ନୂଆଦିଲ୍ଲୀ: ଗତ ଦଶନ୍ଧିରେ ଦେଶରେ ପ୍ରତ୍ୟକ୍ଷ ଟିକସ ଆଦାୟରେ ୧୮୨ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୪-୧୫ରେ ନିଟ୍‌ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ରାଶି ୬.୯୫ ଲକ୍ଷ କୋଟି ଟଙ୍କା ରହିଥିଲା। କିନ୍ତୁ ୨୦୨୩-୨୪ରେ ଏହା ୧୯.୬୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ମୁଖ୍ୟତଃ ବ୍ୟକ୍ତିଗତ ଆୟକର ବୃଦ୍ଧି ପାଇଁ ଏହା ହୋଇଛି। ଗତ ଦଶନ୍ଧିରେ ବ୍ୟକ୍ତିଗତ ଆୟକରରେ ୨୯୪.୩ ପ୍ରତିଶତ ବୃଦ୍ଧି ଘଟି ୨୦୨୩-୨୪ରେ ୧୦.୪୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ୨୦୧୪-୧୫ରେ ବ୍ୟକ୍ତିଗତ ଆୟକର ରାଶି ୨.୬୫ ଲକ୍ଷ କୋଟି ଟଙ୍କା ରହିଥିଲା।

Advertisment

ବ୍ୟକ୍ତିଗତ ଆୟକର ବଢ଼ିଛି ୨୯୪%
ଟିକସ-ଜିଡିପି ଅନୁପାତ ୬.୬୪%

ସେହିଭଳି କମ୍ପାନି ଟିକସ ଆଦାୟ ରାଶିରେ ୧୧୨.୮୫ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୪-୧୫ରେ କମ୍ପାନି ଟିକସ ରାଶି ୪.୨୯ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୩-୨୪ରେ ୯.୧୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଆୟକର ରିଟର୍ଣ୍ଣ ଦାଖଲ ସଂଖ୍ୟା (ସଂଶୋଧିତ ରିଟର୍ଣ୍ଣ ଦାଖଲ ସମେତ) ୨୦୧୪-୧୫ରେ ୪.୦୪ କୋଟି ରହିଥିଲା। ୨୦୨୩-୨୪ରେ ଏହା ୮.୬୧ କୋଟିକୁ ବୃଦ୍ଧି ପାଇଛି। ୨୦୧୪-୧୫ରେ ପ୍ରତ୍ୟକ୍ଷ ଟିକସ ଓ ଜିଡିପି ଅନୁପାତ ୫.୫୫ ପ୍ରତିଶତ ରହିଥିଲା। ୨୦୨୩-୨୪ରେ ଏହା ୬.୬୪ ପ୍ରତିଶତରେ ପହଞ୍ଚିଛି। ଅର୍ଥାତ୍‌ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ପ୍ରତ୍ୟକ୍ଷ ଟିକସର ଯୋଗଦାନ ବଢ଼ିବାରେ ଲାଗିଛି। ଦେଶରେ ଟିକସଦାତାଙ୍କ ସଂଖ୍ୟା ୨୦୧୪-୧୫ ଆକଳନ ବର୍ଷରେ ୫.୭୦ ‌କୋଟି ରହିଥିଲା। କିନ୍ତୁ ୨୦୨୩-୨୪ ଆକଳନ ବର୍ଷରେ ଏହା ୧୦.୪୧ କୋଟିରେ ପହଞ୍ଚିଛି।