, ଡିଜେଲ୍‌ରୁ କେନ୍ଦ୍ର ସରକାର ୧ ଟଙ୍କା ୮୦ ପଇସାର ଉତ୍ପାଦନ ଶୁଳ୍କ, ୮ ଟଙ୍କାର ଅତିରିକ୍ତ ଉତ୍ପାଦନ ଶୁଳ୍କ, ୧୮ ଟଙ୍କାର ଭିତ୍ତିଭୂମି ସେସ୍‌ ଓ ୪ ଟଙ୍କାର କୃଷି ଭିତ୍ତିଭୂମି ବିକାଶ ସେସ୍‌ ଆଦାୟ କରୁଛନ୍ତି। ରାଜ୍ୟ ସରକାର ଉଭୟ ତେଲ ଉପରେ ୩୨% ହାରରେ ଭାଟ୍ ଲଗାଇଛନ୍ତି। କେନ୍ଦ୍ର ଆଦାୟ କରୁଥିବା ସେସ୍‌ରୁ ଓଡ଼ିଶା ଟଙ୍କାଟିଏ ମଧ୍ୟ ପାଇବ ନାହିଁ। ଏକ ହିସାବରୁ ଜଣାପଡ଼ିଛି ଯେ ଯଦି କେନ୍ଦ୍ର ସରକାର ଭିତ୍ତିଭୂମି ସେସ୍‌ରେ ୧୦ ଟଙ୍କା ହ୍ରାସ କରିବେ ତେବେ ପେଟ୍ରୋଲ୍‌ ଦାମ୍ ୧୩ ଟଙ୍କା ୨୦ ପଇସା ଓ ଡିଜେଲ୍ ଦାମ୍ ୧୨ ଟଙ୍କା ୮୦ ପଇସା ହ୍ରାସ ପାଇବ। ରାଜସ୍ବ ହାନି ଭୟରେ କେନ୍ଦ୍ର କିମ୍ବା‌ ରାଜ୍ୟ ସରକାର କେହି ଟିକସ ହ୍ରାସ କରିବାକୁ ଚାହୁନାହାନ୍ତି। ଯେହେତୁ ତେଲ କଂପାନିଗୁଡ଼ିକୁ ଦର ନିର୍ଧାରଣ କରିବାର ସ୍ବାଧୀନତା ଦିଆଯାଇଛି ତେଣୁ ସେମାନେ ପ୍ରତିଦିନ ତୈଳ ଦର ପରିବର୍ତ୍ତନ କରୁଛନ୍ତି। ମଧ୍ୟପ୍ରାଚ୍ୟ ରାଷ୍ଟ୍ରରେ ସମସ୍ୟା ଲାଗି ରହିଥିବାରୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୬୩ ଡଲାରରୁ ଅଧିକ ସ୍ତରରେ ପହଞ୍ଚିଗଲାଣି। ପ୍ରତିଦିନ ଏହି ଦାମ୍ ବଢ଼ୁଛି। ଅନ୍ୟ ପକ୍ଷରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ମଧ୍ୟ ୭୩ ଡଲାର ପାଖାପାଖି ରହିଛି। ଏହି ଦୁଇ ପ୍ରସଙ୍ଗ ବିଚାରକୁ ନିଆଯାଉଥିବାରୁ କଂପାନିଗୁଡ଼ିକ ପ୍ରତିଦିନ ଦର ବଢ଼ାଇବାକୁ ବାଧ୍ୟ ହେଉଛନ୍ତି।

ସହୁଛନ୍ତି ଗ୍ରାହକ
୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ବେଳେ ପେଟ୍ରୋଲ୍ ଦାମ୍ ୭୧ ଟଙ୍କା ଥିଲା। ଏବେ ତାହା କେତେକ ସ୍ଥାନରେ ୯୦ ଟଙ୍କା ଟପିଲାଣି। ସେହିପରି ଡିଜେଲ୍ ଦାମ୍ ୫୭ ଟଙ୍କା ଥିଲା ଯାହା ଏବେ ୮୫ ଟଙ୍କା ଟପିଗଲାଣି। ପେଟ୍ରୋଲ୍ ଓ ପିଆଜ ଦାମ୍ ଭାରତରେ ରାଜନୈତିକ ଦୃଷ୍ଟିରୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ। କିନ୍ତୁ ‌ଏବେ ତୈଳ ଦର ଆକାଶଛୁଆଁ ସ୍ତରରେ ପହଞ୍ଚିଥିବା ବେଳେ ଏହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ସେଭଳି କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳୁନାହିଁ। କଂଗ୍ରେସ କ୍ଷମତା ହରାଇବାର ଏକ ପ୍ରମୁଖ କାରଣ ଥିଲା ତୈଳ ଦରବୃଦ୍ଧି। କିନ୍ତୁ ଏହା ପରେ ଶାସନ ଗାଦି ସମ୍ଭାଳିଥିବା ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ତେଲ ଦର ଏତେ ବଢ଼ାଉଥିଲେ ମଧ୍ୟ ଗ୍ରାହକମାନଙ୍କ ମଧ୍ୟରେ ଏକ ଅବିଶ୍ବସନୀୟ ନିରବତା ରହିଛି। କେହି ଏହା ବିରୋଧରେ ମୁହଁ ଖୋଲୁନାହାନ୍ତି। ଗଣମାଧ୍ୟମରେ ଏହି ପ୍ରସଙ୍ଗକୁ ଯାହା କିଛି ପ୍ରଦର୍ଶିତ କରାଯାଉନଥିବା ବେଳେ ବିରୋଧୀ ଦଳଗୁଡ଼ିକ ଏହାକୁ ସରକାରଙ୍କ ବିରୋଧରେ ପ୍ରମୁଖ ଅସ୍ତ୍ର କରିବାରେ ବିଫଳ ହୋଇଛନ୍ତି। ଉପା ସରକାରଙ୍କ ଅମଳରେ ବିଜେପି ବିରୋଧୀ ଦଳ ଆସନରେ ଥିବା ବେଳେ ଦରବୃଦ୍ଧି ପ୍ରସଙ୍ଗକୁ ସଫଳତାର ସହ ଏକ ଆନ୍ଦୋଳନରେ ପରିଣତ କରିପାରିଥିଲା। ଭାରତ ବନ୍ଦ, ଜେଲ୍ ଭରୋ ଓ ସର୍ବଭାରତୀୟ ବିକ୍ଷୋଭ ପ୍ରଦର୍ଶନ ଭଳି ବଡ଼ ଧରଣର ପଦକ୍ଷେପ ନେଇଥିଲା। ୨୦୧୦ରେ ଦରବୃଦ୍ଧି ବିରୋଧରେ ହୋଇଥିବା ଭାରତ ବନ୍ଦ ଆନ୍ତର୍ଜାତିକ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା। ସେହି ସମୟରେ ପ୍ରତିବାଦ ଏତେ ପ୍ରଭାବଶାଳୀ ରହୁଥିଲା ଯେ କଂଗ୍ରେସ ଦଳ ତେଲ ଉପ‌ରୁ ସବ୍‌ସିଡି ଉଚ୍ଛେଦ କରିବା ଲାଗି ନେଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିଥିଲା। ଏବେ କିନ୍ତୁ ବିରୋଧୀ ଦଳ ତୈଳ ଦରବୃଦ୍ଧିକୁ ଏ‌କ ବଡ଼ ପ୍ରସଙ୍ଗ ଭାବେ ଉପସ୍ଥାପନ କରିବାରେ ସଫଳ ହୋଇନାହାନ୍ତି। ସରକାରଙ୍କ ଉପରେ ଆବଶ୍ୟକ ଚାପ ସୃଷ୍ଟି କରିପାରୁନାହାନ୍ତି। ନାଗରିକ ସମାଜର ଅବିଶ୍ବସନୀୟ ନିରବତା ମଧ୍ୟ ତୈଳ ଦରବୃଦ୍ଧି ପାଇଁ ଦରକାର ହେଉଥିବା ଆନ୍ଦୋଳନକୁ ଆଗକୁ ବଢ଼ାଇପାରୁନାହିଁ। ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ାଇ ରାଜକୋଷକୁ ଅଧିକ ଟିକସ ଆଣିବାରେ କେନ୍ଦ୍ର ସରକାର ଏକପ୍ରକାର ବିଫଳ ହୋଇଥିବାରୁ ପେଟ୍ରୋଲ୍ ଓ ଡିଜେଲ୍‌ରେ ଟିକସ ବଢ଼ାଇ ରାଜସ୍ବ ହାସଲ କରିବା କେନ୍ଦ୍ର ସରକାର ଏକ ସହଜ ଉପାୟରେ ପରିଣତ ହୋଇଛି।

ସମ୍ବନ୍ଧିତ ଖବର