୫୫% ହାରରେ ବଢ଼ୁଛି ଡିଜିଟାଲ୍ କାରବାର

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିକୁ ଡିଜିଟାଲ ଅର୍ଥନୀତିରେ ପରିଣତ କରିବା ଲାଗି ସରକାର ଏବଂ ରିଜର୍ଭ ବ୍ୟାଙ୍କ ଚଳାଇଥିବା ଉଦ୍ୟମର ଫଳ ମିଳିବାରେ ଲାଗିଛି। ଗତ ୫ ବର୍ଷ ମଧ୍ୟରେ ଦେଶରେ ଡିଜିଟାଲ ପେମେଣ୍ଟ ସଂଖ୍ୟାରେ ବାର୍ଷିକ ୫୫.୧ ପ୍ରତିଶତ ଅଭିବୃଦ୍ଧି ଘଟିଛି। ରିଜର୍ଭ ବ୍ୟାଙ୍କ ତଥ୍ୟରୁ ଏହା ଜଣାପଡ଼ିଛି। ୨୦୧୫-୧୬ ଆର୍ଥିକ ବର୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷ ମଧ୍ୟରେ ଏହି ବୃଦ୍ଧି ଘଟିଛି। ୨୦୧୬ ମାର୍ଚ୍ଚ ମାସରେ ଦେଶରେ ଡିଜିଟାଲ ପେମେଣ୍ଟ ସଂଖ୍ୟା ୫୯୩.୬୧ କୋଟି ରହିଥିଲା। ୨୦୨୦ ମାର୍ଚ୍ଚ ବେଳକୁ ଏହି ସଂଖ୍ୟା ୩୪୩୪.୫୬ରେ ପହଞ୍ଚିଛି। ଅର୍ଥାତ୍ ଗତ ୫ଟି ଆର୍ଥିକ ବର୍ଷ ମଧ୍ୟରେ ଏହି କାରବାର ସଂଖ୍ୟାରେ ବାର୍ଷିକ ୫୫.୧ ପ୍ରତିଶତ ବୃଦ୍ଧି ଘଟିଛି।

ସେହିଭଳି ମୂଲ୍ୟ ଦୃଷ୍ଟିରୁ ବାର୍ଷିକ ଡିଜିଟାଲ ପେମେଣ୍ଟର ଅଭିବୃଦ୍ଧି ହାର ୧୫.୨ ପ୍ରତିଶତ ରହିଛି। ୨୦୧୬ ମାର୍ଚ୍ଚ ମାସରେ ଦେଶରେ ଡିଜିଟାଲ କାରବାର ପରିମାଣ ୯୨୦.୩୮ ଲକ୍ଷ କୋଟି ଟଙ୍କା ରହିଥିଲା। ତେବେ ୨୦୨୦ ମାର୍ଚ୍ଚ ବେଳକୁ ଏହି କାରବାର ରାଶି ୧୬୨୩.୦୫ ଲକ୍ଷ ‌କୋଟିରେ ପହଞ୍ଚିଯାଇଛି। ୨୦୧୫-୧୬ ଆର୍ଥିକ ବର୍ଷ ତୁଳନାରେ ୨୦୧୬-୧୭ ଆର୍ଥିକ ବର୍ଷରେ ଡିଜିଟାଲ କାରବାର ସଂଖ୍ୟା ୫୯୩.୬୧ କୋଟିରୁ ୯୨୦.୩୮ ଲକ୍ଷ କୋଟିକୁ ବୃଦ୍ଧି ପାଇଥିଲା। ସେହିଭଳି ମୂଲ୍ୟ ଦୃଷ୍ଟିରୁ ଏହି ରାଶି ୧୧୨୦.୯୯ ଲକ୍ଷ କୋଟି ଟଙ୍କା ଛୁଇଁଥିଲା। ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶରେ ଡିଜିଟାଲ କାରବାର ସଂଖ୍ୟା ଓ ରାଶି ଯଥାକ୍ରମେ ୧୪୫୯.୦୧ କୋଟିକୁ ଏବଂ ୧୩୬୯.୮୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୧୮-୧୯ ଆର୍ଥିକ ବର୍ଷରେ ମଧ୍ୟରେ ଏହା ଯଥାକ୍ରମେ ୨୩୪୩.୪୦ କୋଟିକୁ ଏବଂ ୧୬୩୮.୫୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ତେବେ ୨୦୧୯-୨୦ ଆର୍ଥିକ ବର୍ଷରେ ଡିଜିଟାଲ କାରବାର ସଂଖ୍ୟା ବୃଦ୍ଧି ପାଇଛି। ଏହି ସଂଖ୍ୟା ୩୪୩୪.୫୬ କୋଟିରେ ପହଞ୍ଚିଛି। କିନ୍ତୁ ମୂଲ୍ୟଦୃଷ୍ଟିରୁ ଏହା ୧୬୨୩.୦୫ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି।

ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଇବା ସହିତ ବ୍ୟାପକ ମାତ୍ରାରେ ଛଟେଇ ‌ଆଦି କାରଣ ଯୋଗୁ ଲୋକମାନେ ନଗଦ ଅର୍ଥ କମ୍ ଖର୍ଚ୍ଚ କରିବା ସହିତ ଅଧିକ ସଞ୍ଚୟ କରିବା ଉପରେ ଗୁରୁତ୍ବ ଦେଉଛନ୍ତି। ଏଥିଯୋଗୁଁ ଡିଜିଟାଲ କାରବାର ରାଶି ହ୍ରାସ ପାଇଥିବା କୁହାଯାଉଛି। କିନ୍ତୁ ୫ ବର୍ଷର କାରବାରକୁ ଦେଖିଲେ ଡିଜିଟାଲ ପୈଠ କାରବାର ସଂଖ୍ୟା ୫୫.୧ ପ୍ରତିଶତ ଏବଂ କାରବାର ରାଶିରେ ୧୫.୨ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ରିଜର୍ଭ ବ୍ୟାଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର