କିସାନ କ୍ରେଡିଟ୍‌ କାର୍ଡରେ ମିଳିବ ରିହାତିରେ ଋଣ, ୨ ଲକ୍ଷ କୋଟି ଟଙ୍କାର ଋଣ ଦିଆଯିବ

ନାବାର୍ଡ ମାଧ୍ୟମରେ ଚାଷୀଙ୍କୁ ଦିଆଯିବ ୩୦ ହଜାର କୋଟି

ନୂଆଦିଲ୍ଲୀ: ପିଏମ୍-କିସାନର ହିତାଧିକାରୀମାନଙ୍କୁ ରିହାତି ଦରରେ ଋଣ ସୁବିଧା ପ୍ରଦାନ କରିବା ଲାଗି ପଦକ୍ଷେପ ଘୋଷଣା କରାଯାଇଛି। କିସାନ କ୍ରେଡିଟ୍ କାର୍ଡ ଜରିଆରେ ସେମାନଙ୍କୁ ଏହି ସୁବିଧା ପ୍ରଦାନ କରିବା ଲାଗି ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯିବ। ଏହି କାର୍ଡ ଜରିଆରେ ଦେଶର ପ୍ରାୟ ଅଢ଼େଇ କୋଟି ଚାଷୀଙ୍କୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ଋଣ ସହାୟତା ଯୋଗାଇ ଦିଆଯିବ। ଏହି ଅଭିଯାନରେ ମତ୍ସ୍ୟଜୀବୀ ଓ ପଶୁପାଳନ କ୍ଷେତ୍ରରେ ସକ୍ରିୟ ଥିବା ଚାଷୀମାନଙ୍କୁ ମଧ୍ୟ ଯୋଡ଼ିବାକୁ ଉଦ୍ୟମ କରାଯିବ।

ଏହା ଜରିଆରେ ଏହି ବର୍ଗର ଚାଷୀମାନେ କମ୍ ସୁଧ ହାରରେ ସଂଗଠିତ ଆର୍ଥିକ ସଂସ୍ଥାଗୁଡ଼ିକ ଠାରୁ ଋଣ ହାସଲ କରିବାର ସୁଯୋଗ ପାଇବେ। ଏଥି ସହିତ ସେମ‌ାନେ ସଂଗଠିତ ଆର୍ଥିକ ବ୍ୟବସ୍ଥା ସହ ମଧ୍ୟ ନିଜକୁ ଯୋଡ଼ିପାରିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିଛନ୍ତି ।

ନାବାର୍ଡ ମାଧ୍ୟମରେ ଚାଷୀଙ୍କୁ ଦିଆଯିବ ୩୦ ହଜାର କୋଟି
ନୂଆଦିଲ୍ଲୀ: ଲକ୍‌ଡାଉନ୍ ପ୍ରଭାବରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆର୍ଥିକ ସମ୍ବଳ ସଙ୍କୁଚିତ ହୋଇଯାଇଛି। ସେମାନେ ଗ୍ରାମ୍ୟ ବ୍ୟାଙ୍କ ଏବଂ ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡ଼ିକ ଠାରୁ ପାଣ୍ଠି ହାସଲ କରିଥାନ୍ତି। ସେହି ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଲାଗି ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ଜରିଆରେ ୩୦ ହଜାର କୋଟି ଟଙ୍କା ପ୍ରଦାନ କରାଯିବ। ସେହି ଟଙ୍କାକୁ ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କଗୁଡ଼ିକ ଜରିଆରେ ଚାଷୀମାନଙ୍କୁ ଅତିରିକ୍ତ ଜରୁରୀକାଳୀନ କାର୍ଯ୍ୟକାରୀ ପୁଞ୍ଜି ଭାବେ ପ୍ରଦାନ କରାଯିବ।

ଏହି ପଦକ୍ଷେପ ଦ୍ବାରା ପ୍ରାୟ ୩ କୋଟି ଚାଷୀ ଉପକୃତ ହେବେ। ସେମାନଙ୍କମ ମଧ୍ରରୁ ଅଧିକାଂଶ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ଚଳିତ ଆର୍ଥିକ ବର୍ଷରେ ଗ୍ରାମ୍ୟ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କଗୁଡ଼ିକୁ ନାବାର୍ଡ ୯୦ ହଜାର କୋଟି ଟଙ୍କାର ପାଣ୍ଠି ଦେବାର ବ୍ୟବସ୍ଥା କରାଯାଇଛି। ଏହା ବାହାରେ ସେମାନଙ୍କୁ ଆଉ ୩୦ ହଜାର କୋଟି ଟଙ୍କା ଦିଆଯିବ। ରବି ଓ ଖରିଫ ଋୁତର ଅମଳ ପରବର୍ତୀ ସମୟର ଆବଶ୍ୟକତାକୁ ପୂରଣ କରିବା ଲାଗି ବ୍ୟାଙ୍କଗୁଡ଼ିକ ଚାଷୀଙ୍କୁ ଏହି ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରିବେ।

ସମ୍ବନ୍ଧିତ ଖବର