ଡିଜିଟାଲ୍ ମୁଦ୍ରା ଆଶୀର୍ବାଦ ନା ଅଭିଶାପ

କେବଳ ଭାରତ ନୁହେଁ ସାରା ବିଶ୍ବରେ କ୍ରିପ୍ଟୋକରେନ୍ସିର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଲୋକମାନେ ଜିନିଷ କିଣିବା, ସେବା ହାସଲ କରିବା ପାଇଁ ଦେୟ ପଇଠ କରିବାରେ ତାହାକୁ ବ୍ୟବହାର କରୁଛନ୍ତି। କ୍ରିପ୍ଟୋ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ନିର୍ଦ୍ଦିଷ୍ଟ ବର୍ଗର ଲୋକ ସେଥିରୁ ଫାଇଦା ଉଠାଇବା ଲାଗି ମ୍ୟୁଚୁଆଲ୍ ଫଣ୍ଡ୍ କିମ୍ବା ସେୟାର ଭଳି କ୍ରିପ୍ଟୋରେ ନିବେଶ ମଧ୍ୟ କରୁଛନ୍ତି। ଭାରତରେ ମଧ୍ୟ ଏହି ବ୍ୟବସ୍ଥାର ପ୍ରତିଫଳନ ରହିଛି। ଏଥର ବଜେଟ୍‌ରେ କ୍ରିପ୍ଟୋରୁ ହେଉଥିବା ଆୟ ଉପରେ ସରକାର ୩୦ ପ୍ରତିଶତ ଚଢ଼ା ଟିକସ ଲଗାଇଥିବା ବେଳେ କାରବାର ଉପରେ ୧ ପ୍ରତିଶତ ଟିଡିଏସ୍ ଲଗାଇଛନ୍ତି। ତଥାପି ଦେଶରେ କ୍ରିପ୍ଟୋର ଭବିଷ୍ୟତ କ’ଣ ତାହା ସ୍ପଷ୍ଟ ହୋଇପାରୁନାହିଁ। ପ୍ରତିଦିନ ଏହାକୁ ନେଇ ନୂଆ ନୂଆ ଖବର ଆସୁଛି। ବିଶ୍ବର କୌଣସି ବଡ଼ ଦେଶ କ୍ରିପ୍ଟୋକରେନ୍ସିକୁ ଆଇନଗତ ମାନ୍ୟତା ଦେବାକୁ ଚାହୁନାହାନ୍ତି। ଭାରତ ସେହିଭଳି ଦେଶ ମଧ୍ୟରୁ ଅନ୍ୟତମ। ଏଠାରେ କ୍ରିପ୍ଟୋକରେନ୍ସିକୁ ପ୍ରଥମେ ନିଷିଦ୍ଧ କରାଯାଇଥିଲା। ସୁପ୍ରିମ‌୍‌କୋର୍ଟଙ୍କ ହସ୍ତକ୍ଷେପ ପରେ ସେହି କଟକଣା ହଟିଥିଲା। ଏହା ପରେ ଛତୁ ଫୁଟିବା ଭଳି କ୍ରିପ୍ଟୋକରେନ୍ସି ଦେଶରେ ପ୍ରଚଳନ ହୋଇଛି। କିନ୍ତୁ ସେଗୁଡ଼ିକର ଭବିଷ୍ୟତ କ’ଣ ତାହା ଏବେବି ଅସ୍ପଷ୍ଟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ପରେ ସରକାର କ୍ରିପ୍ଟୋକରେନ୍ସି ବିଲ୍ ତିଆରି କରିଛନ୍ତି, କିନ୍ତୁ ତାହାକୁ ସଂସଦରେ ଉପସ୍ଥାପନ କରାଯାଇନାହିଁ। ଏହାର ରୂପରେଖ କ’ଣ? ସେଥିରେ କ’ଣ ବ୍ୟବସ୍ଥା ରହିଛି ତାହା ଜଣାପଡୁନାହିଁ। କ୍ରିପ୍ଟୋକରେନ୍ସିକୁ ନେଇ ସରକାର ଏପର୍ଯ୍ୟନ୍ତ ନିଜ ମନ ସ୍ଥିର କରିପାରୁନାହାନ୍ତି। ଲୋକମାନେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ କ୍ରିପ୍ଟୋ କାରବାରକୁ ନିଷିଦ୍ଧ କରିବାକୁ ରିଜର୍ଭ ବ୍ୟାଙ୍କ ବାରମ୍ବାର ଚାପ ପକାଉଛି। ସବୁ ଦିଗକୁ ବିଚାରକୁ ନେଇ ସରକାର କେବଳ ସ୍ଥିତି ଉପରେ ନଜର ରଖିବା ବ୍ୟତୀତ ଆଉ କିଛି ପଦକ୍ଷେପ ନେଉନାହାନ୍ତି।

କ୍ରିପ୍ଟୋକରେନ୍ସି କ’ଣ?
