ଚକ୍ରବୃଦ୍ଧି ସୁଧ ଛାଡ଼, ନଭେମ୍ବର ୫ ସୁଦ୍ଧା ଗ୍ରାହକଙ୍କୁ ମିଳିବ ଟଙ୍କା

ମୁମ୍ବାଇ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ନଭେମ୍ବର ୫ ସୁଦ୍ଧା ମୋରାଟୋରିଅମ୍‌ ସୁବିଧା ଦିଆଯାଇଥିବା ଛଅ ମାସର ଚକ୍ରବୃଦ୍ଧି ସୁଧ ବା ସୁଧ ଉପର ସୁଧ ଛାଡ଼ ସ୍କିମ୍‌କୁ ଲାଗୁ କରିବାକୁ ଦେଶର ସମସ୍ତ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛନ୍ତି। ବ୍ୟାଙ୍କ ଓ ଅଣ-ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା ଯେଉଁମାନେ ଋଣ ପ୍ରଦାନ କ୍ଷେତ୍ରରେ ସକ୍ରିୟ ଅଛନ୍ତି ସେମାନେ ସମସ୍ତେ ଏହି ସ୍କିମ୍ ଲାଗୁ କରିବେ।

ଦୁଇ କୋଟି ଟଙ୍କାରୁ କମ୍ ମୂଲ୍ୟର ଋଣ ଉପରେ ଚକ୍ରବୃଦ୍ଧି ସୁଧ ଛାଡ଼ କରିବାକୁ ସୁପ୍ରିମ୍‌ କୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଛନ୍ତି। ଏହି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମଧ୍ୟ ମିଳିଛି। ନଭେମ୍ବର ୫ ସୁଦ୍ଧା ଯୋଗ୍ୟ ଗ୍ରାହକମାନଙ୍କ ଖାତାରେ ଚକ୍ରବୃଦ୍ଧି ସୁଧ ଛାଡ଼ ବାବଦ ଟଙ୍କା ଜମା କରିବା ପ୍ରକ୍ରିୟା ଶେଷ କରିବାକୁ ଆର୍ଥିକ ଅନୁଷ୍ଠାନଗୁଡ଼ିକୁ ରିଜର୍ଭ ବ୍ୟାଙ୍କ କହିଛି। ଏହି ସ୍କିମ୍‌ ଅଧୀନରେ ଗୃହ, ଶିକ୍ଷା, ଗାଡ଼ି, ଏମ୍ଏସ୍‌ଏମ୍ଇ, କଞ୍ଜ୍ୟୁମର ଡ୍ୟୁରେବଲ୍ ଓ କଞ୍ଜପ୍‌ସନ୍ ଋଣ ଓ କ୍ରେଡିଟ୍ କାର୍ଡ ଦେୟକୁ ସାମିଲ କରାଯାଇଛି। ୨୦୨୦ ମାର୍ଚ୍ଚ ୧ରୁ ଅଗଷ୍ଟ ୩୧ ମଧ୍ୟରେ ‌ଯୋଗ୍ୟ ଗ୍ରାହକଙ୍କ ଖାତାରେ ସାଧାରଣ ସୁଧ ଓ ଚକ୍ରବୃଦ୍ଧି ସୁଧ ମଧ୍ୟରେ ରହିଥିବା ଅନ୍ତର ବାବଦ ରାଶିକୁ ଜମା କରିବା ଲାଗି ଆର୍ଥିକ ସଂସ୍ଥାଗୁଡ଼ିକୁ କୁହାଯାଇଛି। ଚକ୍ରବୃଦ୍ଧି ସୁଧ ଛ‌ାଡ଼ ସ୍କିମ୍ ତୁରନ୍ତ ଲାଗୁ କରିବାକୁ ଗତ ଅକ୍ଟୋବର ୧୪ରେ କେନ୍ଦ୍ର ସରକାରଙ୍କୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଥିଲେ। ଏହି ସ୍କିମ୍‌କୁ କିଭଳି ଲାଗୁ କରାଯିବ ତାହାର ମାର୍ଗଦର୍ଶିକାକୁ ଅକ୍ଟୋବର ୨୩ରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଛି। ସ୍କିମ୍ ଅନୁସାରେ ଗ୍ରାହକମାନେ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ମୋରାଟୋରିଅମ୍‌ର ସୁବିଧା ନେଇଥିଲେ ମଧ୍ୟ ସେମାନଙ୍କ ଖାତାରେ ସୁଧ ଛାଡ଼ ବାବଦ ଟଙ୍କା ଜମା କରାଯିବ। ଯେଉଁମ‌ାନେ ମୋରାଟୋରିଅମ୍ ସୁବିଧା ଗ୍ରହଣ କରିନାହାନ୍ତି ସେମାନଙ୍କ ଖାତାରେ ମଧ୍ୟ ସୁଧ ଛାଡ଼ ଟଙ୍କା ଜମା କରାଯିବ। ଆର୍ଥିକ ସଂସ୍ଥାଗୁଡ଼ିକ ଗ୍ରାହକଙ୍କ ଖାତାରେ ଟଙ୍କା ଜମା କରିବା ପରେ କେନ୍ଦ୍ର ସରକାରଙ୍କ ଠାରୁ ସେହି ଟଙ୍କା ପାଇବା ଲାଗି ଦାବି ଉପସ୍ଥାପନ କରିବେ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୨୦ ମାର୍ଚ୍ଚ ୧ ଠାରୁ ମୋରାଟୋରିଅମ୍ ସୁବିଧା ଘୋଷଣା କରାଯାଇଥିଲା। ଏହା ଇଚ୍ଛାଧୀନ ଥିଲା। କିଛି ଗ୍ରାହକ ଏହି ସୁବିଧା ଗ୍ରହଣ କରିଥିବା ବେଳେ ଅନ୍ୟମାନେ ସ୍ବାଭାବିକ ଭାବେ କିସ୍ତି ଶୁଝିବା ଜାରି ରଖିଥିଲେ। ଦୁଇଟି ପର୍ଯ୍ୟାୟରେ ଛଅ ମାସ ପାଇଁ ଗତ ଅଗଷ୍ଟ ୩୧ ପର୍ଯ୍ୟନ୍ତ ମୋରାଟୋରିଅମ୍ ସୁବିଧା ଦିଆଯାଇଥିଲା। କିନ୍ତୁ ଏହି ସମୟର ଚକ୍ରବୃଦ୍ଧି ସୁଧ ଆଦାୟ କରାଯିବ ବୋଲି ଘୋଷଣା କରାଯିବା ପରେ ତାହାକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଥିଲା। କେତେକ ଗ୍ରାହକ ଓ ଶିଳ୍ପ ସଂଘ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ। ମାମଲାର ଶୁଣାଣି କରି ଗ୍ରାହକଙ୍କୁ ସୁବିଧା ଦେବା ଲାଗି କୋର୍ଟ କହିଥିଲେ। କୋର୍ଟଙ୍କ ଚାପ ଯୋଗୁଁ ମୋରାଟୋରିଅମ୍ ସମୟର ଚକ୍ରବୃଦ୍ଧି ସୁଧ ଛାଡ଼ କରିବାକୁ ସରକାର ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର