ଡିଜିଟାଲ୍‌ ମୁଦ୍ରା ଗରିବ ଦେଶ ପ୍ରତି ବିପଦ: ରାଜନ

ନୂଆଦିଲ୍ଲୀ: ଡିଜିଟାଲ୍ ଆମେରିକୀୟ ଡଲାର ବ୍ୟବହାରକୁ ନେଇ ଆଗୁଆ ସତର୍କ ସୂଚନା ଦେଇଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ବ୍ଲୁମ୍‌ବର୍ଗ ସହ ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଡିଜିଟାଲ୍ ଡଲାର ପ୍ରଚଳନ ହେଲେ ଗରିବ ରାଷ୍ଟ୍ରଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହେବେ। ସେହି ଦେଶଗୁଡ଼ିକର ମୁଦ୍ରା ସାର୍ବଭୌମତ୍ବ ପ୍ରତି ତାହା ବଡ଼ ବିପଦ ଭାବେ ଉଭା ହେବ। ରାଜନ କହିଛନ୍ତି ଯେ ଯେଉଁ ଦେଶଗୁଡ଼ିକରେ ଆର୍ଥିକ ଭିତ୍ତିଭୂମି ବେଶ ଦୃଢ଼ ସେଭଳି ଦେଶରେ ଡିଜିଟାଲ୍ ଡଲାର ପ୍ର‌ଚଳନ ହେଲେ ବିଶେଷ କିଛି ଅସୁବିଧା ହେବନି। କିନ୍ତୁ ଦୁର୍ବଳ ଆର୍ଥିକ ଭିତ୍ତିଭୂମି ଥିବା ଗରିବ ଦେଶ ପ୍ରଭାବିତ ହେବେ। ମୁଦ୍ରାନୀତି ଜରିଆରେ ସେମାନେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିପାରିବେନି। ଯେଉଁ ଗରିବ ଦେଶଗୁଡ଼ିକରେ ସରକାରଙ୍କ ଆର୍ଥିକ ନୀତି ଉପରେ ଲୋକଙ୍କ ବିଶ୍ବାସ କମ୍ ରହିଥିବ ସେଭଳି ଦେଶରେ ଲୋକମାନେ ନିଜ ଦେଶର ମୁଦ୍ରା ବଦଳରେ ସହଜରେ ବ୍ୟବହାର ହେଉଥିବା ଡିଜିଟାଲ୍ ମୁଦ୍ରାକୁ ବ୍ୟବହାର କରିବେ। ଏହା ହେଲେ ସେହି ଦେଶରେ ମୁଦ୍ରା ‌ସାର୍ବଭୌମତ୍ବ ରହିବ ନାହିଁ। ଫଳରେ ମୁଦ୍ରାଜନିତ ପଦକ୍ଷେପ ଜରିଆରେ ଆର୍ଥିକ ସ୍ଥିତିର ମୁକାବିଲା କରିବା ଉକ୍ତ ଦେଶ ଲାଗି କଷ୍ଟକର ହୋଇପଡ଼ିବ ବୋଲି ସେ କହିଛନ୍ତି। କିଛି ଦିନ ପୂର୍ବରୁ ରାଜନ କହିଥିଲେ ଯେ ଡିଜିଟାଲ୍ ମୁଦ୍ରା ବା କ୍ରିପ୍ଟୋକରେନ୍ସିକୁ ଯଦି ସଠିକ୍ ଭାବେ ନିୟନ୍ତ୍ରଣ କରାଯାଇପାରିବ ତେବେ ତାହାର ଏକ ଉଜ୍ଜ୍ବଳ ଭବିଷ୍ୟତ ରହିଛି। ସେଗୁଡ଼ିକ ସୀମାପାର ପେମେଣ୍ଟ୍‌ର ଏକ ବଳିଷ୍ଠ ମାଧ୍ୟମ ହୋଇପାରିବ। କାରଣ ଏବେ ପ୍ରତ୍ୟକ୍ଷ ମୁଦ୍ରାରେ ବିଭିନ୍ନ ଦେଶ ଭିତରେ ପେମେଣ୍ଟ୍ କରିବା ବେଳେ ମୋଟା ଅଙ୍କର ଶୁଳ୍କ ଗଣିବାକୁ ପଡ଼ୁଛି। ଡିଜିଟାଲ୍ ମୁଦ୍ରା ପ୍ରଚଳନ ହେଲେ ସେହି ଶୁଳ୍କ ଗଣିବାକୁ ପଡ଼ିବନି।

ସମଗ୍ର ବିଶ୍ବରେ ବିଟ୍‌କଏନ୍ ଓ ଏଥେରିଅମ୍ ଭଳି ଡିଜିଟାଲ୍ ମୁଦ୍ରାର ବ୍ୟବହାର ଦ୍ରୁତ ଗତିରେ ବଢ଼ୁଥିବାରୁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍‌ ରିଜର୍ଭ ପକ୍ଷରୁ ନିଜସ୍ବ ଡିଜିଟାଲ୍ ଡଲାର ଆଣିବା ଉପରେ କାର୍ଯ୍ୟ ଜାରି ରହିବ। ଘରୋଇ ଡିଜିଟାଲ୍ ମୁଦ୍ରା ବା କ୍ରିପ୍ଟୋକରେନ୍ସିଗୁଡ଼ିକ ଉପରେ କାହାର ନିୟନ୍ତ୍ରଣ ନଥିବାରୁ ସେଗୁଡ଼ିକର ବ୍ୟବହାର ବିପଦପୂର୍ଣ୍ଣ ରହିଛି। ମାତ୍ର ଆମେରିକା ସରକାର ଆଣିବାକୁ ଥିବା ଡିଜିଟାଲ୍ ଡଲାର ଉପରେ କେନ୍ଦ୍ରୀୟ ବ୍ୟାଙ୍କର ନିୟନ୍ତ୍ରଣ ରହିବ। ଫଳରେ ଏହାକୁ ବ୍ୟବହାର କରୁଥିବା ଲୋକମାନଙ୍କୁ ଅନିଶ୍ଚିତତା ମଧ୍ୟରେ ରହିବାକୁ ପଡ଼ିବ ନାହିଁ। ସେମାନଙ୍କ ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ରହିପାରିବ। ଏକ ସର୍ଭେରୁ ଜଣାପଡ଼ିଛି ଯେ ବିଶ୍ବର ୮୬ ପ୍ରତିଶତ କେନ୍ଦ୍ରୀୟ ବ୍ୟାଙ୍କ ନିଜସ୍ବ ଡିଜିଟାଲ୍ ମୁଦ୍ରା ଆଣିବା ଉପରେ ବିଚାର କରୁଛନ୍ତି। ସେମାନଙ୍କ ମଧ୍ୟରୁ ୬୦% ପ୍ରଯୁକ୍ତିକୁ ନେଇ ପରୀକ୍ଷଣ କରୁଥିବା ବେଳେ ୧୪ଟି କେନ୍ଦ୍ରୀୟ ବ୍ୟାଙ୍କ ପରୀକ୍ଷାମୂଳକ ଭାବେ ଡିଜିଟାଲ୍ ମୁଦ୍ରା ବ୍ୟବହାର ଆରମ୍ଭ କରିଛନ୍ତି। ଏ କ୍ଷେତ୍ରରେ ଚୀନ୍‌ ଆଗରେ ରହିଛି। ଚୀନ୍ ପକ୍ଷରୁ ଇ-ୟୁଆନ୍ ପ୍ରଚଳନ କରାଯାଇଛି। ଭାରତରେ ରିଜର୍ଭ ବ୍ୟାଙ୍କ ଏହାର ନିଜସ୍ବ ଡିଜିଟାଲ୍ ମୁଦ୍ରା ଆଣିବା ଉପରେ କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର