ଭୁବନେଶ୍ବର: କରୋନା ମହାମାରୀର ଦ୍ବିତୀୟ ଲହରର ମୁକାବିଲା ଲାଗି କଟକଣା ଜାରି କରାଯାଇଥିବାରୁ ଲୋକମାନେ ବିଭିନ୍ନ ପ୍ରକାର ସମସ୍ୟା ସାମ୍ନା କରୁଛନ୍ତି। ଏଭଳି ଜଟିଳ ସମୟରେ ପେମେଣ୍ଟ୍କୁ ନେଇ ଯେଉଁ ଅସୁବିଧା ରହିଛି ତାହାକୁ ସେମାନେ କିଛି ଆପ୍ ଡାଉନ୍ଲୋଡ୍ କରି ଦୂର କରିପାରିବେ। ଡିଜିଟାଲ୍ ପେମେଣ୍ଟ୍ ପାଇଁ ଅନେକ ଆପ୍ ରହିଛି। ସେଥିରେ ସୁବିଧାରେ, ଶୀଘ୍ର ଏବଂ ସୁରକ୍ଷିତ ଭାବେ ପେମେଣ୍ଟ୍ କରିହେଉଛି। ସବୁଠୁ ବଡ଼ କଥା ହେଉଛି ସାମାଜିକ ଦୂରତ୍ବ ବଜାୟ ରଖିବା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଥିବା ଭଳି ସମୟରେ ଏହି ଆପ୍ଗୁଡ଼ିକ ଜରିଆରେ ସ୍ପର୍ଶ ନକରି ପେମେଣ୍ଟ୍ କରିହେଉଛି।
ଡିଜିଟାଲ୍ ପେମେଣ୍ଟ୍ ଆପ୍ରେ ମୋବାଇଲ୍, ଡିଟିଏଚ୍, ଫାସ୍ଟ୍ୟାଗ୍ ଆଦି ରିଚାର୍ଜ କରିବା ଠାରୁ ଆରମ୍ଭ କରି ଅନ୍ୟକୁ ଟଙ୍କା ପଠାଇବା, ଅନ୍ୟ ଠାରୁ ଟଙ୍କା ହାସଲ କରିବା, କ୍ୟୁଆର୍ କୋଡ୍ ସ୍କାନ କରି ପେମେଣ୍ଟ୍ କରିବା, ବିଦ୍ୟୁତ ବିଲ୍ ପଇଠ କରିବା ଓ ଅନଲାଇନ୍ରେ ଜିନିଷ କିଣିବା ଭଳି କାର୍ଯ୍ୟ ଅତି ସହଜରେ ହୋଇପାରୁଛି। ଏଠାରେ ଦେଶରେ ବହୁଳ ଭାବେ ବ୍ୟବହାର କରାଯାଉଛି କେତେକ ମୋବାଇଲ୍ ଆପ୍ ବିଷୟରେ ଆଲୋଚନା କରାଯାଇଛି। ସେଗୁଡ଼ିକ ଡିଜିଟାଲ୍ ୱାଲେଟ୍ ବା ୟୁପିଆଇ ପେମେଣ୍ଟ୍ ଆପ୍ ଭାବେ ପରିଚିତ। ୟୁପିଆଇ୍ ଆପ୍ଗୁଡ଼ିକ ଡିଜିଟାଲ୍ ପେମେଣ୍ଟ୍କୁ ଅତି ସହଜ କରିପାରିଛି। ସେ ବିଷୟରେ ଆମର ଏହି ବିଶେଷ ଉପସ୍ଥାପନା:
/sambad/media/post_attachments/wp-content/uploads/2020/07/digital-payment-1.jpg)
ଏସ୍ବିଆଇ ୟୋନୋ
ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଡିଜିଟାଲ୍ ଆପ୍ ହେଉଛି ୟୋନୋ। ଏହା ଜରିଆରେ ବିଲ୍ ପେମେଣ୍ଟ୍ କରିବା, ରିଚାର୍ଜ, ସିନେମା ଟିକଟ ବୁକିଙ୍ଗ୍, ହୋଟେଲ୍ ବୁକିଂ, ସପିଙ୍ଗ୍, ବାଲାନ୍ସ ଜାଣିବା, ଟଙ୍କା ପଠାଇବା ଏବଂ ଆହୁରି ଅନେକ ପ୍ରକାର କାର୍ଯ୍ୟ ହୋଇପାରୁଛି। ବିଭିନ୍ନ ଭାଷାରେ ଏହି ଆପ୍ ଉପଲବ୍ଧ ହୋଇଥିବାରୁ ବିଭିନ୍ନ ସ୍ଥାନର ଲୋକମାନେ ଏହାକୁ ସହଜରେ ବ୍ୟବହାର କରିପାରୁଛନ୍ତି। ନିଜର ବିଭିନ୍ନ ପ୍ରକାର ଦେୟ, ମନି ଟ୍ରାନ୍ସଫର ବିଷୟରେ ଏହା ବ୍ୟବହାରକାରୀଙ୍କୁ ଆଗୁଆ ସୂଚନା ମଧ୍ୟ ଦେଉଛି। ଏଥିରେ ମିନି ଷ୍ଟେଟ୍ମେଣ୍ଟ୍ ମଧ୍ୟ ଦେଖି ହେଉଛି।
ପେଟିଏମ୍: ଏହା ହେଉଛି ଦେଶର ଅନ୍ୟତମ ବହୁଳ ଭାବେ ବ୍ୟବହୃତ ହେଉଥିବା ପେମେଣ୍ଟ୍ ଆପ୍। ଏଥିରେ ଡିଜିଟାଲ୍ ୱାଲେଟ୍ ସୁବିଧା ରହିଛି ଯେଉଁଥିରେ ଗ୍ରାହକମାନେ ଟଙ୍କା ରଖି କାରବାର କରିପାରିବେ। ଅନ୍ୟଥା ଏହାର ୟୁପିଆଇ ପେମେଣ୍ଟ୍ ବ୍ୟବସ୍ଥାକୁ ଗ୍ରହଣ କରି ସିଧାସଳଖ ନିଜ ବ୍ୟାଙ୍କ ଆକାଉଣ୍ଟ୍ରୁ ଟଙ୍କା ପଠାଇପାରିବେ। ୨୦୧୦ରେ ଏହି ଆପ୍ ଆରମ୍ଭ ହୋଇଛି। ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସବୁ ସ୍ତରରେ ଏହି ଆପ୍କୁ ବ୍ୟବହାର କରାଯାଉଛି। ପେଟିଏମ୍ ଜରିଆରେ ବିଲ୍ ପେମେଣ୍ଟ୍, ବିଭିନ୍ନ ପ୍ରକାର ରିଚାର୍ଜ, ମନି ଟ୍ରାନ୍ସଫର, ଟିକଟ ବୁକିଙ୍ଗ୍ ଆଦି କାମ ହୋଇପାରୁଛି।
ଫୋନ୍ପେ
ଦେଶର ଅନ୍ୟତମ ବହୁଳ ଭାବେ ବ୍ୟବହାର ହେଉଥିବା ପେମେଣ୍ଟ୍ ଆପ୍ ହେଉଛି ଫୋନ୍ପେ। ୨୦୧୫ରେ ଆରମ୍ଭ ହୋଇଥିବା ଏହି ଆପ୍କୁ ଭାରତରେ ୧୦ କୋଟିରୁ ଅଧିକ ଥର ଡାଉନ୍ଲୋଡ୍ କରାଯାଇଛି। ଏଥିରେ ୟୁପିଆଇ ପେମେଣ୍ଟ୍, ରିଚାର୍ଜ, ମନି ଟ୍ରାନ୍ସଫର କରିବା ଏବଂ ଅନ୍ଲାଇନ୍ ବିଲ୍ ପେମେଣ୍ଟ୍ କରିବା ଭଳି ଅନେକ ପ୍ରକାର ସୁବିଧା ରହିଛି। ଏହାର ବ୍ୟବହାରକାରୀମାନେ ଯେକୌଣସି ଦୋକାନରେ କ୍ୟୁଆର୍ କୋଡ୍ ସ୍କାନ୍ କରି ପେମେଣ୍ଟ୍ କରିପାରିବେ।
