ବେଙ୍ଗାଲୁରୁ: ଏଟିଏମ୍ରୁ ନଗଦ ଟଙ୍କା ଉଠାଣ ଉପରେ ରହିଥିବା ନିର୍ଭରଶୀଳତା ହ୍ରାସ ପାଇବାରେ ଲାଗିଛି। ଲୋକମାନେ ଡିଜିଟାଲ୍ ମାଧ୍ୟମରେ ଅଧିକ କାରବାର କରିବାକୁ ପସନ୍ଦ କରୁଛନ୍ତି। ୨୦୧୯ର ଶେଷ ତିନି ମାସରେ ଏଭଳି ଧାରା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। ଏହିବର୍ଷର ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଲୋକମାନେ ଏଟିଏମ୍ରୁ ୯.୧୨ ଲକ୍ଷ କୋଟି ଟଙ୍କା ଉଠାଇଥିଲେ। ସେହି ସମୟରେ ଡିଜିଟାଲ୍ ମାଧ୍ୟମରେ ୧୦.୫୭ ଲକ୍ଷ କୋଟି ଟଙ୍କାର କାରବାର କରିଥିଲେ। ଗତବର୍ଷର ଶେଷ ତିନି ମାସରେ ଏଟିଏମ୍ ଉଠାଣ ସ୍ତରକୁ ଅତିକ୍ରମ କରିବା ପରେ ୨୦୨୦ ଜାନୁଆରିରୁ ମାର୍ଚ୍ଚ ଭିତରେ ଡିଜିଟାଲ୍ ପେମେଣ୍ଟ୍ ବହୁତ ଆଗକୁ ବଢ଼ିଯାଇଛି। କାର୍ଡ ଓ ମୋବାଇଲ୍ ଜରିଆରେ ଏହି ତିନି ମାସରେ ୧୦.୯୭ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି। ସେହି ସମୟରେ କିନ୍ତୁ ଏଟିଏମ୍ରୁ ଟଙ୍କା ଉଠାଣ ୫% ହ୍ରାସ ସହ ୮.୬୬ ଲକ୍ଷ କୋଟି ଟଙ୍କାକୁ ଖସିଯାଇଛି। ବ୍ୟାଙ୍କଗୁଡ଼ିକରୁ ମିଳିଥିବା ସଙ୍କେତ ଯଦି ସତ ହୋଇଥିବ ତେବେ ଲକ୍ଡାଉନ୍ ଘୋଷଣା ପରବର୍ତୀ ସମୟରେ ଡିଜିଟାଲ୍ ପେମେଣ୍ଟ୍ର ଗ୍ରହଣୀୟତା ଆହୁରି ବହୁତ ବଢ଼ିଯାଇଛି ବୋଲି ବିଶ୍ବାସ କରିବାକୁ ହେବ।
ଏସ୍ଆଣ୍ଡ୍ପି ଗ୍ଲୋବାଲ୍ ମାର୍କେଟ୍ ଇଣ୍ଟେଲିଜେନ୍ସର ଫିନ୍ଟେକ୍ ଆନାଲିଷ୍ଟ୍ ସମ୍ପତ ଶର୍ମା କହିଛନ୍ତି, ଲକ୍ଡାଉନ୍ ଘୋଷଣା ହେବା ପରେ ଗତ ଏପ୍ରିଲ୍ ଓ ମେ'ରେ ସାମଗ୍ରୀ ପରିବହନ ଓ ଲୋକଙ୍କ ଚଳପ୍ରଚଳ ଉପରେ କଟକଣା ରହିଥିଲା। ଏହି ସମୟରେ ଆମେରିକା, ବ୍ରିଟେନ୍, ଥାଇଲ୍ୟାଣ୍ଡ୍ ଓ ସିଙ୍ଗାପୁର ତୁଳନାରେ ଭାରତରେ ଡିଜିଟାଲ୍ କାରବାରର ଗ୍ରହଣୀୟତା ଅଧିକ ଦ୍ରୁତ ବେଗରେ ବଢ଼ିଛି। ଲୋକମାନେ ୟୁପିଆଇକୁ ବହୁ ମାତ୍ରାରେ ବ୍ୟବହାର କରିଛନ୍ତି। ଏ ସମ୍ପର୍କରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ବରିଷ୍ଠ ଉପସଭାପତି ଶେଖର ଭଣ୍ଡାରି କହିଛନ୍ତି ଯେ, ଏହି ଧାରା ଆଗାମୀ ଦିନରେ ଜାରି ରହିବ। ଏହି ସ୍ଥିତିକୁ ବିମୁଦ୍ରୀକରଣର ପରବର୍ତୀ ସ୍ଥିତି ସହ ତୁଳନା କରାଯାଇପାରିବ ନାହିଁ। କାରଣ କରୋନା ସଙ୍କଟ ଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିଛି। ଲୋକମାନେ ସ୍ବାସ୍ଥ୍ୟ ସଚେତନ ହୋଇପଡ଼ିଥିବାରୁ ଡିଜିଟାଲ୍ ମାଧ୍ୟମକୁ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି। ସହଜ, ଶୀଘ୍ର ଓ ସୁରକ୍ଷିତ ଭାବେ କାରବାର ହୋଇପାରୁଥିବାରୁ ଲୋକମାନେ ନଗଦ ଟଙ୍କା ବଦଳରେ ଡିଜିଟାଲ୍ କାରବାରକୁ ଅଧିକ ପସନ୍ଦ କରୁଛନ୍ତି। ଏହି ସୁବିଧା ଏବେ ସବୁ ସ୍ଥାନରେ ମିଳିବା ମଧ୍ୟ ଆରମ୍ଭ ହୋଇଗଲାଣି ବୋଲି ସେ କହିଛନ୍ତି। ଗତ ଏପ୍ରିଲ୍ରେ ଦେଶରେ ୧.୫୧ ଲକ୍ଷ କୋଟି ଟଙ୍କାର କାରବାର ୟୁପିଆଇ ଜରିଆରେ ହୋଇଥିଲା। ମେ' ମାସରେ ସେହି ମାତ୍ରା ଆହୁରି ବୃଦ୍ଧି ପାଇ ୨.୧୮ ଲକ୍ଷ କୋଟି ଟଙ୍କା ହୋଇଛି। କାର୍ଡ ତୁଳନାରେ ୟୁପିଆଇରେ ଅଧିକ କାରବାର ହେଉଛି। ୨୦୧୯ ଡିସେମ୍ବରରେ କାର୍ଡ ଜରିଆରେ ୧.୫ ଲକ୍ଷ କୋଟି ଟଙ୍କାର କାରବାର ହୋଇଥିବା ବେଳେ ୟୁପିଆଇରେ ୨ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି।
ଗତ ମେ'ରେ କାର୍ଡରେ ୮୦, ୩୦୦ କୋଟି ଟଙ୍କାର କାରବାର ହୋଇଥିବା ବେଳେ ୟୁପିଆଇରେ ତାହାର ଅନେକ ଗୁଣ ଅଧିକ ଅର୍ଥାତ ୨.୧୮ ଲକ୍ଷ କୋଟି ଟଙ୍କାର କାରବାର ୟୁପିଆଇ ଜରିଆରେ ହୋଇଛି। ଶ୍ରୀ ଭଣ୍ଡାରି କହିଛନ୍ତି, ଯେଉଁ ଗ୍ରାହକମାନେ ଗତ ୫-୬ ବର୍ଷ ହେଲାଣି ଡିଜିଟାଲ୍ କାରବାର କରିବାକୁ ଚାହୁନଥିଲେ ଗତ ୨୦ ଦିନ ଭିତରେ ସେମାନେ ତାହାକୁ ଗ୍ରହଣ କରିଛନ୍ତି। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଡିଜିଟାଲ୍ କାରବାର ବଢ଼ୁଥିଲେ ମଧ୍ୟ ବଜାରରେ ପ୍ରଚଳନରେ ଥିବା ନଗଦ ନୋଟ୍ ହ୍ରାସ ପାଇନାହିଁ। ଜୁଲାଇ ୧୦ ସୁଦ୍ଧା ୨୬.୮ ଲକ୍ଷ କୋଟି ଟଙ୍କାର ନଗଦ ରାଶି ପ୍ରଚଳନରେ ରହିଛି ଯାହା ଗତବର୍ଷ ତୁଳନାରେ ୨୧.୪% ଅଧିକ। ଲୋକମାନେ ନଗଦ ଟଙ୍କାକୁ ନିଜ ପାଖରେ କିମ୍ବା ଘରେ ରଖୁଛନ୍ତି। କାରବାର କରିବା ବେଳେ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥା ବ୍ୟବହାର କରୁଛନ୍ତି। ମୋବାଇଲ୍ ରିଚାର୍ଜ ଠାରୁ ଆରମ୍ଭ କରି ଅନଲାଇନ୍ରେ ସାମଗ୍ରୀ କିଣିବା, ବିଦ୍ୟୁତ ବିଲ୍ ଦେବା କିମ୍ବା ଦୋକାନରୁ କିଣିବା ବେଳେ ପେମେଣ୍ଟ୍ କରିବା ସମୟରେ ଲୋକମାନେ ୟୁପିଆଇ ଆପ୍କୁ ବ୍ୟବହାର କରୁଛନ୍ତି ବୋଲି ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ କହିଛନ୍ତି।