ଅନ୍‌ଲାଇନ୍‌ରେ ଡିଜିଟାଲ୍ ସୁନା ବିକ୍ରି, ଏକ ଟଙ୍କାରେ ବି କିଣିହେବ

ନୂଆଦିଲ୍ଲୀ : ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ଭାରତୀୟମାନଙ୍କ ବିଶ୍ବାସ ରହିଛି। ‌ଏହି ଦିନ ସୁନାର ଚାହିଦା ବହୁତ ବଢ଼ିଯାଇଥାଏ। ଗ୍ରାହକମାନଙ୍କ ଚାହିଦା ପୂରଣ କରିବା ଲାଗି ସୁନା ଦୋକାନୀମାନେ ମଧ୍ୟ ନିଜ ଆଡ଼ୁ ସବୁ ପ୍ରକାର ପ୍ରସ୍ତୁତି କରିଥାନ୍ତି। ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବ ଯୋଗୁଁ ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍ ଘୋଷଣା କରାଯାଇଥିବାରୁ ସୁନା କାରବାର ପ୍ରଭାବିତ ହୋଇଛି। ତେବେ ଷ୍ଟୋର୍‌ ପରିଦର୍ଶନ କରିବାକୁ ଚାହୁନଥିବା ଗ୍ରାହକମାନେ ଚାହିଲେ ଅନ୍‌ଲାଇନ୍‌ରେ ଡିଜିଟାଲ୍‌ ସୁନା କିଣିପାରିବେ। ଦେଶର କିଛି ସ୍ବତନ୍ତ୍ର ପ୍ରତିଷ୍ଠାନ ଏହି ସୁବିଧା ପ୍ରଦାନ କରୁଛନ୍ତି। ଗ୍ରାହକମାନେ ପେଟିଏମ୍, ଆମାଜନ୍ ପେ’, ଗୁଗୁଲ୍ ପେ’ ଓ ଫୋନ୍‌ ପେ’ ଜରିଆରେ ଡିଜିଟାଲ୍ ଗୋଲ୍ଡ ମଧ୍ୟ କିଣିପାରିବେ।

ଅନଲାଇନ୍‌ରେ ସୁନା କିଣିବା ବେଳେ ଗ୍ରାହକମାନଙ୍କୁ ସୁନାର ଶୁଦ୍ଧତା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଡିଜିଟାଲ୍‌ ଗୋଲ୍ଡକୁ ଲୋକମାନେ ୧ ଟଙ୍କା ଭଳି କମ୍ ମୂଲ୍ୟରେ କିଣିପାରିବେ। ଏହା କୌଣସି ପ୍ରତ୍ୟକ୍ଷ ସୁନା ନୁହେଁ। ବରଂ ସୁନା ମୂଲ୍ୟ ଅନୁସାରେ ଡିଜିଟାଲ୍‌ ଭାବେ ସଂରକ୍ଷିତ ରହିପାରୁଥିବା ୟୁନିଟ୍। ଡିଜିଟାଲ୍ ଗୋଲ୍ଡକୁ ୱାଲେଟ୍‌ ଭିତରେ ରଖାଯାଉଛି। ଗ୍ରାହକଙ୍କ ପାଖରେ କେତେ ଗ୍ରାମ ସୁନା ରହିଛି ତାହା ୱାଲେଟ୍‌ ଜଣାଇ ଦେଉଛି। ଗ୍ରାହକମାନେ ତାହାକୁ ବଦଳାଇ ଅସଲି ସୁନା ନେଇପାରିବେ ଅନ୍ୟଥା ଆପ୍ଲିକେସନ୍ ଜରିଆରେ ବିକ୍ରି ମଧ୍ୟ କରିପାରିବେ। ସାଧାରଣ ସୁନା ଭଳି ଡିଜିଟାଲ୍ ଗୋଲ୍ଡ କିଣିବା ବେଳେ ମଧ୍ୟ ୩% ଜିଏସ୍‌ଟି ଗଣିବାକୁ ପଡ଼ିବ। ଡିଜିଟାଲ୍‌ ଗୋଲ୍ଡ ବିକ୍ରି କରୁଥିବା ସଂସ୍ଥାଗୁଡ଼ିକ ମଧ୍ୟ ଷ୍ଟୋରେଜ୍ ଖର୍ଚ୍ଚ, ବୀମା ଏବଂ ଟ୍ରଷ୍ଟି ଫି’ ବାବଦରେ ୨-୩ ପ୍ରତିଶତ ଶୁଳ୍କ ନେଉଛନ୍ତି। ଯେଉଁ ଗ୍ରାହକମାନେ ଡିଜିଟାଲ୍‌ ଗୋଲ୍ଡ ବଦଳରେ ଅସଲି ସୁନା ନେବାକୁ ଚାହୁଛନ୍ତି ସେମାନଙ୍କୁ ଗଢ଼ା ମୂଲ୍ୟ ଦେବାକୁ ପଡ଼ିବ। ହୋମ୍ ଡେଲିଭରି ଚାହିଲେ ସେଥିପାଇଁ ଆଉ କିଛି ଟଙ୍କା ଅଧିକ ଗଣିବାକୁ ପଡ଼ିପାରେ।

ଡିଜିଟାଲ୍ ଗୋଲ୍ଡ କିଣିବାକୁ ଚାହୁଥିବା ଲୋକମାନେ ଏହା ଜାଣିବା ଦରକାର ଯେ ସେହି ସୁନାକୁ ସେମାନେ କିିଛି ବର୍ଷ ପର୍ଯ୍ୟନ୍ତ ସେହିଭଳି ରଖିପାରିବେ। ତାହାକୁ ହୋଲ୍‌ଡିଂ ପିରିୟଡ୍‌ କୁହାଯାଉଛି। ଏହି ଅବଧି ଶେଷ ହେବା ପରେ ଡିଜିଟାଲ୍ ଗୋଲ୍ଡକୁ ବିକ୍ରି କରିବାକୁ ହେବ ଅନ୍ୟଥା ଗୋଲ୍ଡ କଏନ୍‌ରେ ପରିଣତ କରିବାକୁ ପଡ଼ିବ। କମ୍ ସମୟ ପାଇଁ ଡିଜିଟାଲ୍ ଗୋଲ୍ଡ ରଖିଲେ ତାହା ଉପରେ ଯେଉଁ ରିଟର୍ଣ୍ଣ ମିଳିବ ସେଥିରେ ଟିକସ ଲାଗିନପାରେ। କିନ୍ତୁ ଅଧିକ ବର୍ଷ ପର୍ଯ୍ୟନ୍ତ ରଖିଲେ ସେଥିରୁ ଯେଉଁ ରିଟର୍ଣ୍ଣ ମିଳିବ ତାହା ଉପରେ ଦୀର୍ଘମିଆଦୀ ପୁଞ୍ଜି ଲାଭ ଟିକସ ଓ ୪% ସେସ୍‌ ଲାଗିବ।

ସମ୍ବନ୍ଧିତ ଖବର