ଗୁଗୁଲ୍ ପେ
ପୂର୍ବରୁ ଗୁଗୁଲ୍ ତେଜ୍ ନାମରେ ପରିଚିତ ଥିବା ଗୁଗୁଲ୍ ପେ ଆପ୍କୁ ମଧ୍ୟ ଭାରତରେ ଅନେକ ଲୋକ ବ୍ୟବହାର କରୁଛନ୍ତି। ଏହି ଆପ୍ ଜରିଆରେ ନିଜ ସମ୍ପର୍କୀୟଙ୍କୁ ଟଙ୍କା ପଠାଇବା ଠାରୁ ଆରମ୍ଭ କରି ଫୋନ୍ ରିଚାର୍ଜ କରିହେବ ଏବଂ ଅନ୍ଲାଇନ୍ରେ ଜିନିଷ ଆଦି କିଣାକିଣି କରାଯାଇପାରୁଛି। ଏହା ସହିତ ଲିଙ୍କ୍ ହୋଇଥିବା ବ୍ୟାଙ୍କ ଖାତାରୁ ଟଙ୍କା ସିଧାସଳଖ କଟିଯିବ। ଏଥିରେ ବାରମ୍ବାର ଟଙ୍କା ଲୋଡ୍ କରିବାକୁ ପଡ଼ିବ ନାହିଁ। ଅତିରିକ୍ତ କେୱାଇସି ମଧ୍ୟ ଦରକାର ପଡ଼ିବନି। ପେମେଣ୍ଟ୍ ବା ରିଚାର୍ଜ ବେଳେ ସ୍କ୍ରାଚ୍ କାର୍ଡ ଏବଂ ରିୱାର୍ଡ ଆଦି ମିଳୁଛି।
ମୋବିକ୍ବିକ୍
ମୋବିକ୍ବିକ୍ ମଧ୍ୟ ଉଭୟ ସାଧାରଣ ଜନତା ଏବଂ ବ୍ୟବସାୟୀମାନଙ୍କୁ ଡିଜିଟାଲ୍ ପେମେଣ୍ଟ୍ ସେବା ପ୍ରଦାନ କରୁଛି। ଏଥିରେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ନେଟ୍ ବ୍ୟାଙ୍କିଙ୍ଗ୍ ଆଦିକୁ ବ୍ୟବହାର କରି ଟଙ୍କା ଭର୍ତ୍ତି କରିହେବ। ସେହି ଟଙ୍କାକୁ ରିଚାର୍ଜ, ବିଲ୍ ପେମେଣ୍ଟ୍, ୟୁଟିଲିଟି ବିଲ୍ ପଇଠ ଓ ଅନ୍ଲାଇନ୍ରେ ସପିଙ୍ଗ୍ ପାଇଁ ବ୍ୟବହାର କରାଯାଇପାରିବ। ଏଥିରେ ଏକ୍ସପେନ୍ସେସ୍ ଟ୍ରାକର୍ ବ୍ୟବସ୍ଥା ରହିଛି ଯାହା ଜରିଆରେ ବ୍ୟବହାରକାରୀ ନିଜ ଖର୍ଚ୍ଚ ବିଷୟରେ ଜାଣିପାରିବେ।
ଆମାଜନ୍ ପେ’
ଆମାଜନ୍ ଇଣ୍ଡିଆର ଡିଜିଟାଲ୍ ପେମେଣ୍ଟ୍ ଆପ୍ ହେଉଛି ଆମାଜନ୍ ପେ’। ବିଜ୍ଞାପନ ଜରିଆରେ କଂପାନି ଏହାର ବହୁଳ ପ୍ରଚାର କରୁଛି। ୨୦୧୭ରେ ଏହା ଭାରତରେ ଉନ୍ମୋଚିତ ହୋଇଥିଲା। ଆମାଜନ୍ ପେ’ ଜରିଆରେ ବ୍ୟବହାରକାରୀମାନେ ସହଜରେ ପେମେଣ୍ଟ୍ କରିପାରିବେ।