ସେପ୍ଟେମ୍ବରରୁ କାର୍‌, ବାଇକ୍ ପାଇଁ ପୃଥକ ଓଡି ବୀମା

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ପହିଲାରୁ ନୂଆ ଓ ପୁରୁଣା କାର୍‌ ଓ ଦୁଇ ଚକିଆ ଯାନ ପାଇଁ ପୃଥକ ‘ଓନ୍ ଡ୍ୟାମେଜ୍’ (ଓଡି) ବୀମା ପଲିସି ଉପଲବ୍ଧ ହେବ। ଏହି ବୀମା ସମ୍ପୂର୍ଣ୍ଣ ରୂପେ ସ୍ବେଚ୍ଛାଧୀନ ରହିବ। ଭୂମିକମ୍ପ, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓ ଗଣ୍ଡଗୋଳ କିମ୍ବା ଦଙ୍ଗା ଭଳି ଘଟଣାରେ ଏହା ଗାଡ଼ିକୁ ବୀମା ସୁରକ୍ଷା ପ୍ରଦାନ କରିବ। ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ପକ୍ଷରୁ ଏ ନେଇ ଏକ ନୂତନ ସର୍କୁଲାର ଜାରି କରାଯାଇଛି। ସେପ୍ଟେମ୍ବରରୁ ଓଡି ବୀମାକୁ ପୃଥକ ଭାବେ ବିକ୍ରି କରିବାକୁ ବୀମା କଂପାନିଗୁଡ଼ିକୁ ନିର୍ଦେଶ ଦିଆଯାଇଛି। ଏଥି ସହିତ କାର୍‌ ଓ ଦୁଇ ଚକିଆ ଯାନ ପାଇଁ ବଣ୍ଡଲଡ୍‌ ବୀମା ପଲିସିକୁ ସ୍ବେଚ୍ଛାଧୀନ କରାଯାଇଛି। ପୂର୍ବରୁ ଏହା ବାଧ୍ୟତାମୂଳକ ଥିଲା। ଅଗ୍ନିକାଣ୍ଡ ଓ ଚୋରି ଆଦି ଘଟଣା ପାଇଁ ମଧ୍ୟ ପୃଥକ ଓଡି ବୀମା ଉପଲବ୍ଧ କରାଇବାକୁ ବୀମା କଂପାନିଗୁଡ଼ିକୁ କୁହାଯାଇଛି।ତୃତୀୟ ପକ୍ଷ ବୀମା ଓ ପୃଥକ ବୀମା ବ୍ୟତୀତ ବୀମା କଂପାନିଗୁଡ଼ିକ ବିଭିନ୍ନ ପଲିସିର ସୁବିଧା ଥିବା ପ୍ୟାକେଜ୍ ମଧ୍ୟ ପ୍ରଦାନ କରିପାରିବେ। ତେବେ କଂପାନିଗୁଡ଼ିକ କୌଣସି ପରିସ୍ଥିତିରେ ଦୀର୍ଘମିଆଦୀ ଓଡି ପଲିସି ବିକ୍ରି କରିପାରିବେ ନାହିଁ। ପ୍ରତିବର୍ଷ ଓଡି ପଲିସିର ନବୀକରଣ କରିବାକୁ ହେବ। ଯେଉଁଗାଡ଼ିଗୁଡ଼ିକର ତୃତୀୟ ପକ୍ଷ ବୀମା ଥିବ ‌କେବଳ ସେହି ଗାଡ଼ିଗୁଡ଼ିକ ପାଇଁ ଓଡି ପଲିସି କିଣାଯାଇପାରିବ। ଅନ୍ୟଥା, ତୃତୀୟ ପକ୍ଷ ବୀମା ଓ ଓଡି ପଲିସିକୁ ଏକସଙ୍ଗେ କିଣାଯାଇପାରିବ।

ସମ୍ବନ୍ଧିତ ଖବର