‘ଆଇସିଏଆଇ’ର ବଜେଟ୍ ପରବର୍ତ୍ତୀ ଆଲୋଚନା, ୨୫୦ରୁ ଅଧିକ କଷ୍ଟ୍‌ ଆକାଉଣ୍ଟାଣ୍ଟ୍‌ ଯୋଗଦେଲେ

ଭୁବନେଶ୍ବର : ଦି ଇନଷ୍ଟିଚ୍ୟୁଟ୍‌ ଅଫ୍ କଷ୍ଟ୍‌ ଆକାଉଣ୍ଟାଣ୍ଟସ୍‌ ଅଫ୍‌ ଇଣ୍ଡିଆ (ଆଇସିଏଆଇ)ର ଭୁବନେଶ୍ବର ଚାପ୍ଟର ପକ୍ଷରୁ ଆଜି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସରେ କେନ୍ଦ୍ର ବଜେଟ୍‌ ୨୦୨୦-୨୧ ପରବର୍ତ୍ତୀ ଆଲୋଚନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରଧାନ ମୁଖ୍ୟ ଆୟକର କମିସନର ପ୍ରଣବ କୁମାର ଦାସ ‌ଅତିଥି ଭାବେ ଯୋଗ ଦେଇ ବଜେଟ୍‌ରେ ଆୟକରକୁ ନେଇ ଘୋଷଣା କରାଯାଇଥିବା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ସେହିପରି ଜିଏସ୍‌ଟି, ସୀମା ଶୁଳ୍କ ଓ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ-ଭୁବନେଶ୍ବର ଜୋନ୍‌ର ମୁଖ୍ୟ କମିସନର ନରେଶ ପେନୁମାକା ଜିଏସ୍‌ଟି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅତିଥିମ‌ାନେ ବଜେଟ୍‌ରେ ସାମାଜିକ କଲ୍ୟାଣ, ଗ୍ରାମୀଣ ବିକାଶ, ଶିକ୍ଷା, କୃଷି, ସ୍ବାସ୍ଥ୍ୟ, ପାନୀୟ ଜଳ, ଆର୍ଥିକ କ୍ଷେତ୍ର, ଆୟକର ଓ ଟିକସକୁ ନେଇ ଘୋଷଣା କରାଯାଇଥିବା ପ୍ରସ୍ତାବଗୁଡ଼ିକର ପ୍ରଭାବ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ୨୫୦ରୁ ଅଧିକ କଷ୍ଟ ଆକାଉଣ୍ଟାଣ୍ଟ୍ ଓ ଅଂଶୀଦାର ଉପସ୍ଥିତ ଥିଲେ।

କିଟ୍ ସ୍କୁଲ୍‌ ଅଫ୍‌ ମ୍ୟାନେଜମେଣ୍ଟ୍‌ର ଡିନ୍ ଡକ୍ଟର ଏସ୍‌ ଏନ୍ ମିଶ୍ର ଓ ଟିକସ ପରାମର୍ଶଦାତା ସିଏମ୍ଏ ନିରଞ୍ଜନ ସ୍ବାଇଁ ବଜେଟ୍‌ର ବିଭିନ୍ନ ପ୍ରସ୍ତାବକୁ ବିଶ୍ଳେଷଣ କରିବା ସହିତ ସାଧାରଣ ଲୋକ ଓ ଉଦ୍ୟୋଗ ଜଗତ ଉପରେ ସେହି ପ୍ରସ୍ତାବଗୁଡ଼ିକର କିଭଳି ପ୍ରଭାବ ପଡ଼ିବ ତାହା ବର୍ଣ୍ଣନା କରିଥିଲେ। ଆଇସିଏଆଇ ଭୁବନେଶ୍ବର ଚାପ୍ଟରର ଅଧ୍ୟକ୍ଷ ଶକ୍ତିଧର ସିଂହ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇସିଏଆଇ ପରୋକ୍ଷ କର ବିଭାଗର କେନ୍ଦ୍ରୀୟ ସଭ୍ୟ ତଥା ଅଧ୍ୟକ୍ଷ ସିଏମ୍‌ଏ ନିରଞ୍ଜନ ମିଶ୍ର ସାରାଂଶ ଟିପ୍ପଣୀ ଦେଇଥିଲେ। ଆଇସିଏଆଇ ଭୁବନେଶ୍ବର ଚାପ୍ଟରର ପ୍ରଫେସନାଲ ଡେଭେଲପ୍‌ମେଣ୍ଟ୍‌ କମିଟିର ଉପାଧ୍ୟକ୍ଷ ମୁକେଶ ଚୌବେ ଆଲୋଚନାଚକ୍ରକୁ ସଞ୍ଚାଳନା କରିଥିବା ବେଳେ ଚାପ୍ଟରର ସମ୍ପାଦକ ସିଏମ୍ଏ ହିମୋଜ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର