ଭୁବନେଶ୍ବର: କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦେଶରେ ପାଞ୍ଚଟି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ୍ ଇନଫର୍ମେସନ୍ ଟେକ୍ନୋଲୋଜି (ଏଲନ୍ଆଇଇଏଲ୍ଆଇଟି) ଡିଜିଟାଲ୍ ବିଶ୍ବବିଦ୍ୟାଳୟର ପାଞ୍ଚଟି କେନ୍ଦ୍ର ଶୁଭାରମ୍ଭ କରିଛନ୍ତି। ସେଥିରୁ ଗୋଟିଏ ବାଲେଶ୍ବରରେ ରହିଛି। ଏହି କେନ୍ଦ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ), ସାଇବର ନିରାପତ୍ତା, ଡାଟା ସାଇନ୍ସ, ସେମିକଣ୍ଡକ୍ଟର ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ର ଉପରେ ଶିଳ୍ପ ଆଧାରିତ ପାଠ୍ୟକ୍ରମ ପ୍ରଦାନ କରାଯିବ। ଅନ୍ୟ ଚାରି କେନ୍ଦ୍ରକୁ ବିହାରର ମୁଜାଫରପୁର, ଆନ୍ଧ୍ରପ୍ରଦେଶର ତିରୁପତି, ଡାମନ ଓ ଡିଉର ଡାମନରେ ଏବଂ ମିଜୋରାମର ଲୁଙ୍ଗଲେଇରେ ଖୋଲାଯାଇଛି।
ଏହି ଅବସରରେ ଶ୍ରୀ ବୈଷ୍ଣବ କହିଥିଲେ ଯେ ଡିଜିଟାଲ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ ତିନି ବର୍ଷ ପୂର୍ବେ ନିଷ୍ପତ୍ତି ହୋଇଥିଲା। ଆମ ପାଖକୁ ଅନେକ ପ୍ରସ୍ତାବ ଆସିଥିଲା। କିନ୍ତୁ ଶ୍ରେଷ୍ଠ ପସନ୍ଦ ଥିଲା ଏନ୍ଆଇଇଏଲ୍ଆଇଟି। ଆମେ ୫୦୦ ଶିଳ୍ପ ସହଯୋଗୀଙ୍କ ତାଲିକା ପ୍ରସ୍ତୁତ କରିବୁ। ସେଥିରେ ସବୁକ୍ଷେତ୍ରର ଶିଳ୍ପ ରହିବେ, ଯେଉଁମାନେ ଶିଳ୍ପର ଚାହିଦା ଅନୁସାରେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବେ। ଶ୍ରେଷ୍ଠ ୫୦୦ କମ୍ପାନି ସହ ବୁଝାମଣାପତ୍ର ସ୍ବାକ୍ଷର କରିବା ଲାଗି ଏନ୍ଆଇଇଏଲ୍ଆଇଟି ଉଦ୍ୟମ କରିବା ଦରକାର ବୋଲି ସେ କହିଛନ୍ତି। ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବିଭିନ୍ନ ରାଜ୍ୟର ସାଂସଦ ଓ ବିଧାୟକମାନେ ସାମିଲ ହୋଇଥିଲେ। ଏନ୍ଆଇଇଏଲ୍ଆଇଟିର ୧୫୦୦ ଛାତ୍ରଛାତ୍ରୀ ମଧ୍ୟ ଯୋଡ଼ି ହୋଇଥିଲେ।
ବାଲେଶ୍ବରରେ ଡିଜିଟାଲ୍ ବିଶ୍ବବିଦ୍ୟାଳୟ କେନ୍ଦ୍ର ସ୍ଥାପନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ଏହା ରାଜ୍ୟରେ ଡିଜିଟାଲ ଦକ୍ଷତା ବଢ଼ାଇବାକୁ ସମର୍ଥନ କରିବ। ବାଲେଶ୍ବରରେ ଏନ୍ଆଇଇଏଲ୍ଆଇଟି କେନ୍ଦ୍ର ସ୍ଥାପନ ହେବା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ। ଏହା ଆମ ଯୁବସମାଜ ପାଇଁ ପଢ଼ିବା ଏବଂ ନିଯୁକ୍ତି ପାଇବାର ନୂତନ ମାର୍ଗ ଖୋଲିବ। ଏହି କେନ୍ଦ୍ର ଦ୍ବାରା ସାରା ରାଜ୍ୟର ଛାତ୍ରଛାତ୍ରୀ ଉପକୃତ ହେବେ। ଏହା ଜରିଆରେ ସେମାନେ ଉଦୀୟମାନ ପ୍ରଯୁକ୍ତି ଉପରେ ଜ୍ଞାନ ହାସଲ କରିପାରିବେ ଏବଂ ରାଜ୍ୟର ବର୍ଦ୍ଧିତ ସୂଚନା ପ୍ରଯୁକ୍ତି ବ୍ୟବସ୍ଥା ପ୍ରତି ଅବଦାନ ଦେଇପାରିବେ। ଏହି ରୂପାନ୍ତରୀତ ଯାତ୍ରାର ସହଯୋଗୀ ହେବା ଏବଂ ଆମ ଯୁବସମାଜ ପାଇଁ ଏକ ଡିଜିଟାଲ ସଶକ୍ତ ଭବିଷ୍ୟତ ଗଠନ କରିବାକୁ ଓଡ଼ିଶା ପ୍ରତିବଦ୍ଧ ଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/04/ashwin-mohan-2025-10-04-03-03-44.jpg)