କ୍ରିପ୍ଟୋକରେନ୍ସି ହେଉଛି ଏକ ଡିଜିଟାଲ୍ ମୁଦ୍ରା। ଏହା ଅଦୃଶ୍ୟ। ଏହାକୁ ସ୍ପର୍ଶ କରାଯାଇପାରିବ ନାହିଁ। କାଗଜ ନୋଟ୍ ଭଳି ତାହାର କୌଣସି ରୂପ ନାହିଁ। କେବଳ ଡିଜିଟାଲ୍ ବ୍ୟବସ୍ଥାରେ ତାହାକୁ ବ୍ୟବହାର କରାଯାଉଛି। ନୋଟ୍ ଭଳି ଏହା ବ୍ୟୟବହୁଳ ନୁହେଁ। ଏହାକୁ ଛପାଇ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପଡୁନାହିଁ। ନୋଟ୍ କାରବାରରେ ଲାଗୁ ଥିବା ବିଭିନ୍ନ ପ୍ରକାର ଶୁଳ୍କ ମଧ୍ୟ ଗଣିବାକୁ ପଡୁନାହିଁ। ସେଥିପାଇଁ ଲୋକଙ୍କ ମଧ୍ୟରେ ଡିଜିଟାଲ୍ ମୁଦ୍ରା ବେଶ୍‌ ଲୋକପ୍ରିୟ ହୋଇପାରିଛି। କ୍ରିପ୍ଟୋ ଏନ୍‌କ୍ରିପ୍‌ଟେଡ୍ ହୋଇ ରହୁଥିବାରୁ ତାହାକୁ ଚୋରି କରିବା କିମ୍ବା ତାହାର ନକଲ କରିବା ପ୍ରାୟ ଅସମ୍ଭବ। କ୍ରିପ୍ଟୋକରେନ୍ସି ହେଉଛି ଏକ କମ୍ପ୍ୟୁଟର କୋଡ୍ ଯାହା ଜଟିଳ କ୍ରିପ୍ଟୋଗ୍ରାଫି ବ୍ୟବହାର କରି ପ୍ରସ୍ତୁତ କରାଯାଏ। ସେହି କୋଡ୍‌କୁ କାରବାର ଲାଗି ବ୍ୟବହାର କରାଯାଏ। କ୍ରିପ୍ଟୋକରେନ୍ସି କାରବାର ଲାଗି ବ୍ଲକ୍‌ଚେନ୍ ପ୍ରଯୁକ୍ତି ବ୍ୟବହାର କରାଯାଉଛି। ଏଥିରେ କାରବାରର ପ୍ରତିଟି ରେକର୍ଡ ରହିଥାଏ। ସାଧାରଣ ଭାଷାରେ କହିଲେ ବ୍ଲକ୍‌ଚେନ୍ ହେଉଛି ଏକ ହିସାବ ଖାତା। ଖାତାର ପ୍ରତିଟି ପୃଷ୍ଠା ହେଉଛି ବ୍ଲକ୍। ପ୍ରତି ପୃଷ୍ଠାକୁ ଯୋଡ଼ି ତାହାକୁ ଏକ ଖାତାରେ ପରିଣତ କରାଯାଇଛି। ତାହା ହେଉଛି ଶୃଙ୍ଖଳ ବା ଚେନ୍। ସେଥିପାଇଁ ଏହି ପ୍ରଯୁକ୍ତିକୁ ବ୍ଲକ୍‌ଚେନ୍ କୁହାଯାଉଛି। କ୍ରିପ୍ଟୋକରେନ୍ସି କାରବାର ମୁଖ୍ୟତଃ ଏହି ପ୍ରଯୁକ୍ତି ଜ୍ଞାନକୌଶଳ ଉପରେ ପର୍ଯ୍ୟବେସିତ। ବିଶ୍ବର ପ୍ରଥମ ଓ ସବୁଠୁ ଚର୍ଚ୍ଚିତ କ୍ରିପ୍ଟୋକରେନ୍ସି ହେଉଛି ବିଟ୍‌କଏନ୍। ଏହାର ସ୍ରଷ୍ଟା କିଏ ଆଜି ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଜାପାନର ସାତୋସୀ ନାକାମୋଟୋଙ୍କୁ ଏହାର ସ୍ରଷ୍ଟା ବୋଲି ବିଚାର କରାଯାଉଛି। ତାଙ୍କୁ ଆଜି ପର୍ଯ୍ୟନ୍ତ କେହି ଦେଖିନାହାନ୍ତି। ସେ ନିଜର ପରିଚୟ ଦେଇ ସାମ୍ନାକୁ ମଧ୍ୟ ଆସୁନାହାନ୍ତି। ସାରା ବିଶ୍ବରେ ୮୫୦୦ରୁ ଅଧିକ ପ୍ରକାରର କ୍ରିପ୍ଟୋକରେନ୍ସି ପ୍ରଚଳିତ ହେଉଛି। ବିଟ୍‌କଏନ୍ ବ୍ୟତୀତ ଏଥେରିଅମ୍, ଡୋଜ୍‌କଏନ୍, ବିନାନ୍ସ କଏନ୍, ଟିଥର୍, ସୋଲାନା ହେଉଛି କିଛି ଚର୍ଚ୍ଚିତ ଓ ବହୁଳ ଭାବେ ବ୍ୟବହାର ହେଉଥିବା କ୍ରିପ୍ଟୋକରେନ୍ସି। ବିଶ୍ବ କ୍ରିପ୍ଟୋକରେନ୍ସି ବଜାରର ୯୦ ପ୍ରତିଶତ ଭାଗ ବିଟ୍‌କଏନ୍ ନିୟନ୍ତ୍ରଣରେ ରହିଛି। ୨ ପ୍ରତିଶତ ନିବେଶକଙ୍କ ପାଖରେ ୯୫ ପ୍ରତିଶତ ବିଟ୍‌କଏନ୍ ରହିଛି। ଆମେରିକାର ଇଲେକ୍ଟ୍ରିକ୍ କାର୍ ନିର୍ମାତା ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କ ହେଉଛନ୍ତି କ୍ରିପ୍ଟୋକରେନ୍ସିର ଜଣେ ବଡ଼ ସମର୍ଥକ।

ପ୍ରଥମେ ନିଷିଦ୍ଧ, ଏବେ ସ୍ଥିତି ଅସ୍ପଷ୍ଟ
ଭାରତରେ ୨୦୧୬ରେ କ୍ରିପ୍ଟୋ କାରବାରକୁ ନିଷିଦ୍ଧ ଘୋଷଣା କରାଯାଇଥିଲା। ୨୦୨୦ ମାର୍ଚ୍ଚରେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ସେହି କଟକଣା ହଟିଥିଲା। ଏହା ପରେ ବହୁ ଘରୋଇ ସଂସ୍ଥା କ୍ରିପ୍ଟୋକରେନ୍ସି ବିକଶିତ କରି ତାହାର ପ୍ରଚାର କରୁଛନ୍ତି। ସରକାର କିମ୍ବା ରିଜର୍ଭ ବ୍ୟାଙ୍କ କେହି ସେଗୁଡ଼ିକୁ ଆଇନଗତ ମାନ୍ୟତା ଦେବାକୁ ଚାହୁନାହାନ୍ତି। ଭବିଷ୍ୟତରେ ନିଶ୍ଚିତ ରୂପେ ସେଗୁଡ଼ିକୁ ଆଇନଗତ ମାନ୍ୟତା ମିଳିବ ବୋଲି ବ୍ୟବହାରକାରୀମାନେ ଭାବୁଛନ୍ତି। ସମସ୍ତେ ବିଶ୍ବସ୍ତରରେ କ୍ରିପ୍ଟୋ ବଜାରରେ ଘଟୁଥିବା ଘଟଣା ଉପରେ ନଜର ରଖିଛନ୍ତି। କେନ୍ଦ୍ର ସରକାର କ୍ରିପ୍ଟୋକରେନ୍ସିଗୁଡ଼ିକୁ ନିୟନ୍ତ୍ରଣ କରିବା ଲାଗି ୨୦୧୯ରେ ଏକ ବିଲ୍ ପ୍ରସ୍ତୁତ କରିଥିଲେ। ତାହାର ଏକ ସଂଶୋଧିତ ରୂପ ୨୦୨୧ରେ ତିଆରି କରାଯାଇଥିଲା। କିନ୍ତୁ ସଂସଦରେ ସେହି ବିଲ୍‌ ଉପସ୍ଥାପନ କରାଯାଇନାହିଁ। ଏହି ପ୍ରସଙ୍ଗରେ ସରକାର ଓ ରିଜର୍ଭ ବ୍ୟାଙ୍କ ପରସ୍ପର ସହ ଯୋଗାଯୋଗରେ ରହି କାମ କରୁଛନ୍ତି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଅର୍ଥମନ୍ତ୍ରୀ ଏକଥା କହିଛନ୍ତି ଯେ ସେ ଏହି କାରବାରରେ ଆୟ ଅର୍ଥକୁ ଟିକସ ପରିସରକୁ ଆଣିବାକୁ ଚାହିଥିଲେ, ଏହାର ଅର୍ଥ କ୍ରିପ୍ଟୋକୁ ମାନ୍ୟତା ଦେବା ନୁହେଁ।

The New Indian Express

 

ଶକ୍ତିକାନ୍ତଙ୍କ ଦୃଢ଼ ବିରୋଧ
ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କ୍ରିପ୍ଟୋକରେନ୍ସିକୁ ଆରମ୍ଭରୁ ଦୃଢ଼ ବିରୋଧ କରୁଛନ୍ତି। ବିମୁଦ୍ରୀକରଣ ଯୋଜନାକୁ କାର୍ଯ୍ୟକାରୀ କରି ପୁରସ୍କାର ସ୍ବରୂପ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ପଦ ପାଇଥିବା ଶକ୍ତିକାନ୍ତ ଯେ କ୍ରିପ୍ଟୋକୁ ଏଭଳି ବିରୋଧ କରିବେ ତାହା ଅନେକ ବିଶ୍ବାସ କରିପାରୁନାହାନ୍ତି। ସେ ଯେଉଁ ଆଭିମୁଖ୍ୟ ଗ୍ରହଣ କରିଛନ୍ତି ତାହା ସରକାରଙ୍କୁ ଅଡୁଆରେ ପକାଇଛି। ଶକ୍ତିକାନ୍ତ କହୁଛନ୍ତି ଯେ ଯେହେତୁ କ୍ରିପ୍ଟୋ କାହାର ନିୟନ୍ତ୍ରଣରେ ନାହିଁ ତାହା ଦେଶର ଆର୍ଥିକ ସ୍ଥିରତା ପ୍ରତି ବିପଦ। ଦରଦାମ୍ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ପାଖରେ ଯେଉଁ ଅସ୍ତ୍ର ରହିଛି ତାହାକୁ କ୍ରିପ୍ଟୋ ଅକାମି କରିଦେବ। ଟିକସ ଠକେଇ, ମନି ଲଣ୍ଡରିଂ ଓ ସନ୍ତ୍ରାସବାଦ କାର୍ଯ୍ୟକଳାପ ଲାଗି ଏହା ଜରିଆରେ ସୁବିଧାରେ ପାଣ୍ଠି ଯୋଗାଇ ହେବ। ଦେଶର ନିରାପତ୍ତା ପ୍ରତି ଏହା ବଡ଼ ବିପଦ ବୋଲି ଶକ୍ତିକାନ୍ତ ବାରମ୍ବାର କହୁଛନ୍ତି। ସେ କ୍ରିପ୍ଟୋକୁ ଚିଟ୍‌ଫଣ୍ଡ୍ ସହିତ ତୁଳନା କରିଛନ୍ତି। ଅତୀତରେ ନେଦରଲ୍ୟାଣ୍ଡରେ ଟ୍ୟୁଲିପ୍ ଫୁଲ୍‌କୁ ନେଇ ଯେଉଁଭଳି ଉନ୍ମାଦଭାବ ଦେଖାଦେଇଥିଲା ତାହା ସହିତ ସେ କ୍ରିପ୍ଟୋକୁ ତୁଳନା କରିଛନ୍ତି। ନେଦରଲ୍ୟାଣ୍ଡରେ ଟ୍ୟୁଲିପ୍ ଫୁଲର ଦାମ୍ ଏକ ସମୟରେ ଜଣେ କୁଶଳୀ କର୍ମଚାରୀଙ୍କ ବାର୍ଷିକ ଦରମା ଠାରୁ ଏଭଳିକି ଏକ ଘର ଦାମ୍ ଠାରୁ ମଧ୍ୟ ଅଧିକ ହୋଇଯାଇଥିଲା। ଚାହିଦା ରହୁଥିବାରୁ ବ୍ୟବସାୟୀମାନେ ବାରମ୍ବାର ଦାମ୍ ବଢ଼ାଇ ଖୁବ୍ ଚଢ଼ା ଦରକୁ ନେଇଯାଇଥିଲେ। ପରବର୍ତ୍ତୀ ସମୟରେ ଦାମ୍ ଦ୍ରୁତ ଗତିରେ ହ୍ରାସ ପାଇଥିଲା। ଫଳରେ ଯେଉଁମାନେ ଟ୍ୟୁଲିପ୍‌ ଫୁଲ୍‌ରେ ନିବେଶ କରିଥିଲେ ସେମାନେ ତଳିତଳାନ୍ତ ହୋଇଯାଇଥିଲେ। କ୍ରିପ୍ଟୋରେ ଯେଉଁମାନେ ନିବେଶ କରୁଛନ୍ତି ସେମାନେ ନିଜେ ରିସ୍କ ନେଇ ନିବେଶ କରନ୍ତୁ ବୋଲି ସେ କହିଛନ୍ତି। ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଟି ରବିଶଙ୍କର ମଧ୍ୟ କ୍ରିପ୍ଟୋକୁ ବିରୋଧ କରୁଛନ୍ତି। ରିଜର୍ଭ ବ୍ୟାଙ୍କ୍‌ର କିଛି ପୂର୍ବତନ ଗଭର୍ଣ୍ଣର ଓ ଡେପୁଟି ଗଭର୍ଣ୍ଣର ମଧ୍ୟ କ୍ରିପ୍ଟୋ ବିରୋଧରେ ଯୁକ୍ତି ବାଢ଼ିଛନ୍ତି।

କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା (ସିବିଡିସି)
କ୍ରିପ୍ଟୋକରେନ୍ସି ବା ଡିଜିଟାଲ୍ ମୁଦ୍ରାର ପ୍ରଚଳନ ଏଭଳି ଏକ ସ୍ତରରେ ପହଞ୍ଚିଯାଇଛି ଯେ ତାହାକୁ ଏଡ଼ାଇବା ସମ୍ଭବ ହେଉନାହିଁ। ତେଣୁ ଲୋକମାନଙ୍କୁ ଡିଜିଟାଲ୍ ମୁଦ୍ରାରେ କାରବାର କରିବାର ସୁଯୋଗ ଦେବା ଲାଗି ଏକ ବୈଧାନିକ ବ୍ୟବସ୍ଥା ବିକଶିତ କରିବା ଦିଗରେ ରିଜର୍ଭ ବ୍ୟାଙ୍କ୍‌ କାର୍ଯ୍ୟ କରୁଛି। ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍‌ ଭଳି ଏହା ନିଜସ୍ବ ଡିଜିଟାଲ୍ ମୁଦ୍ରା ବିକଶିତ କରିବା କାର୍ଯ୍ୟ କରୁଛି। ଏହି ସ୍ବତନ୍ତ୍ର ପ୍ରକାର ଡିଜିଟାଲ୍ ମୁଦ୍ରାକୁ ସେଣ୍ଟ୍ରାଲ୍ ବ୍ୟାଙ୍କ ଡିଜିଟାଲ୍ କରେନ୍ସି (ସିବିଡିସି) କୁହାଯାଉଛି। ନିଜର ସିବିଡିସି ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ ଆଦୌ ତରବର ହେଉନାହିଁ। ଲୋକଙ୍କ ପାଇଁ ତାହା କିଭଳି ସୁରକ୍ଷିତ ରହିପାରିବ, ହ୍ୟାକିଂ ଓ ସାଇବର ଆକ୍ରମଣରୁ ସୁରକ୍ଷା ଭଳି ଦିଗ ଉପରେ ଏହା ଅଧିକ ଧ୍ୟାନ ଦେଉଛି। ୨୦୨୩ରେ ରିଜର୍ଭ ବ୍ୟାଙ୍କ୍‌ର ଡିଜିଟାଲ୍ ମୁଦ୍ରା ଆସିବ ବୋଲି ଏଥର ବଜେଟ୍‌ରେ ଘୋଷଣା କରାଯାଇଛି। ଏହି ମୁଦ୍ରାକୁ ଆଇନଗତ ମାନ୍ୟତା ମିଳିବ ଓ ଲୋକମାନେ ତାହାକୁ ସହଜରେ ବ୍ୟବହାର କରିପାରିବେ।

ବିଶ୍ବର ୯ଟି ଦେଶରେ ସିବିଡିସି ପ୍ରଚଳିତ। ସେଥିରୁ ୮ଟି ଦେଶ ହେଉଛି କ୍ଷୁଦ୍ର କାରାବିୟାନ୍ ଦ୍ବୀପ। ଏବେ ୮୭ଟି ଦେଶ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା ଉପରେ ଗବେଷଣା ଚଳାଇଛନ୍ତି। ୨୦୨୧ ଅକ୍‌ଟୋବରରେ ନାଇଜେରିଆ ପକ୍ଷରୁ ଇ-ନାଇରା ନାମକ ଡିଜିଟାଲ୍ ମୁଦ୍ରା ପ୍ରଚଳନ କରାଯାଇଥିଲା। ତେବେ ଏହାକୁ ବ୍ୟବହାର କରିବା ଲାଗି ବ୍ୟାଙ୍କ ଖାତା ଓ ଡିଜିଟାଲ୍ ମୁଦ୍ରାକୁ ବାଧ୍ୟତାମୂଳକ କରାଯାଇଛି। ୨୦୧୪ ପରଠାରୁ ଚୀନ୍ ଏହାର ଡିଜିଟାଲ ମୁଦ୍ରା ଇ-ୟୁଆନ୍‌ ବିକଶିତ କରୁଛି। ଖୁବ୍‌ଶୀଘ୍ର ଏହାର ଆନୁଷ୍ଠାନିକ ପ୍ରଚଳନ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି। ଦୁଇଟି ଦେଶ ସିବିଡିସି ପ୍ରଚଳନ କରିବା ପରେ ତାହାକୁ ପ୍ରତ୍ୟାହାର କରିନେଇଛନ୍ତି। ଅନ୍ୟ ସାତଟି ଦେଶରେ ତାହା ଅଚଳ ହୋଇ ପଡ଼ିରହିଛି। ୯ଟି ଦେଶ ନିକଟରେ ଡିଜିଟାଲ୍ ମୁଦ୍ରା ଶୁଭାରମ୍ଭ କରିଛନ୍ତି। ୧୪ଟି ଦେଶରେ ଏଭଳି ମୁଦ୍ରାର ପରୀକ୍ଷଣ ଚାଲିଛି। ୧୬ଟି ଦେଶ ନିଜସ୍ବ ଡିଜିଟାଲ୍ ମୁଦ୍ରା ବିକଶିତ କରୁଛନ୍ତି।

କ୍ରିପ୍ଟୋ ବନାମ ସିବିଡିସି
ଘରୋଇ ସଂସ୍ଥାଗୁଡ଼ିକ ବିକଶିତ କରୁଥିବା କ୍ରିପ୍ଟୋକରେନ୍ସିର ବିକଳ୍ପ ଭାବେ କେନ୍ଦ୍ରୀୟ ବ୍ୟାଙ୍କ୍‌ଗୁଡ଼ିକ ନିଜସ୍ବ ଡିଜିଟାଲ୍ ମୁଦ୍ରା ପ୍ରସ୍ତୁତ କରୁଛନ୍ତି। ତାହାକୁ ସିବିଡିସି କୁହାଯାଉଛି। ଏବେ ବିଟ୍‌କଏନ୍ ଭଳି କ୍ରିପ୍ଟୋକରେନ୍ସିକୁ ଡିଜିଟାଲ୍ ସମ୍ପତ୍ତି ଭାବେ ବିଚାର କରାଯାଉଛି। ସେଗୁଡ଼ିକ ଘରୋଇ ସଂସ୍ଥା ପ୍ରସ୍ତୁତ କରୁଥିବାରୁ ତାହାକୁ କୌଣସି ରିଜର୍ଭ ବ୍ୟାଙ୍କ କିମ୍ବା ସରକାର ମାନ୍ୟତା ଦେଉନାହାନ୍ତି। ଟଙ୍କା କିମ୍ବା ଡଲାର ଭଳି ମୁଦ୍ରାକୁ ଯେଭଳି ଆଇନଗତ ମାନ୍ୟତା ମିଳିଛି, ସିବିଡିସିକୁ ସେହିଭଳି ମାନ୍ୟତା ମିଳିବ। ଫଳରେ ତାହାକୁ ବ୍ୟବହାର କରିବା ଅତ୍ୟନ୍ତ ସୁରକ୍ଷିତ ରହିବ। କାଗଜ ନୋଟ୍‌ର ଡିଜିଟାଲ୍ ରୂପ ହେବ ସିବିଡିସି। ନୋଟ୍‌ରେ ଯେଭଳି ସ୍ବତନ୍ତ୍ର ନମ୍ବର ରହୁଛି, ସେହିଭଳି ଡିଜିଟାଲ୍ ମୁଦ୍ରାରେ ସ୍ବତନ୍ତ୍ର କୋଡ୍ ରହିବ। କ୍ରିପ୍ଟୋ ଭଳି ସିବିଡିସିରେ ବ୍ଲକ୍‌ଚେନ୍ ଓ ଅନ୍ୟାନ୍ୟ ପ୍ରଯୁକ୍ତି ବ୍ୟବହାର କରାଯାଉଛି। ସିବିଡିସିକୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବ୍ୟାଙ୍କ୍‌ ଓ ବ୍ୟବସାୟିକ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସମସ୍ତେ ବିନା ଚିନ୍ତାରେ ବ୍ୟବହାର କରିପାରିବେ। ଏହା ଡିଜିଟାଲ୍ ପେମେଣ୍ଟ୍‌ର ଗ୍ରହଣୀୟତାକୁ ଆହୁରି ବଢ଼ାଇ ପାରିବ। ସିବିଡିସିର ସବୁଠୁ ଖରାପ ଦିଗ ହେଉଛି ଏଥିରେ ଲୋକଙ୍କ ଗୋପନୀୟତା ରହିବନି। ଏବେ ଲୋକମାନେ ନିଜ ଟଙ୍କାକୁ କୌଣସି କାର୍ଯ୍ୟରେ ବ୍ୟବହାର କଲେ ପ୍ରତିଟି ବିଷୟ ସରକାର କିମ୍ବା ରିଜର୍ଭ ବ୍ୟାଙ୍କ୍‌ ଜାଣୁନାହାନ୍ତି। କେବଳ ମୋଟା ଅଙ୍କର କାରବାରର ସୂଚନା ସେମାନଙ୍କ ପାଖରେ ପହଞ୍ଚୁଛି। ମାତ୍ର ସିବିଡିସି କାରବାରର ପ୍ରତିଟି ଖବର ସରକାରଙ୍କ ପାଖରେ ରହିବ। ଜଣେ ବ୍ୟକ୍ତି କ’ଣ ଖାଇଲେ, କେଉଁଠାରେ ରହିଲେ, କ’ଣ କିଣିଲେ ଭଳି ସୂଚନା ସହଜରେ ମିଳିପାରିବ। ଫଳରେ କୌଣସି ବ୍ୟକ୍ତିଙ୍କ ଉପରେ ନଜର ରଖିବା ସରକାରଙ୍କ ପାଇଁ ସହଜ ହୋଇଯିବ। ଏହା ଗୁଇନ୍ଦାଗିରି ସହ ସମାନ ବୋଲି କୁହାଯାଉଛି। ଯଦି ସିବିଡିସିକୁ ସିଧାସଳଖ ରିଜର୍ଭ ବ୍ୟାଙ୍କ୍‌ରେ ଜମା ରଖିବାର ସୁବିଧା ମିଳିବ ତେବେ ଲୋକମାନେ ବ୍ୟାଙ୍କ୍‌ ଅଚଳ ହୋଇଯାଇପାରେ। ବ୍ୟାଙ୍କ୍‌ ପାଣ୍ଠି ନ ପାଇଲେ ଋଣ ଦେଇପାରିବ ନାହିଁ। ଏହାର ପ୍ରଭାବରେ ଦେଶର ଅର୍ଥନୀତି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।

ପେମେଣ୍ଟ୍ ବ୍ୟବସ୍ଥାରେ, ବୈପ୍ଳବିକ ପରିବର୍ତ୍ତନ
