ଟ୍ରେନ୍‌ରେ ରିହାତି ଶୀଘ୍ର ଫେରିବନି: ମନ୍ତ୍ରୀ

ନୂଆଦିଲ୍ଲୀ: ଟ୍ରେନ୍‌ ଯାତ୍ରାରେ ବିଭିନ୍ନ ବର୍ଗର ଯାତ୍ରୀଙ୍କୁ ଯେଉଁ ରିହାତି ମିଳୁଥିଲା ସେହି ସୁବିଧା ନିକଟ ଭବିଷ୍ୟତରେ ଫେରିବ ନାହିଁ। ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହା ସ୍ପଷ୍ଟ କରିଛନ୍ତି। ୨୦୨୦ରେ କୋଭିଡ୍‌ ମହାମାରୀ ବ୍ୟାପିବା ପରେ ରେଳବାଇ ପକ୍ଷରୁ ଟ୍ରେନ୍ ଟିକେଟ୍‌ରେ ରିହାତିକୁ ବନ୍ଦ କରାଯାଇଥିଲା। ସେହି ସୁବିଧା ପୁନର୍ବାର ଉପଲବ୍ଧ ହେଉନାହିଁ। ଏହା ଦ୍ବାରା ବିଶେଷ କରି ବରିଷ୍ଠ ନାଗରିକମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ଅତିକମ୍‌ରେ ୪୦ ପ୍ରତିଶତ ରିହାତି ମିଳୁଥିଲା।

ଆଜି ଲୋକସଭାରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଆହ୍ବାନ ସତ୍ତ୍ବେ ଦିବ୍ୟାଙ୍ଗମାନଙ୍କ ଚାରିଟି ବର୍ଗ, ରୋଗୀ ଓ ଛାତ୍ରଛାତ୍ରୀମାନଙ୍କ ୧୧ଟି ବର୍ଗ ପାଇଁ ରିହାତି ଜାରି ରହିଥିଲା। କିନ୍ତୁ ଅନ୍ୟମାନଙ୍କ ପାଇଁ ରିହାତିକୁ ପୁନର୍ବାର ଉପଲବ୍ଧ କରାଇବା ଏବେ ବିଚାରଯୋଗ୍ୟ ନୁହେଁ। ବରିଷ୍ଠ ନାଗରିକମାନଙ୍କୁ ରିହାତି ଦିଆଯାଉଥିବାରୁ ୨୦୧୭-୧୮, ୨୦୧୮-୧୯ ଓ ୨୦୧୯-୨୦ରେ ରେଳବାଇ ୪,୭୯୪ କୋଟି ଟଙ୍କାର ରାଜସ୍ବ ହରାଇଥିଲା ବୋଲି ସେ ସୂଚନା ଦେଇଛନ୍ତି। ସେ ଯୁକ୍ତି ବାଢ଼ିଛନ୍ତି ଯେ କମ୍ ମୂଲ୍ୟରେ ଟିକଟ ଉପଲବ୍ଧ କରାଇ ସବୁ ଯାତ୍ରୀମାନଙ୍କ ଯାତ୍ରାର ୫୦ ପ୍ରତିଶତରୁ ଅଧିକ ଖର୍ଚ୍ଚ ରେଳବାଇ ବହନ କରୁଛି। କୋଭିଡ୍ ମହାମାରୀର ପ୍ରଭାବ ବ୍ୟତୀତ ଅନ୍ୟାନ୍ୟ କାରଣ ଯୋଗୁଁ ୨୦୧୯-୨୦ ତୁଳନାରେ ଗତ ଦୁଇବର୍ଷରେ ଯାତ୍ରୀ ପରିବହନ ଆୟ କମ୍‌ ରହିଛି। ରିହାତି ଦେବା ଦ୍ବାରା ରେଳବାଇ ଉପରେ ଗଭୀର ଚାପ ପଡ଼ୁଛି। ତେଣୁ ବରିଷ୍ଠ ନାଗରିକଙ୍କୁ ଏବେ ରିହାତି ଦେବା ଅତ୍ୟନ୍ତ କଷ୍ଟକର ବୋଲି ସେ କହିଛନ୍ତି। ବିଭିନ୍ନ ପ୍ରକାର ଟିକଟ ମୂଲ୍ୟରେ ଟ୍ରେନ୍ ଓ ବର୍ଥ ବରିଷ୍ଠ ନାଗରିକମାନଙ୍କ ଲାଗି ଉପଲବ୍ଧ ରହିଛି। କିନ୍ତୁ ସେଥିରେ ରିହାତି ମିଳୁନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର