ଚାଷ ପାଇଁ ଡିଜିଟାଲ୍ ପଦକ୍ଷେପ, ପ୍ରୋତ୍ସାହନ, ଖୋଲିବ ୧୫୭ ନୂଆ ନର୍ସିଂ କଲେଜ
ମିଲେଟ୍କୁ କହିଲେ ‘ଶ୍ରୀଅନ୍ନ’, ୨୦ ଲକ୍ଷ କୋଟିର ସବ୍ସିଡି
ନୂଆଦିଲ୍ଲୀ: କୃଷି କ୍ଷେତ୍ରର ବିକାଶ ଲାଗି ବଜେଟ୍ରେ ଡିଜିଟାଲ୍ ପଦକ୍ଷେପ ଓ ପ୍ରୋତ୍ସାହନ ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରାକୃତିକ ଚାଷ (ନାଚୁରାଲ୍ ଫାର୍ମିଂ)ର ପ୍ରସାର ଓ ଗ୍ରାମୀଣ ଷ୍ଟାର୍ଟଅପ୍ ଗଠନ ଲାଗି ପାଣ୍ଠି ପ୍ରଦାନ କରିବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଗ୍ରାମାଞ୍ଚଳରେ କୃଷି କ୍ଷେତ୍ରର ଷ୍ଟାର୍ଟଅପ୍ଗୁଡ଼ିକୁ ସମୃଦ୍ଧ କରିବା ଲାଗି ସରକାର ଏକ କୃଷି ଆସେଲେଟର ଫଣ୍ଡ୍ ସ୍ଥାପନ କରିବେ। ସରକାର ଏକ ଓପୋନ୍ ସୋର୍ସ, ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମିର ମଧ୍ୟ ବିକାଶ କରିବେ। କୃଷି କ୍ଷେତ୍ର ପାଇଁ ଏକ ଡିଜିଟାଲ୍ କୃଷି ଷ୍ଟାକ୍ ପ୍ରସ୍ତୁତ ହେବ ଯାହା ତଥ୍ୟ ରିପୋଜିଟୋରି ଭାବେ କାମ ରିବ। ଏହାକୁ ନିର୍ମାଣ କରାଯାଉଛି ଏବଂ ଓପୋନ୍ ସୋର୍ସ ଅଭିଯାନର ଲାଭ ଘରୋଇ କ୍ଷେତ୍ରକୁ ମଧ୍ୟ ମିଳିବ। ଏହି ପଦକ୍ଷେପଗୁଡ଼ିକ ଦ୍ବାରା ଚାଷୀମାନଙ୍କୁ ଫସଲ ଯୋଜନା ଓ ସ୍ବାସ୍ଥ୍ୟ ପାଇଁ ଆବଶ୍ୟକ ସୂନା ମିଳିବ, କୃଷି ସରଞ୍ଜାମ, ଋଣ ଓ ଇନ୍ପୁଟ୍ ଠିକ୍ ଭାବେ ପହଞ୍ଚିପାରିବ, ଫସଲର ଆକଳନ କରିବା, ବଜାର ଗୁଇନ୍ଦା ଆଦି କ୍ଷେତ୍ରରେ ତାହା ସହାୟକ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳାତ ସୀତାରମଣ କହିଛନ୍ତି।
ଜିଡିପିକୁ ୧୫ ପ୍ରତିଶତ ଅବଦାନ ଦେଉଥିବା ଏବଂ ସର୍ବାଧିକ ନିଯୁକ୍ତି ସୃଷ୍ଟି କରୁଥିବା କୃଷି କ୍ଷେତ୍ର ପାଇଁ ସରକାର ସବ୍ସିଡି ସୀମାକୁ ୨୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। କୃଷି କ୍ଷେତ୍ର ଲାଗି ବଜେଟ୍ରେ ୧.୨୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ଧାର୍ଯ୍ୟ କରାଯାଇଛି। ଖାଦ୍ୟ ସବ୍ସିଡି ୧.୯୭ ଲକ୍ଷ କୋଟି ଟଙ୍କା ରହିଥିବା ବେଳେ ସାର ସବ୍ସିଡି ୧.୭୫ ଲକ୍ଷ କୋଟି ଟଙ୍କା ରହିଛି। ହାଇଦ୍ରାବାଦର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମିଲେଟ୍ ରିସର୍ଚ୍ଚକୁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ। ମିଲେଟ୍କୁ ଶ୍ରୀଅନ୍ନ ନାମ ଦିଆଯାଇଛି। ନାଚୁରାଲ୍ ଫାର୍ମିଂ ପାଇଁ ଏକ କୋଟି ଚାଷୀଙ୍କ ନିମନ୍ତେ ପ୍ରୋତ୍ସାହଜନ ଘୋଷଣା କରାଯିବ। ଦୂରଦୂରାନ୍ତ ସ୍ଥାନରେ ଥିବା ଚାଷୀମାନଙ୍କ ପାଖରେ ଋଣ ପହଞ୍ଚାଇବା ଲାଗି ୨୫୧୬ କୋଟି ଟଙ୍କା ବ୍ୟୟରେ ୬୩,୦୦୦ ପ୍ରାଥମିକ କୃଷି ସୋସାଇଟିର କମ୍ପ୍ୟୁଟରୀକରଣ ଆରମ୍ଭ କରାଯାଇଛି। ଲମ୍ବା କପା ଉତ୍ପାଦକତା ବଢ଼ାଇବା ଲାଗି ଘରୋଇ ସରକାରୀ ସହଭାଗିତାରେ କ୍ଲଷ୍ଟର ବିକାଶ କରାଯିବ ବୋଲି ଘୋଷଣା କରାଯିବ। ଏଥିପାଇଁ ସରକାର ଓ ଚାଷୀଙ୍କ ମଧ୍ୟରେ ବୁଝାମଣା ହେବ। ଫସଲକୁ ସାଇତି ରଖିବାରେ ଚାଷୀଙ୍କୁ ସାହାଯ୍ୟ କଯରିବା ଲାଗି ସରକାର ବିକେନ୍ଦ୍ରୀକରଣ ଗୋଦାମ ଘରର ଶୃଙ୍ଖଳା ସ୍ଥାପନ କରିବାକୁ ଯୋଜନା ରଖିଛନ୍ତି।
୧୫୭ ନୂଆ ନର୍ସିଂ କଲେଜ ଖୋଲିବ
ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ସ୍ବାସ୍ଥ୍ୟ କ୍ଷେତ୍ର ଲାଗଗି ବ୍ୟୟବରାଦକୁ ୧୩ ପ୍ରତିଶତ ବୃଦ୍ଧି କରି ୮୯,୧୫୫ କୋଟି ଟଙ୍କା ଦିଆଯାଇଛି। ୨୦୨୨-୨୩ରେ ଏହି କ୍ଷେତ୍ରକୁ ୭୯,୧୪୫ କୋଟି ଟଙ୍କା ଦିଆଯାଇଥିଲା। ୨୦୪୭ ସୁଦ୍ଧା ସିକିଲ୍ ସେଲ୍ ଓ ରକ୍ତହୀନତା ଦୂର କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୧୫୭ଟି ପୁରୁଣା ମେଡିକାଲ୍ କଲେଜ ପାଖାପଖି ୧୫୭ଟି ନର୍ସିଂ କଲେଜ ସ୍ଥାପନ କରାଯିବ। ଆଇସିଏମ୍ଆର୍ରେ ଘରୋଇ ମେଡିକାଲ୍ କଲେଜର ଫାକଲ୍ଟି ସଦସ୍ୟମାନଙ୍କୁ ଗବେଷଣା କରିବାର ଅନୁମତି ଦିଆଯିବ।
ଏଥର ଆୟୁଷ୍ ମନ୍ତ୍ରାଳୟ ୩.୬୪୭.୫୦ କୋଟି ଟଙ୍କା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଲାଗି ୮୯,୧୫୫ କୋଟି ଟଙ୍କା ଏବଂ ସ୍ବାସ୍ଥ୍ୟ ଗବେଷଣା ବିଭାଗକୁ ୨,୯୮୦ କୋଟି ଟଙ୍କା ଦିଆଯାଇଛି। ୨୨ ନୂଆ ଏମ୍ସ୍ ପାଇଁ ୬,୮୩୫ କୋଟି ଟଙ୍କା ଦିଆଯାଇଛି। ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ପାଇଁ ୩,୩୬୫ କୋଟି ଟଙ୍କା ଦିଆଯାଇଥିବା ବେଳେ ଜାତୀୟ ସ୍ବାସ୍ଥ୍ୟ ମିସନ ପାଇଁ ୨୯,୦୮୬ କୋଟି ଟଙ୍କା ଦିଆଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଜନ ଆରୋଜ୍ୟ ଯୋଜନା ପାଇଁ ୭୨୦୦ କୋଟି ଟଙ୍କା ଦିଆଯାଇଛି। ଜାତୀୟ ଡିଜିଟାଲ୍ ସ୍ବାସ୍ଥ୍ୟ କମିସନକୁ ୩୪୧ କୋଟି ଟଙ୍କା, ଜାତୀୟ ଟେଲି ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପାଇଁ ୧୩୩.୭୩ କୋଟି ଟଙ୍କା ଦିଆଯାଇଛି।