ଭୁବନେଶ୍ବର : ଆସନ୍ତା ଫେବ୍ରୁଆରି ମାସ ଦ୍ବିତୀୟ ସପ୍ତାହରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ବିଧାନସଭାରେ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି। ଏହି ବଜେଟ୍ କିଭଳି ହେବ ଏବଂ କେଉଁ ବିଭାଗ ପାଇଁ କେତେ ଅଟ୍ଟକଳ ଧାର୍ଯ୍ୟ କରାଯିବ ତାହା ଜାଣିବା ଲାଗି ଆଜି ରାଜ୍ୟ ଅତିଥି ଭବନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ୍ ବଜେଟ୍ ଆଲୋଚନା ଅନୁଷ୍ଠିତ ହୋଇଯାଇଛି।
ବଜେଟ୍ ଉପରେ ସାଧାରଣ ଲୋକଙ୍କ ମତାମତ ଗ୍ରହଣ କରିବା ପରେ ଆଜି ପୂର୍ବତନ ଅର୍ଥମନ୍ତ୍ରୀ, ସଚିବ ଓ ବିଶେଷଜ୍ଞମାନଙ୍କ ମତାମତ ନିଆଯାଇଛି। ୨୦୨୦-୨୧ ବଜେଟ୍ ଆକାର ବଢ଼ିବାର ସମ୍ଭାବନା ରହିଛି। ୨୦୧୯-୨୦ ଲାଗି ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରାଯାଇଥିଲା। ସେହି ରାଶି ପରିମାଣ ଏଥର ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯିବାର ସମ୍ଭାବନା ରହିଛି।
ଆସନ୍ତା ଆର୍ଥିକ ବର୍ଷ ବଜେଟ୍ରେ ୫ଟି, ମୋ ସରକାର, କୃଷି, ଶିକ୍ଷା, ଭିତ୍ତିଭୂମି ଓ ପୁଞ୍ଜିନିବେଶ ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ବ ଦେଇପାରନ୍ତି। ସେଥିପାଇଁ ଅଧିକ ଅର୍ଥ ବ୍ୟବସ୍ଥା କରାଯାଇପାରେ। ଆସନ୍ତା ଆର୍ଥିକ ବର୍ଷରେ ଟିକସ ପରିମାଣ ବଢ଼ିବ ନା ନାହିଁ, କେଉଁ ଉତ୍ସରୁ ରାଜସ୍ବ ଆସିବ ଏବଂ ବଜେଟ୍ର ରୂପରେଖ କିଭଳି ହେବ ସେନେଇ ଆଲୋଚନା ହୋଇଥିଲା। ପୂର୍ବରୁ ଏନେଇ ସାଧାରଣ ଜନତାଙ୍କ ଠାରୁ ୧୫୦୦ରୁ ଅଧିକ ମତାମତ ଆସିଛି।
ଆଜିର ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପଞ୍ଚାନନ କାନୁନଗୋ, ପୂର୍ବତନ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର, ପୂର୍ବତନ ଉନ୍ନୟନ କମିସନର ଉପେନ୍ଦ୍ର ନାଥ ବେହେରାଙ୍କ ସମେତ ବହୁ ଅର୍ଥନୀତିଜ୍ଞ, ଶିଳ୍ପପତି ଓ ବିଶେଷଜ୍ଞ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/state-budget.jpg)