ଯଦିଓ କ୍ରିପ୍ଟୋକରେନ୍ସିକୁ ଏବେ ବିରୋଧ କରାଯାଉଛି, କିନ୍ତୁ ଏହା ପାଖରେ ରହିଥିବା ଶକ୍ତିକୁ କେହି ଅସ୍ବୀକାର କରିପାରିବେ ନାହିଁ। ବିଶ୍ବରେ ପେମେଣ୍ଟ୍ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଆଣିବାର ଶକ୍ତି ଏହା ପାଖରେ ରହିଛି। ହ୍ବାଟସ୍ଆପ୍ ଆସିବା ପରେ ବିଶ୍ବର ଯେକୌଣସି କୋଣରେ ରହି ବାର୍ତ୍ତା ପଠାଇବା, ଭଏସ୍ ଓ ଭିଡିଓ କଲ୍ ଯେଭଳି ସହଜ ହୋଇପାରିଛି, ପେମେଣ୍ଟ୍ ବ୍ୟବସ୍ଥାକୁ ମଧ୍ୟ କ୍ରିପ୍ଟୋ ସେଭଳି ସହଜ କରିପାରିବ। ପୂର୍ବରୁ ବିଦେଶକୁ କଲ୍ କରିବା ଲାଗି ଲୋକମାନଙ୍କୁ ମୋଟା ଅଙ୍କର ରିଚାର୍ଜ କରିବାକୁ ପଡୁଥିଲା। ଚିଠି ପଠାଇବା ଲାଗି ହେଲେ ଅଧିକ ଶୁଳ୍କ ଗଣିବାକୁ ପଡ଼ୁଥିଲା। ପ୍ରାୟ ପ୍ରତିଟି ଲୋକଙ୍କ ପାଖରେ ସ୍ମାର୍ଟଫୋନ୍ ପହଞ୍ଚିବା ଓ ଇଣ୍ଟରନେଟ୍ ଶସ୍ତା ହେବା ପରେ ଏହି ଖର୍ଚ୍ଚ ଆଉ କରିବାକୁ ପଡ଼ୁନାହିଁ। ଏହା ମଧ୍ୟ ଏକ ବାସ୍ତବ ସତ୍ୟ ଯେ ସୀମାପାର କାରବାରରେ ଆମେରିକୀୟ ଡଲାରର ଆଧିପତ୍ୟ ରହିଛି। ସେହି ଡଲାର ଶକ୍ତିକୁ ବ୍ୟବହାର କରି ଆମେରିକା ବିଭିନ୍ନ ଦେଶ ଉପରେ ଅର୍ଥନୈତିକ କଟକଣା ଲଗାଉଛି। ବିଦେଶରେ କାମ କରୁଥିବା ଲୋକଟିଏ ନିଜ ଦେଶକୁ ଟଙ୍କା ପଠାଇବା ବେଳେ ମୋଟା ଅଙ୍କର ଶୁଳ୍କ ଗଣୁଛି। କାଗଜ ନୋଟ୍ରେ କିମ୍ବା ବ୍ୟାଙ୍କ୍‌ରେ କାରବାର କରିବା ବେଳେ ବିଭିନ୍ନ ସେବା ପାଇଁ ଅଲଗା ଅଲଗା ଶୁଳ୍କ ଗଣିବାକୁ ପଡୁଛି। ପ୍ରତିଟି ସ୍ତରରେ ଶୁଳ୍କ ଓ ଟିକସର ପ୍ରଭାବ ରହିଛି। ଏହି ସବୁ ପ୍ରକାର ସମସ୍ୟାକୁ ସମାଧାନ କରିବାର ଶକ୍ତି କ୍ରିପ୍ଟୋକରେନ୍ସି ପାଖରେ ରହିଛି। ତେବେ ଏଥିପାଇଁ କେବଳ ଏକ ସୁଦୃଢ଼ ବ୍ୟବସ୍ଥାର ଆବଶ୍ୟକତା ରହିଛି ଯାହା ଉପରେ ଲୋକମାନେ ବିଶ୍ବାସ କରିପାରିବେ ଏବଂ ସେମାନଙ୍କ ଜମାପୁଞ୍ଜି ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଭରସା କରିପାରିବେ। ସେହି ବ୍ୟବସ୍ଥା ନ ଆସିବା ପର୍ଯ୍ୟନ୍ତ କ୍ରିପ୍ଟୋକରେନ୍ସିକୁ ନେଇ ସନ୍ଦେହ ବଜାୟ ରହିବ।

ପ୍ରଭାତ ପଟ୍ଟନାୟକ

 

ସମ୍ବନ୍ଧିତ ଖବର