ଭୁବନେଶ୍ବର: ବର୍ତ୍ତମାନ ସମୟରେ ଦିନକୁ ଦିନ ଡିଜିଟାଲ ମିଡିଆ ପ୍ଲାଟଫର୍ମଗୁଡିକର ସଂଖ୍ୟା ବଢିଚାଲିଛି। ସେଥିରେ କେବେ କେବେ ବିଭ୍ରାନ୍ତିକର ତଥ୍ୟ ପରିବେଷଣ ହେଉଛି। ଏ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ସଚେତନ ହେବା ଆବଶ୍ୟକ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିକ୍ରମ ସହାୟ କହିଛନ୍ତି। ଓଡିଶା, ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଡିଜିଟାଲ ମିଡିଆ ନୀତି ଉପରେ ଆଜି ଆୟୋଜନ କରାଯାଇଥିବା ଏକ ୱେବିନାରରେ ଅଂଶଗ୍ରହଣ କରି ଶ୍ରୀ ସହାୟ କହିଛନ୍ତି ଯେ ବର୍ତ୍ତମାନ ପ୍ରାୟ ୪୦ଟି ଡିଜିଟାଲ ମିଡିଆ ଏବଂ ଓଟିଟି ପ୍ଲାଟ୍‌ଫର୍ମରେ ସମ୍ବାଦ ଓ ସୂଚନା ପରିବେଷଣ କରାଯାଉଛି। ଏଥିମଧ୍ୟରୁ ଅନେକଗୁଡିଏ ସମ୍ବାଦ ସହିତ ବିଭ୍ରାନ୍ତିକର ତଥ୍ୟ ପରିବେଷଣ କରୁଥିବା, ଆପତ୍ତିଜନକ ଶବ୍ଦ ବ୍ୟବହାର କରୁଥିବା, ଆପତ୍ତିଜନକ ତଥ୍ୟ, ମିଥ୍ୟା ଖବର, ରାଷ୍ଟ୍ର ବିରୋଧୀ ଖବର ଆଦି ପରିବେଷଣ କରି ସମାଜରେ ଅସ୍ଥିରତା ସୃଷ୍ଟି କରୁଥିବାର ଅଭିଯୋଗ ହେଉଛି।

Advertisment

ଗଣମାଧ୍ୟମକୁ ସକାରାତ୍ମକ ଦିଗରେ ପରିଚାଳିତ କରିବା, ବାକ୍ ସ୍ବାଧୀନତାକୁ ଅକ୍ଷୁର୍ଣ୍ଣ ରଖିବା, ଆପତ୍ତିଜନକ ବିବରଣୀଗୁଡିକୁ ବ୍ଲକ୍‌ କରିବା, ଦେଶର ସାର୍ବଭୌମତ୍ବକୁ ରକ୍ଷା କରିବା, ହିଂସା ଏବଂ ଆତଙ୍କବାଦ ବିରୋଧରେ ଦୃଢ ପଦକ୍ଷେପ ନେବା ପାଇଁ ସରକାର ଏକ ତ୍ରିସ୍ତରୀୟ ନୀତି ପ୍ରଣୟନ କରିଛନ୍ତି। ଏଥିରେ ବିଭିନ୍ନ ସମ୍ବାଦ ପ୍ରକାଶ କରୁଥିବା ସଂସ୍ଥାଗୁଡିକୁ ସୁରକ୍ଷା ଦେବା, ସ୍ଥାନୀୟ ଭାବରେ କିଛି ପ୍ରକାଶକ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ସଂଗଠନ ଗଢିବା, ଗଣମାଧ୍ୟମର ଅପବ୍ୟବହାର ରୋକିବା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୱେବିନାର, ୱେବସାଇଟ୍‌ ବିଜ୍ଞାପନ ଆଦି ଦ୍ୱାରା ନିର୍ଭୁଲ ସୂଚନା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା ହୋଇଥିବା ଶ୍ରୀ ସହାୟ କହିଛନ୍ତି। ବିଭିନ୍ନ ରାଜ୍ୟର ଗୃହବିଭାଗ ସଚିବମାନଙ୍କୁ ମଧ୍ୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହି ଆଲୋଚନାଚକ୍ରରେ ପ୍ରାରମ୍ଭରେ ଗୌହାଟିସ୍ଥିତ ପ୍ରତ୍ରସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶୈଳେନ୍ଦ୍ର ପ୍ରଧାନ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ। ଶେଷରେ ଭୁବନେଶ୍ୱର ପତ୍ରସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।