ଚାଷୀଙ୍କୁ ରିହାତି ଋଣ: ପ୍ରବାସୀ ଶ୍ରମିକଙ୍କୁ ଦୁଇ ମାସ ଖାଦ୍ୟଶସ୍ୟ,ରୋଜଗାର

ନୂଆଦିଲ୍ଲୀ: ଆତ୍ମନିର୍ଭରଶୀଳ ଭାରତ ସ୍କିମ୍‌ର ଦ୍ବିତୀୟ ଭାଗ ବିଷୟରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରି ପ୍ରବାସୀ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ଦୁଇ ମାସ ପର୍ଯ୍ୟନ୍ତ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ। ବିଭିନ୍ନ ରାଜ୍ୟର ପ୍ରବାସୀ ଶ୍ରମିକମାନେ ଏହାର ଲାଭ ଉଠାଇପାରିବେ। ଯେଉଁ ପ୍ରବାସୀ ଶ୍ରମିକମାନେ ଜାତୀୟ ଖାଦ୍ୟ ସୁରକ୍ଷା ନିୟମ କିମ୍ବା ରାଜ୍ୟ କାର୍ଡର ହିତାଧିକାରୀ ନୁହନ୍ତି ସେମାନଙ୍କୁ ଦୁଇ ମାସ ପର୍ଯ୍ୟନ୍ତ ପ୍ରତି ଲୋକ ପିଛା ମାସକୁ ୫ କିଲୋଗ୍ରାମ୍ ଖାଦ୍ୟଶସ୍ୟ ଓ ୧ କେଜି ଚଣା ଯୋଗାଇ ଦିଆଯିବ। ଏହି ‌ଯୋଜନା ଦ୍ବାରା ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକ ଉପକୃତ ହେବେ। ଦୁଇ ମାସ ପାଇଁ ଖାଦ୍ୟଶସ୍ୟ ଯୋଗାଇ ଦେବା ବାବଦରେ ୩୫୦୦ କୋଟି ଟଙ୍କା ବ୍ୟୟ ହେବ। ଏହି ଖର୍ଚ୍ଚକୁ ଭାରତ ସରକାର ସମ୍ପୂର୍ଣ୍ଣ ବହନ କରିବେ। ଏହି ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାର ଦାୟିତ୍ବ ରାଜ୍ୟ ସରକାରଙ୍କ ଉପରେ ରହିବ। ସେମାନେ ପ୍ରବାସୀ ଶ୍ରମିକଙ୍କୁ ଚିହ୍ନଟ କରିବେ ଏବଂ ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ ପାଳନ କରି ସେମାନଙ୍କୁ ଖାଦ୍ୟଶସ୍ୟ ଆବଣ୍ଟନ କରିବେ।

‘ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ କାର୍ଡ’
ନୂଆଦିଲ୍ଲୀ: ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ୍‌ କାର୍ଡକୁ ବ୍ୟବହାର କରି ପ୍ରବାସୀ ଶ୍ରମିକମାନେ ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଅଧୀନରେ ଯେକୌଣସି ଫେୟାର ପ୍ରାଇସ୍‌ ସପ୍‌ରୁ (ସୁଲଭ ମୂଲ୍ୟ ଦୋକାନ) ସାମଗ୍ରୀ ନେଇପାରିବେ। ଏବେ ପ୍ରବାସୀ ଶ୍ରମିକମାନେ ଅନ୍ୟ ରାଜ୍ୟରେ ଖାଦ୍ୟଶସ୍ୟ ପାଇବାର ଲାଭ ଉଠାଇପାରୁନାହାନ୍ତି। କିନ୍ତୁ ଗୋଟିଏ ଦେଶ ଗୋଟିଏ ରାସନ୍ କାର୍ଡ ଜରିଆରେ ସେମାନେ ‌ଯେକୌଣସି ଫେୟାର ପ୍ରାଇସ୍‌ ସପ୍‌ରୁ ଖାଦ୍ୟଶସ୍ୟ ନେଇପାରିବେ। କୋଡ଼ିଏଟି ରାଜ୍ୟରେ ଏହାର ଇଣ୍ଟର-ଷ୍ଟେଟ୍‌ ଅପରେବିଲିଟି କାର୍ଯ୍ୟକାରୀ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଯୁକ୍ତି ଦ୍ବାରା ବ୍ୟବସ୍ଥାରେ ଯେଉଁ ସଂସ୍କାର ଆରମ୍ଭ କରିଛନ୍ତି ତାହାର ଏକ ଅଂଶ ହେଉଛି ଏହି ସ୍କିମ୍ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ୨୦୨୦ ଅଗଷ୍ଟ ସୁଦ୍ଧା ଦେଶବ୍ୟାପୀ ପୋର୍ଟେବିଲିଟି ଜରିଆରେ ୨୩ଟି ରାଜ୍ୟର ୬୭ କୋଟି ହିତାଧିକାରୀ ଏହି ସ୍କିମ୍‌ରେ ସାମିଲ ହୋଇପାରିବେ। ୨୦୨୦ ମାର୍ଚ୍ଚ ସୁଦ୍ଧା ଏହାର ଦେଶବ୍ୟାପୀ ପୋର୍ଟେବିଲିଟି କାର୍ଯ୍ୟକାରୀ କରାଯିବ। ୨୦୨୨୧ ମାର୍ଚ୍ଚ ସୁଦ୍ଧା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଫେୟାର ପ୍ରାଇସ୍‌ ସପ୍‌ଗୁଡ଼ିକର ସମ୍ପୂର୍ଣ୍ଣ ଅଟୋମେସନ୍ କାର୍ଯ୍ୟ ଶେଷ କରାଯିବ।

ସହରାଞ୍ଚଳ ଗରିବ, ପ୍ରବାସୀ ଶ୍ରମିକଙ୍କ ପାଇଁ ସୁଲଭ ଭଡ଼ାଘର
ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକ ଓ ସହରାଞ୍ଚଳରେ ବାସ କରୁଥିବା ଗରିବ ଲୋକମାନେ ରହିବା ଲାଗି ସୁଲଭ ମୂଲ୍ୟର ଘର ପାଉନାହାନ୍ତି। ‌ସେମାନେ ଚଢ଼ା ଦରର ଘର ଭଡ଼ା ଦେଇପାରୁନାହାନ୍ତି। ଏହି ବର୍ଗର ଲୋକମାନଙ୍କ ସମସ୍ୟାକୁ ଦୂର କରିବା ଲାଗି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ବତନ୍ତ୍ର ପଦକ୍ଷେପ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ‌ଯୋଜନା‌ ଅଧୀନରେ ପ୍ରବାସୀ ଶ୍ରମିକ ଓ ସହରାଞ୍ଚଳ ଗରିବ ଲୋକମାନଙ୍କ ପାଇଁ ଏକ ସ୍କିମ୍ ଆରମ୍ଭ କରାଯିବ ଯାହା ମାଧ୍ୟମରେ ସେମାନେ କମ୍ ମୂଲ୍ୟର ଭଡ଼ା ଦେଇ ସୁବିଧାରେ ଜୀବନଯାପନ କରିପାରିବେ। ରିହାତି ଭିତ୍ତିରେ ଘରୋଇ ସରକାରୀ ସହଭାଗିତାରେ (ପିପିପି) ରାଜ୍ୟ ପାଣ୍ଠି ସହାୟତାରେ ସହରାଞ୍ଚଳରେ ନିର୍ମାଣ କରାଯାଇଥିବା ବାସଗୃହଗୁଡ଼ିକୁ ସୁଲଭ ମୂଲ୍ୟର ଭଡ଼ା ବାସଗୃହ କମ୍ପ୍ଲେକ୍ସ (ଏଆର୍‌ଏଚ୍‌ସି)ରେ ରୂପାନ୍ତରିତ କରାଯିବ। ନିଜ ଘରୋଇ ଜମିରେ ଏହି ଧରଣର ବାସଗୃହ କମ୍ପ୍ଲେକ୍ସ ନିର୍ମାଣ କରି ତାହାର ପରିଚାଳନା କରିବା ଲାଗି ମାନୁଫାକ୍‌ଚରିଂ ସଂସ୍ଥା, ଶିଳ୍ପ ସଂସ୍ଥା, ସଂଗଠନ ଏବଂ ସଂଘଗୁଡ଼ିକୁ ସରକାର ପ୍ରୋତ୍ସାହନ ପ୍ରଦାନ କରିବେ। ସୁଲଭ ମୂଲ୍ୟର ଭଡ଼ାଘର ନିର୍ମାଣ କରିବା ଲାଗି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏଜେନ୍ସିଗୁଡ଼ିକୁ ମଧ୍ୟ ପ୍ରୋ‌ତ୍ସାହନ ପ୍ରଦାନ କରାଯିବ। ଖୁବ୍‌ଶୀଘ୍ର ଏନେଇ ଗାଇଡ୍‌ଲାଇନ୍ ଜାରି କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର