ଡିସେମ୍ବର ୧ରେ ଆସିବ ଖୁଚୁରା ଡିଜିଟାଲ ଟଙ୍କା

ମୁମ୍ବାଇ : ହୋଲସେଲ ଡିଜିଟାଲ୍ ଟଙ୍କାର ପାଇଲଟ ପ୍ରକଳ୍ପ ଆରମ୍ଭ ହେବାର ମାସକ ପରେ ରିଟେଲ ଡିଜିଟାଲ ଟଙ୍କା ଆରମ୍ଭ କରିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆସନ୍ତା ଡିସେମ୍ବର ୧ରୁ ରିଟେଲ ଡିଜିଟାଲ ଟଙ୍କା ଆରମ୍ଭ ହେବ ।

ପ୍ରଥମ ପର୍ଯ୍ୟାୟରେ କେତେକ ବଛା ବଛା ବ୍ୟାଙ୍କକୁ ନେଇ ଓ ପୂର୍ବରୁ ଚିହ୍ନଟ ହୋଇଥିବା କେତେକ ମର୍ଚ୍ଚାଣ୍ଟ ଓ ଗ୍ରାହକଙ୍କୁ ନେଇ ଏହି ପାଇଲଟ ପ୍ରକଳ୍ପ ଆରମ୍ଭ ହେବ । ଏକ ଡିଜିଟାଲ ଟୋକେନ ଆକାରରେ ଇ-ରୁପି (ଆର) ( ଖୁଚୁରା ଡିଟିଟାଲ ଟଙ୍କା)ର ପ୍ରଚଳନ କରାଯିବ । କାଗଜ ଟଙ୍କା ଯେତେ ମୂଲ୍ୟର ଅଛି ସେତେ ପ୍ରକାରର ଇ-ରୁପି (ଆର) ପ୍ରଚଳନ କରାଯିବ । ବ୍ୟାଙ୍କ ମାନଙ୍କ ମାଧ୍ୟମରେ ଏଗୁଡ଼ିକର ବିତରଣ କରାଯିବ ଓ ମୋବାଇଲ ଫୋନରେ ଡିଜିଟାଲ ଓ୍ବାଲେଟ ଆକାରରେ ରଖାଯିବ । ଗ୍ରାହକ ଓ ମର୍ଚ୍ଚାଣ୍ଟ କିମ୍ବା ଗ୍ରାହକ-ଗ୍ରାହକ ମଧ୍ୟରେ ନେଣଦେଣ ହୋଇପାରିବ । ଆପଣ ଯଦି ଗୋଟିଏ ଦୋକାନୀକୁ ପେମେଣ୍ଟ କରିବାକୁ ଚାହୁଁଛନ୍ତି, ତେବେ ଦୋକାନରେ ଥିବା କ୍ୟୁଆର କୋଡ୍ ମାଧ୍ୟମରେ ପେମେଣ୍ଟ କରିପାରିବେ ।

ଏହି ପାଇଲଟ ପରୀକ୍ଷଣ ପାଇଁ ୮ଟି ବ୍ୟାଙ୍କକୁ ଚୟନ କରାଯାଇଛି । ସେମାନେ ହେଲେ ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟେସ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ମହିନ୍ଦ୍ରା ବ୍ୟାଙ୍କ, ଆଇଡିଏଫସି ବ୍ୟାଙ୍କ ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ନଭେମ୍ବର ୧ରେ ପରୀକ୍ଷାମୂଳକଭାବେ ଡିଜିଟାଲ ଟଙ୍କା (ହୋଲସେଲ)ର ପାଇଲଟ ପ୍ରକଳ୍ପ ଆରମ୍ଭ ହୋଇଥିଲା ।

 

 

ସମ୍ବନ୍ଧିତ ଖବର