ଇଲେକ୍‌ଟ୍ରିକ୍‌ କାର୍‌ରେ ମିଳିବ ଦେଢ଼ ଲକ୍ଷ ଟଙ୍କାର ରିହାତି

ନୂଆଦିଲ୍ଲୀ: ଇଲେକ୍‌ଟ୍ରିକ୍‌ କାର୍‌ କିଣିଲେ ଗ୍ରାହକଙ୍କୁ ସରକାର ସିଧାସଳଖ ୧.୪ ଲକ୍ଷ ଟଙ୍କାର ରିହାତି ପ୍ରଦାନ ପାଇଁ ସରକାରୀ ଅଧିକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ତେବେ ରିହାତି ପରିମାଣ ଯାନ ମୂଲ୍ୟର ସର୍ବାଧିକ ୨୦ ପ୍ରତିଶତରେ ସୀମିତ ରହିବ। ତେଣୁ ସାଧାରଣ ଇଲେକ୍‌ଟ୍ରିକ୍‌ କାର୍‌ କିଣିଲେ ଗ୍ରାହକ ୧.୪ ଲକ୍ଷ ଟଙ୍କା ଏବଂ ଦାମୀ ଇଲେକ୍‌ଟ୍ରିକ୍‌ କାର କିଣିଲେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇବା ସୁବିଧା ରହିଛି। ସେହିଭଳି ଦୁଇ ଚକିଆ ଏବଂ ତିନି ଚକିଆ ଇଲେକ୍‌ଟ୍ରିକ ଯାନ କିଣିଲେ ମଧ୍ୟ ଗ୍ରାହକଙ୍କୁ ରିହାତି ପ୍ରଦାନ କରାଯିବ। ତ୍ୱରିତ ଇଲେକ୍‌ଟ୍ରିକ୍‌ ଯାନ ନିର୍ମାଣ ଏବଂ ବ୍ୟବହାର ପାଇଁ ରହିଥିବା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ବା ଫେମ୍‌-୨ରେ ଏହି ରିହାତି ଗ୍ରାହକଙ୍କୁ ମିଳିବ। ଗତ ଗୁରୁବାର ବ୍ୟୟ ସଚିବ ଏ ଏନ୍‌ ଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଅଧିକାରୀସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏବେ କାର୍ଯ୍ୟକାରୀ ହେଉଥିବା ଫେମ୍‌-୧ରେ ସରକାର ଇଲେକ୍‌ଟ୍ରିକ୍‌ ଗାଡ଼ି କ୍ରେତାମାନଙ୍କ ପାଇଁ ୪୪୦୦ କୋଟି ଟଙ୍କାର ରିହାତିର ବ୍ୟବସ୍ଥା କରିଥିବାବେଳେ ଫେମ୍‌-୨ରେ ୫୫୦୦ କୋଟି ଟଙ୍କାର ରିହାତି ଦେବାକୁ ଯୋଜନା ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ସ୍କିମ୍‌ ୫ ବର୍ଷ ପାଇଁ ଚାଲିବ। ତେବେ ଏ ସଂକ୍ରାନ୍ତ ଚୂଡ଼ାନ୍ତ ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ ମୋହର ମାରିବା ଆବଶ୍ୟକତା ରହିଛି । ପରିବେଶ ପ୍ରଦୂଷଣକୁ ରୋକିବା ସହିତ ଦେଶରେ ଇଲେକ୍‌ଟ୍ରିକ୍‌ ଯାନର ବିକ୍ରିକୁ ପ୍ରୋତ୍ସାହନ ଦେବା ଲାଗି ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି। ବ୍ୟାଟେରିର ଆକାର ଅନୁସାରେ ରିହାତି ଦିଆଯିବ। ବର୍ତ୍ତମାନର ଇଲେକ୍‌ଟ୍ରିକ୍‌ କାରରେ ୧୪ କେଡବ୍ଲ୍ୟୁଏଚ୍‌ ବ୍ୟାଟେରି ଲାଗିଥିବାରୁ ଗ୍ରାହକମାନେ ୧.୪ ଲକ୍ଷ ଟଙ୍କା ରିହାତି ପାଇବେ ବୋଲି ଆକଳନ କରାଯାଉଛି। ସେହିଭଳି ଦୁଇ ଚକିଆ ଯାନରେ ୨କେଏଚଡବ୍ଲ୍ୟୁ ଏବଂ ତିନି ଚକିଆ ଯାନରେ ୪ରୁ ୪.୫ କେଏଚ୍‌ଡବ୍ଲ୍ୟୁର ବ୍ୟାଟେରି ରହିଥିବାରୁ ଏହି ଗାଡ଼ି କିଣୁଥିବା ଗ୍ରାହକଙ୍କୁ ୨୦ ହଜାରରୁ ୪୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର