ଭୁବନେଶ୍ବର: ୨୦୩୬ ମସିହା ବେଳକୁ ଓଡ଼ିଶାର ଜନସଂଖ୍ୟା ଓ ବିକାଶ (ଡେମୋଗ୍ରାଫି ଆଣ୍ଡ ଡେଭଲପମେଣ୍ଟ୍) ଉପରେ ଆଜି ଏକ ଆଲୋଚନାଚକ୍ର ହୋଇଯାଇଛି। ୟୁଏନ୍ଏଫ୍ପିଏ, ଆଇସିସି ଓ ସିୱାଇଏସ୍ଡି ପକ୍ଷରୁ ମିଳିତଭାବେ ଆୟୋଜିତ ଏହି ଆଲୋଚନାଚକ୍ରରେ ଉଦ୍ୟୋଗ ଏବଂ ସିଏସ୍ଆର୍ ଜଗତର ବ୍ୟକ୍ତିମାନେ ଯୋଗଦେଇ ଏହାର ବିଭିନ୍ନ ଦିଗ ଉପରେ ସୁଚିନ୍ତିତ ମତ ରଖିଥିଲେ। ଓଡ଼ିଶାରେ ପିଲାଙ୍କ ସଂଖ୍ୟା ହ୍ରାସ ପାଇବା ଏବଂ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାର ସମାଧାନ କିଭଳି କରାଯାଇ ପାରିବ ତାହା ଉପରେ ସରକାର ବିଭିନ୍ନ କ୍ଷେତ୍ର ସହ ମିଳିତଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। ବିଶେଷକରି ଉଦ୍ୟୋଗ ଜଗତ ମଧ୍ୟ ଏହା ଉପରେ ଚିନ୍ତା କରି ସେମାନଙ୍କ ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକ୍ରମ ଅଧୀନ ପାଣ୍ଠିକୁ ବିନିଯୋଗ କରି ଆବଶ୍ୟକ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି।
ଏହି ଆଲୋଚନାଚକ୍ରରେ ୟୁଏନ୍ଏଫ୍ପିଏର ରାଜ୍ୟ ମୁଖ୍ୟ ନଦୀମ ନୁର୍, ସିୱାଇଏସ୍ଡି ସହପ୍ରତିଷ୍ଠାତା ଜଗଦାନନ୍ଦ, ଆଇସିସି ଓଡ଼ିଶା ଶାଖାର ବରିଷ୍ଠ ଉପସଭାପତି ରାଜୀବ ସାହୁ, ଟାଟା ଷ୍ଟିଲ୍ର ସିଏସ୍ଆର୍ ମୁଖ୍ୟ ଅମ୍ବିକା ନନ୍ଦ, ଜେକେ ପେପରର ସିଏସ୍ଆର୍ ମୁଖ୍ୟ ପ୍ରଫେସର ପ୍ରଫୁଲ୍ଲ ଧଳ ପ୍ରମୁଖ ଭାଗନେଇ ଜନସଂଖ୍ୟା ଓ ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଆଦିବାସୀ ବହୁଳ ରାଜ୍ୟ ଓଡ଼ିଶାର ଲୋକଙ୍କ ମୌଳିକ ସମସ୍ୟାକୁ ଚିହ୍ନଟ କରାଯାଇ ପଦକ୍ଷେପ ନିଆଗଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ବକ୍ତାମାନେ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/sfhsfhfshfhf.jpg)