ନୂଆଦିଲ୍ଲୀ: ଭାରତ ଦ୍ରୁତ ଗତିରେ ଏକ ଡିଜିଟାଲ୍ ଅର୍ଥନୀତି ଭାବେ ଉଭା ହୋଇଛି। ଚଳିତ ବର୍ଷ ଦୀପାବଳିରେ ଏହାର ଏକ ବଳିଷ୍ଠ ପ୍ରମାଣ ମିଳିଛି। ଲୋକମାନେ ଆଉ ନଗଦ ଖୋଜୁନାହାନ୍ତି। କିଣାକିଣି ବେଳେ ଡିଜିଟାଲ୍ରେ ପେମେଣ୍ଟ୍ କରିବା ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ସେଥିପାଇଁ ଦୀପାବଳି ସମୟରେ ନଗଦ ରାଶିରେ ହେଉଥିବା କାରବାର ୭,୬୦୦ କୋଟି ଟଙ୍କା ହ୍ରାସ ପାଇଛି। ଗତ ୨୦ ବର୍ଷ ଭିତରେ ଏହା ହେଉଛି ପ୍ରଥମ ଘଟଣା ଯେଉଁଠାରେ ଦେଶର ଏକ ବଡ଼ ଉତ୍ସବରେ ଲୋକମାନେ ନଗଦକୁ ଅଧିକ ବ୍ୟବହାର କରିନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏସ୍ବିଆଇ ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ଅର୍ଥନୀତି ଏବେ ଢାଞ୍ଚାଗତ ପରିବର୍ତ୍ତନ ଦେଇ ଗତି କରୁଛି। ୨୦୦୯ରେ ଦୀପାବଳି ପାଳନ କରାଯାଇଥିବା ସପ୍ତାହରେ ପ୍ରଚଳନରେ ଥିବା ନଗଦ ରାଶି ପରିମାଣ ୯୫୦ କୋଟି ଟଙ୍କା ହ୍ରାସ ପାଇଥିଲା। ୨୦୦୮ରେ ଦେଖାଦେଇଥିବା ଅର୍ଥନୈତିକ ମାନ୍ଦାବସ୍ଥା ଓ ବିଶ୍ବ ଆର୍ଥିକ ସଙ୍କଟର ପ୍ରଭାବରେ ସେଭଳି ସ୍ଥିତି ସୃଷ୍ଟି ହୋଇଥିଲା। ମାତ୍ର ଏଥର କିନ୍ତୁ ଭିନ୍ନ କାରଣ ପାଇଁ ପ୍ରଚଳନରେ ଥିବା ନଗଦ ରାଶି ପରିମାଣ କମ୍ ହୋଇଛି। ପ୍ରଯୁକ୍ତି କ୍ଷେତ୍ରରେ ନବସୃଜନ ଯୋଗୁ ଭାରତୀୟ ପେମେଣ୍ଟ୍ ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। କିଛି ବର୍ଷ ଭିତରେ ଏକ ନଗଦ ରାଶିର ଅର୍ଥନୀତି କୁହାଯାଉଥିବା ଭାରତ ସ୍ମାର୍ଟଫୋନ୍ ପେମେଣ୍ଟ୍ ଭିତ୍ତିକ ଡିଜିଟାଲ୍ ଅର୍ଥନୀତିରେ ରୂପାନ୍ତରିତ ହୋଇଛି।
ୟୁନିଫାଏଡ୍ ପେମେଣ୍ଟ୍ ଇଣ୍ଟରଫେସ୍ (ୟୁପିଆଇ), ଡିଜିଟାଲ୍ ୱାଲେଟ୍ ଏବଂ ପ୍ରିପେଡ୍ ପେମେଣ୍ଟ୍ ଇନଷ୍ଟ୍ରୁମେଣ୍ଟ୍ ଯୋଗୁ ଲୋକମାନେ ଅତି ସହଜରେ ଡିଜିଟାଲ୍ ମାଧ୍ୟମରେ ପେମେଣ୍ଟ୍ କରିପାରୁଛନ୍ତି। ଦେଶରେ ହେଉଥିବା ମୋଟ ଡିଜିଟାଲ୍ ଆର୍ଥିକ କାରବାରରେ ସ୍ମାର୍ଟଫୋନ୍କୁ ବ୍ୟବହାର କରି କରାଯାଉଥିବା ୟୁପିଆଇ ପେମେଣ୍ଟ୍ର ଭାଗ ୧୬ ପ୍ରତିଶତ, ଆଇଏମ୍ପିଏସ୍ର ୧୨ ପ୍ରତିଶତ ଏବଂ ଇ-ୱାଲେଟ୍ର ଭାଗ ୧ ପ୍ରତିଶତ ରହିଛି। ୨୦୧୫-୧୬ ଆର୍ଥିକ ବର୍ଷରେ ମୋଟ କାରବାରରେ ନଗଦ ରାଶିର ଭାଗ ୮୮ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା। ୨୦୨୧-୨୨ ସୁଦ୍ଧା ତାହା ୨୦ ପ୍ରତିଶତକୁ ହ୍ରାସ ପାଇଛି ଏବଂ ୨୦୨୬-୨୭ ସୁଦ୍ଧା ତାହା ଆହୁରି ତଳକୁ ଖସି ୧୧.୧୫%କୁ ହ୍ରାସ ପାଇବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ମୋଟ କାରବାରରେ ଡିଜିଟାଲ୍ର ଭାଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୧୫-୧୬ରେ ଡିଜିଟାଲ୍ କାରବାରର ଭାଗ ୧୧.୨୬% ଭଳି ନିମ୍ନ ସ୍ତରରେ ଥିଲା। ୨୦୨୧-୨୨ ସୁଦ୍ଧା ସେହି ହାର ୮୦.୪%କୁ ବୃଦ୍ଧି ପାଇଥିବା ବେଳେ ୨୦୨୬-୨୭ ସୁଦ୍ଧା ୮୮ ପ୍ରତିଶତରେ ପହଞ୍ଚିବ ବୋଲି ଆକଳନ କରାଯାଇଛି।