୯.୪୫ ଲକ୍ଷ କୋଟିର ପ୍ରତ୍ୟକ୍ଷ ଟିକସ ଆଦାୟ

ସଂଶୋଧିତ ଅଟକଳଠାରୁ ୫% ଅଧିକ, ଚଳିତ ବର୍ଷ ୧୧.୦୮ କୋଟି ଆଦାୟ ଲକ୍ଷ୍ୟ

ନୂଆଦିଲ୍ଲୀ : ଦେଶରେ ଗତ ଆର୍ଥିକ ବର୍ଷରେ ନିଟ୍ ୯.୪୫ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ଟିକସ ଆଦାୟ ହୋଇଛି। ଉଭୟ ଆୟକର ଏବଂ କମ୍ପାନି ଟିକସ ବାବଦରେ ସରକାର ଏହି ରାଶି ଆଦାୟ କରିଛନ୍ତି। ସଂଶୋଧିତ ଅଟକଳ ତୁଳନାରେ ଏହା ୫ ପ୍ରତିଶତ ଅଧିକ ହୋଇଥିଲେ ମଧ୍ୟ ୨୦୧୯-୨୦ ଆର୍ଥିକ ବର୍ଷରେ ଆଦାୟ ହୋଇଥିବା ରାଶି ତୁଳନାରେ ୧୦ ପ୍ରତିଶତ କମ୍‌। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଅଧ୍ୟକ୍ଷ ପି ସି ମୋଦୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସରକାର ଗତବର୍ଷ ଫେବ୍ରୁଆରିରେ ଆଗତ କରିଥିବା ବଜେଟ୍‌ରେ ୧୩.୧୯ ଲକ୍ଷ କୋଟି ଟଙ୍କା ଆଦାୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। କିନ୍ତୁ ଏହାପରେ କରୋନା ମହାମାରୀ ଅର୍ଥନୀତିକୁ କବଳିତ କରିଥିଲା। ଅର୍ଥନୈତିକ ଅଭିବୃଦ୍ଧି ପ୍ରଭାବିତ ହେବା ଦ୍ବାରା ସରକାର ସଂଶୋଧିତ ବଜେଟ୍‌ ଅଟକଳରେ ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣକୁ ୯.୦୫ ଲକ୍ଷ କୋଟି ଟଙ୍କାକୁ କମାଇ ଦେଇଥିଲେ। ଶୁକ୍ରବାର ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ସରକାର ମୋଟ ୧୨.୦୬ ଲକ୍ଷ ଟଙ୍କାର ପ୍ରତ୍ୟକ୍ଷ ଟିକସ ଆଦାୟ କରିଛନ୍ତି। କିନ୍ତୁ ଏଥିରୁ ୨.୬୧ ଲକ୍ଷ କୋଟି ଟଙ୍କା ଫେରସ୍ତ ବା ରିଟର୍ଣ୍ଣ ବାବଦରେ ପ୍ରଦାନ କରାଯାଇଛି। ତେଣୁ ନିଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ ରାଶି ୯.୪୫ ଲକ୍ଷ କୋଟି ଟଙ୍କା ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଆୟକର ଏବଂ କମ୍ପାନି ଟିକସ ବାବଦରେ ୧୦.୪୯ ଲକ୍ଷ ଟଙ୍କା ଆଦାୟ ହୋଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସରକାର ପ୍ରତ୍ୟକ୍ଷ ଟିକସ ବାବଦରେ ୧୧.୦୮ ଲକ୍ଷ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଫେରସ୍ତ ବାବଦରେ ପର୍ଯ୍ୟାପ୍ତ ଟିକସ ରାଶି ଟିକସଦାତାଙ୍କୁ ଦିଆଯାଇଥିଲେ ମଧ୍ୟ ଟିକସ ଆଦାୟ ରାଶିରେ ଏହି ବୃଦ୍ଧି ଦେଖାଦେଇଛି ବୋଲି ସିବିଡିଟି ଅଧ୍ୟକ୍ଷ କହିଛନ୍ତି।

ବିବାଦ ସେ ବିଶ୍ବାସ ସ୍କିମ୍‌ରେ ୫୪ ହଜାର କୋଟି
ବିବାଦ ସେ ବିଶ୍ବାସ ସ୍କିମରେ ଆଜି ସୁଦ୍ଧା ୫୪ ହଜାର କୋଟି ଟଙ୍କା ଆଦାୟ ହୋଇଛି। ଏହି ଯୋଜନାର ଶେଷ ତାରିଖ ଚଳିତମାସ ୩୦ ତାରିଖ ରଖାଯାଇଛି। ତେଣୁ ଉକ୍ତ ଯୋଜନାରେ ଅଧିକ ରାଶି ଆଦାୟ ହେବ ବୋଲି ଆଶା କରାଯାଉଛି। ଉକ୍ତ ଯୋଜନାରେ ଏକ ତୃତୀୟାଂଶ ବିବାଦର ସମାଧାନ ହୋଇଛି। ତେବେ ଏଭଳି ଆଉ ଏକ ଯୋଜନା ଆଣିବାର ଆବଶ୍ୟକତା ନାହିଁ ବୋଲି ସିବିଡିଟି ଅଧ୍ୟକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର