ନୂଆଦିଲ୍ଲୀ: ଆଜି ସର୍ବୋଚ୍ଚ ଅଦାଲତ ସୁପ୍ରିମକୋର୍ଟ ଏଭଳି ଏକ ମାମଲାକୁ ନେଇ ରାୟ ଦେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ବାସ୍ତବରେ ଲୋକପ୍ରିୟ ସର୍ବତ 'ରୁହ ଆଫଜା'କୁ ନେଇ କୋର୍ଟ ରାୟ ଦେଇଛନ୍ତି | ସୁପ୍ରିମକୋର୍ଟ କହିଛନ୍ତି 'ଦିଲ୍ ଆଫଜା' ନାମରେ ସର୍ବତ ପ୍ରସ୍ତୁତ କରୁଥିବା କମ୍ପାନୀକୁ ଏହାର ଉତ୍ପାଦନ ବନ୍ଦ କରିବାକୁ ପଡିବ | ମିଳିଥିବା ସୂଚନା ମୁତାବକ ହମଦରଦ ଫାର୍ମାସି ୧୯୦୭ ମସିହାରୁ ରୁହ ଆଫଜା ନାମରେ ସର୍ବତ ଉତ୍ପାଦନ ସହ ବିକ୍ରୟ କରୁଛି | ତେବେ ସଦର ଲାବୋରେଟୋରୀଜ ନାମକ ଏକ କମ୍ପାନୀ ୨୦୨୦ ମସିହାରେ ଦିଲ୍ ଆଫଜା ନାମକ ଏକ ସର୍ବତ ତିଆରି କରି ବିକ୍ରି କରିଥିଲା | 'ଦିଲ୍ ଆଫଜା' ନାମରେ ସର୍ବତ ପ୍ରସ୍ତୁତ କରି 'ରୁହ ଆଫଜା' କମ୍ପାନୀକୁ ବଦନାମ କରାଯାଉଥିବାର ଅଭିଯୋଗ ଆସିଥିଲା |
ତେବେ ଏନେଇ ଗତ ବର୍ଷ ଦିଲ୍ଲୀ ହାଇକୋର୍ଟର ଦୁଇ ଜଣ ବିଚାରପତି ରାୟରେ କହିଥିଲେ ଯେ ହମଦରଦ ପ୍ରସ୍ତୁତ କରୁଥିବା ରୁହ ଆଫଜା ଏକ ପ୍ରତିଷ୍ଠିତ ବ୍ରାଣ୍ଡ। ସମାନ ନାମରେ ଏକ ସମାନ ଦ୍ରବ୍ୟ ବିକ୍ରୟ କରିବା ଟ୍ରେଡ୍ ମାର୍କ ନିୟମର ଉଲ୍ଲଂଘନ | ହାଇକୋର୍ଟର ଡିଭିଜନ୍ ବେଞ୍ଚ ଦିଲ ଆଫଜା ସର୍ବତର ଉତ୍ପାଦନ ତଥା ବିକ୍ରୟକୁ ତୁରନ୍ତ ବନ୍ଦ କରିବାକୁ ସଦର ଲାବୋରେଟୋରୀଜକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶନାମା ଉପରେ ରୋକ ଲଗାଇବାକୁ ସଦର ଲାବୋରେଟୋରୀ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଫାଇଲ କରାଯାଇଥିଲା | ତେବେ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ରାୟକୁ କାୟମ ରଖିବା ସହ ଦିଲ ଆଫଜା ଉତ୍ପାଦନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି |