ଭୁବନେଶ୍ବର: ରାଜ୍ୟର ୬ଟି ଜିଲ୍ଲାକୁ ନୂଆ ଶିଳ୍ପ ପ୍ରକଳ୍ପ ମିଳିଛି। ବଲାଙ୍ଗୀର, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ଏହି ନୂଆ ପ୍ରକଳ୍ପଗୁଡ଼ିକ ସ୍ଥାପନ ହେବ। ଏହା ବ୍ୟତୀତ ରାୟଗଡ଼ା ଓ ସମ୍ବଲପୁରରେ ଥିବା ଦୁଇଟି ବଡ଼ ପ୍ରକଳ୍ପର ସମ୍ପ୍ରସାରଣ ମଧ୍ୟ ହେବ। ମୟୂରଭଞ୍ଜରେ ଏକ ନୂଆ ଡିଆର୍ଆଇ କାରଖାନା ସ୍ଥାପନ ହେବ। ଗଞ୍ଜାମର କୁକୁଡ଼ା ଖଣ୍ଡିରେ ରାଇସ୍ ବ୍ରାଏନ୍ ତେଲ ଉତ୍ପାଦନ ହେବ। ଚିଲିକାରେ ଆଉ ଏକ ରିସୋର୍ଟ ଖୋଲିବ। ବଲାଙ୍ଗୀରରେ ଏକ ସୋଲାର ପ୍ଲାଣ୍ଟ୍ ସ୍ଥାପନ କରାଯିବ।
ଆଜି ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷଙ୍କ ୧୧୭ତମ ବୈଠକରେ ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରାଯାଇଛି। ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁମୋଦିତ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକରେ ୨୮୪୦.୭୩ କୋଟି ଟଙ୍କା ନିବେଶ ହେବ ଏବଂ ସେଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟବାସୀଙ୍କ ପାଇଁ ୩,୭୨୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଜି ଅନୁମୋଦିତ ହୋଇଥିବା ୧୧ ପ୍ରକଳ୍ପ ମଧ୍ୟରୁ ୯ଟି କଂପାନି ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୨ରେ ପୁଞ୍ଜିନିବେଶ କରିବାକୁ ପ୍ରସ୍ତାବ ଦେଇଥିଲେ। ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଆଲୁମିନିୟମ, ରାସାୟନିକ, ପ୍ଲାଷ୍ଟିକ୍, ଖାଦ୍ୟ ପ୍ରକ୍ରିୟାକରଣ ଓ ପାକେଜିଂ, ବୟନ ଓ ପୋଷାକ, ପର୍ଯ୍ୟଟନ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ କାର୍ଯ୍ୟକାରୀ ହେବ।
କୁକୁଡ଼ାଖଣ୍ଡିରେ ରାଇସ୍ ବ୍ରାନ୍ ଅଏଲ୍ ପ୍ରକଳ୍ପ
ଚିଲିକାରେ ଆଉ ଏକ ରିସୋର୍ଟ ଖୋଲିବ
୬ ଜିଲ୍ଲାକୁ ମିଳିଲା ନୂଆ ଶିଳ୍ପ ପ୍ରକଳ୍ପ
ସିଙ୍ଗିଲ ୱିଣ୍ଡୋରେ ୨୮୪୦ କୋଟିର ପ୍ରକଳ୍ପ ମଞ୍ଜୁର
ମୟୂରଭଞ୍ଜର ଜାମ୍ଦା ବ୍ଲକ୍ରେ ଆର୍ସିଆର୍ ଷ୍ଟିଲ୍ ୱାର୍କସ୍ ୮୯୬.୯୮ କୋଟି ଟଙ୍କା ନିବେଶ କରି ଡିଆର୍ଆଇ, ଫେରୋ ଆଲଏଜ୍ ଓ ସିପିପି ସ୍ଥାପନ କରିବ। ଉତ୍କଳ ଆଲୁମିନା ଏହାର ରାୟଗଡ଼ା ରିଫାଇନାରିର ସମ୍ପ୍ରସାରଣରେ ୫୬୪.୯୦ କୋଟି ବିନିଯୋଗ କରିବ। ହିଣ୍ଡାଲ୍କୋ ସମ୍ବଲପୁରର ଲପଙ୍ଗାରେ ୪୧୯.୪୦ କୋଟି ଟଙ୍କା ନିବେଶ କରି ଏହାର ଆଲୁମିନିୟମ ସ୍ମେଲଟର ପ୍ଲାଣ୍ଟ୍ର ସମ୍ପ୍ରସାରଣ କରିବ। ଆଇରନ୍ ଏକ୍ସଚେଞ୍ଜ୍ (ଇଣ୍ଡିଆ) ଲିମିଟେଡ୍ ପାରାଦୀପରେ ୩୦୩ କୋଟି ଟଙ୍କା ନିବେଶରେ ଏକ ୱାଟର ଟ୍ରିଟ୍ମେଣ୍ଟ୍ କେମିକାଲ୍ ପ୍ଲାଣ୍ଟ୍ ସ୍ଥାପନ କରିବ। ମହିନ୍ଦ୍ରା ହଲିଡେଜ୍ ଆଣ୍ଡ୍ ରିସୋର୍ଟସ୍ ଇଣ୍ଡିଆ ଚିଲିକାରେ ୨୨୮.୪୫ କୋଟି ଟଙ୍କା ବିନିଯୋଗରେ ଏକ ରିସୋର୍ଟ ସ୍ଥାପନ କରିବ। ସେହିପରି, ଖୋର୍ଦ୍ଧାରେ ତାଜ୍ ସାଟ୍ସ ୫୧ କୋଟି ଟଙ୍କା ନିବେଶରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ଓ ଗଞ୍ଜାମର କୁକୁଡ଼ାଖଣ୍ଡିରେ ସୀତାରାମ ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ ୧୦୧ କୋଟି ଟଙ୍କା ବିନିଯୋଗରେ ଏକ ରାଇସ୍ ବ୍ରାନ୍ ତେଲ ଉତ୍ପାଦନ କାରଖାନା ସ୍ଥାପନ କରିବ। ଇଣ୍ଡିଆ ଷ୍ଟିଚେସ୍ ଖୋର୍ଦ୍ଧାରେ ୧୦୧ କୋଟି ଟଙ୍କା ନିବେଶରେ ଏକ ଫ୍ୟାବ୍ରିକ୍ ପ୍ରୋସେସିଂ ପ୍ଲାଣ୍ଟ୍, ଇଣ୍ଡୋପେଟ୍ ପଲିମର ୫୨ କୋଟି ଟଙ୍କାରେ ଏକ ପ୍ଲାଷ୍ଟିକ୍ କାରଖାନା, ବିଭୋର ଷ୍ଟିଲ୍ ଟ୍ୟୁବ୍ସ ସୁନ୍ଦରଗଡ଼ରେ ୭୦ କୋଟି ଟଙ୍କା ନିବେଶରେ ଏକ ଜିଆଇ ପାଇପ୍ ଉତ୍ପାଦନ କାରଖାନା ଏବଂ ରୋମ୍କୋ ଆଲୁମିନେଟ୍ସ ବଲାଙ୍ଗୀରରେ ୫୪ କୋଟି ଟଙ୍କା ନିବେଶରେ ଏକ ସୋଲାର ପ୍ଲାଣ୍ଟ୍ ସ୍ଥାପନ କରିବ।