କଟିଲେ ୮୨ ଲକ୍ଷ ମୋବାଇଲ୍‌ ଗ୍ରାହକ

ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ୍‌ରେ ସାରା ଦେଶ ଲକ୍‌ଡାଉନ୍‌ରେ ଥିଲା। ଏହି ମାସରେ ଦେଶ ୮୨ ଲକ୍ଷରୁ ଅଧିକ ମୋବାଇଲ୍ ଗ୍ରାହକଙ୍କୁ ହରାଇଛି। ଏପ୍ରିଲ୍ ଶେଷ ସୁଦ୍ଧା ଦେଶର ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୧୧୪ କୋଟି ୯୫ ଲକ୍ଷ ୧୬ ହଜାର ୯୧୩କୁ ହ୍ରାସ ପାଇଛି। ମାର୍ଚ୍ଚ ମାସରେ ମୋବାଇଲ୍ ଗ୍ରାହକ ସଂଖ୍ୟା ୧୧୫ କୋଟିରୁ ଅଧିକ ଥିଲା। ରିଲାଏନ୍ସ ଜିଓ ଏକମାତ୍ର କଂପାନି ଭାବେ ଏପ୍ରିଲ୍‌ରେ ୧୫ ଲକ୍ଷ ୭୫ ହଜାର ୩୩୩ ନୂଆ ଗ୍ରାହକ ଯୋଡ଼ିଛି। ଅନ୍ୟ ସବୁ କଂପାନି ବହୁ ସଂଖ୍ୟକ ଗ୍ରାହକ ହରାଇଛନ୍ତି। ଭାରତୀ ଏୟାରଟେଲ୍‌ ୫୨ ଲକ୍ଷ ୬୯ ହଜାର ୮୮୨ ଜଣ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ୪୫ ଲକ୍ଷ ୧୬ ହଜାର ୮୬୬ ଗ୍ରାହକ ହରାଇଛି। ବିଏସ୍‌ଏନ୍‌ଏଲ୍‌ ମଧ୍ୟ ୨୦ ହଜାର ୫୩ ଜଣ ଗ୍ରାହକ ହରାଇଛି।

ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରିି କରାଯାଇଥିବା ତଥ୍ୟ ଅନୁଯାୟୀ, ଗତ ଏପ୍ରିଲ୍‌ରେ ଓଡ଼ିଶା ୨ ଲକ୍ଷରୁ ଅଧିକ ମୋବାଇଲ୍‌ ଗ୍ରାହକଙ୍କୁ ହରାଇଛି। ଭାରତୀ ଏୟାରଟେଲ୍‌ ୨ ଲକ୍ଷ ୨୪ ହଜାର ୯୧୩ ଜଣ ଗ୍ରାହକଙ୍କୁ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ୭୫ ହଜାର ୭୧୭ ଗ୍ରାହକ ହରାଇଛି। ବିଏସ୍‌ଏନ୍‌ଏଲ୍‌ ୨୦,୧୪୩ ଓ ରିଲାଏନ୍ସ ଜିଓ ୭୨,୪୫୦ ନୂଆ ଗ୍ରାହକ ଯୋଡ଼ିଛି। ଏପ୍ରିଲ୍‌ ଶେଷ ସୁଦ୍ଧା ରାଜ୍ୟରେ ମୋଟ୍‌ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୧ ଲକ୍ଷ ୨୩ ହଜାର ୧୦୩ରେ ପହଞ୍ଚିଛି। ମାର୍ଚ୍ଚ ମାସରେ କିନ୍ତୁ ଏହା ଠାରୁ ୨ ଲକ୍ଷ ଅଧିକ ଗ୍ରାହକ ଅର୍ଥାତ ୩ କୋଟି ୩୩ ଲକ୍ଷ ୩୧ ହଜାର ୧୪୦ ଜଣ ମୋବାଇଲ୍‌ ଗ୍ରାହକ ଥିଲେ। ଓଡ଼ିଶାରେ ଟେଲି ସାନ୍ଦ୍ରତା ୭୫.୯୬ ପ୍ରତିଶତରେ ରହିଛି। ଅର୍ଥାତ ପ୍ରତି ୧୦୦ ଜଣଙ୍କ ମଧ୍ୟରୁ ପ୍ରାୟ ୭୬ ଜଣଙ୍କ ପାଖରେ ଟେଲିଫୋନ୍ ସଂଯୋଗ ରହିଛି। ସର୍ବଭାରତୀୟ ସ୍ତରରେ ଏହି ହାର ଓଡ଼ିଶା ଠାରୁ ଯଥେଷ୍ଟ ଅଧିକ ଅର୍ଥାତ ୮୬.୬୬ ପ୍ରତିଶତ ରହିଛି। ଟେଲି ସାନ୍ଦ୍ରତା କ୍ଷେତ୍ରରେ ଓଡ଼ିଶା ଏବେବି ଦିଲ୍ଲୀ, ହିମାଚଳ ପ୍ରଦେଶ, ପଞ୍ଜାବ, ତାମିଲନାଡୁ, ମହାରାଷ୍ଟ୍ର, କର୍ଣ୍ଣାଟକ ଠାରୁ ବହୁତ ପ‌ଛରେ ରହିଛି।

ସମ୍ବନ୍ଧିତ ଖବର