ଭୁବନେଶ୍ବର: ସବୁ କିଛି ବଜାର ଉପରେ ଛାଡ଼ି ହେବନାହିଁ। କରୋନା ମହାମାରୀ ଏହି ଶିକ୍ଷା ଦେଇଛି। ଏହି ଅଭାବନୀୟ ପରିସ୍ଥିତିରେ ସରକାରୀ ବଣ୍ଟନ ବ୍ୟବସ୍ଥା (ପିଡିଏସ୍) ଗରିବ ଲୋକମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ସେମାନଙ୍କ ପାଖରେ ସୁବିଧାରେ ଖାଦ୍ୟଶସ୍ୟ ପହଞ୍ଚିପାରିଛି। ତେଣୁ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ଓ ରାଜ୍ୟ ଏଜେନ୍ସିଗୁଡ଼ିକ ମାଧ୍ୟମରେ ଯେଉଁଭଳି ଖାଦ୍ୟଶସ୍ୟ ସଂଗ୍ରହ କରାଯାଉଛି, ସେହି ବ୍ୟବସ୍ଥା ଜାରି ରହିବା ଜରୁରୀ ବୋଲି ଆଇଜିଆଇଡିଆର୍, ମୁମ୍ବାଇର ଅର୍ଥନୀତିଜ୍ଞ ଡକ୍ଟର ସୁଦ୍ଧା ନାରାୟଣ କହିଛନ୍ତି। ଗ୍ଲୋବାଲ୍ ଏଗ୍ରିସିଷ୍ଟମ୍ର ଅଧ୍ୟକ୍ଷ ଗୋକୁଳ ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ‘କୃଷି ନିୟମକୁ ନେଇ ଦ୍ବନ୍ଦ୍ବ-କିଛି ସମାଧାନ ରହିଛି କି?’ ବିଷୟବସ୍ତୁ ଉପରେ ଆୟୋଜିତ ଡିଜିଟାଲ୍ ପ୍ୟାନେଲ୍ ଆଲୋଚନାରେ ଯୋଗ ଦେଇ ସୁଦ୍ଧା କହିଛନ୍ତି ଯେ ଅନେକ ଦେଶ ଚାଷୀଙ୍କୁ ମୂଲ୍ୟ ସହାୟତା ଦେବା ବଦଳରେ ବଜାର ଭିତ୍ତିକ ବ୍ୟବସ୍ଥା ଗ୍ରହଣ କରିଛନ୍ତି।
ସେ ଦୃଷ୍ଟିରୁ ଭାରତ ସରକାର ଯେଉଁ କୃଷି ବିଲ୍ ଆଣିଛନ୍ତି ତାହା ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର ସରକାରୀ ବ୍ୟବସ୍ଥାରେ ଯେଉଁଭଳି ଖାଦ୍ୟଶସ୍ୟ ସଂଗ୍ରହ ହେଉଥିଲା ତାହା ଜାରି ରହିବା ଜରୁରୀ। ଏହି ଅବସରରେ ଏଫ୍ସିଆଇର ପୂର୍ବତନ ଅଧ୍ୟକ୍ଷ ସିରାଜ ହୁସେନ କହିଛନ୍ତି ଯେ ତିନି କୃଷି ବିଲ୍ ସଂସଦରେ ଗୃହୀତ ହେବା ପରେ ସରକାରୀ ଖାଦ୍ୟଶସ୍ୟ ସଂଗ୍ରହ କିଭଳି ହେବ ତାହାକୁ ନେଇ କୌଣସି ସ୍ପଷ୍ଟତା ନାହିଁ। ଏପିଏମ୍ସି ମଣ୍ଡିରୁ ସବୁ ପ୍ରକାର ଫି’ ଦେଇ ଜିନିଷ ସଂଗ୍ରହ କରିବାକୁ ହେବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ ନିୟମରୁ ଚିନିକୁ ବାଦ ଦିଆଯାଇଥିବାରୁ ସେ ଉଦ୍ବେଗ ପ୍ରକାଶ କରିଛନ୍ତି। ଯେଉଁଦିନ ସଂସଦରେ କୃଷି ବିଲ୍ ଗୃହୀତ ହେଲା ସେହିଦିନ ପିଆଜ ରପ୍ତାନି ଉପରେ କଟକଣା ଲଗାଇ ସରକାର ବଜାରକୁ ଭୁଲ ବାର୍ତା ଦେଇଥିବା ସେ କହିଛନ୍ତି।
ଭାରତ କୃଷକ ସମାଜର ଅଧ୍ୟକ୍ଷ ଅଜୟ ବୀର ଜାଖର କହିଛନ୍ତି ଯେ ନୂଆ କୃଷି ବିଲ୍ ସ୍ଥାନୀୟ ବ୍ୟବସାୟୀଙ୍କ ପାଇଁ ଅଧିକ ପ୍ରତିଦ୍ବନ୍ଦ୍ବିତା ସୃଷ୍ଟି କରିବ। କର୍ପୋରେଟ୍ ସଂସ୍ଥା କୃଷି କ୍ଷେତ୍ରରେ ପ୍ରବେଶ କରିବା ପରେ ସାମଗ୍ରୀଗୁଡ଼ିକର ଦାମ୍ ହ୍ରାସ ପାଇବ ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ ମନେ ପକାଇ ଦେଇଛନ୍ତି ଯେ ୨୦୧୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏକ କମିଟିର ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମ୍ଏସ୍ପି ଠାରୁ କମ୍ ଦାମ୍ରେ କୃଷିଜାତ ସାମଗ୍ରୀର କାରବାର ହୋଇପାରିବ ନାହିଁ ବୋଲି ସୁପାରିସ କରିଥିଲେ। ଏବେ ତାଙ୍କ ସରକାର ଯେଉଁ ନୀତି ଆଣିଛନ୍ତି ସେହି ସୁପାରିସର ଏକପ୍ରକାର ବିରୋଧାଭାସ ବୋଲି ଶ୍ରୀ ଜାଖର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/FCI.jpg)