ନୂଆଦିଲ୍ଲୀ: ଦୁଇଟି ସରକାରୀ ବ୍ୟାଙ୍କ ଘରୋଇକରଣ ଲାଗି ସରକାର ସଂସଦର ଶୀତ ଅଧିବେଶନରେ ବିଲ୍ ଉପସ୍ଥାପନ କରିବେ। ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ (ଆଇଓବି)ର ଘରୋଇକରଣ ହେବ ଚର୍ଚ୍ଚା ଜୋର ଧରିଛି। ଏହି ଖବର ପ୍ରଚାର ହେବା ପରେ ଷ୍ଟକ ବଜାରରେ ଉଭୟ ବ୍ୟାଙ୍କର ସେୟାର ମୂଲ୍ୟରେ ୨୦% ଭଳି ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଥିଲା। ବାଧ୍ୟ ହୋଇ ଦୁଇ ବ୍ୟାଙ୍କର କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି। ଘରୋଇକରଣ ନେଇ କୌଣସି ଆଲୋଚନା ହୋଇନାହିଁ ଓ ଆମ ପାଖରେ ସେଭଳି କିଛି ସୂଚନା ନାହିଁ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି।
ଆର୍ଥିକ ସେବା ବିଭାଗ କିମ୍ବା ଭାରତ ସରକାରଙ୍କ ତରଫରୁ ଘରୋଇକରଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ ବୋଲି ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ସେୟାର ମୂଲ୍ୟରେ ଏଭଳି ହଠାତ୍ ବୃଦ୍ଧିକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କେବଳ ଆକଳନ ଭିତ୍ତିରେ ସେୟାର ମୂଲ୍ୟରେ ଏଭଳି ବୃଦ୍ଧି ହୋଇଥାଇପାରେ ବୋଲି କୁହାଯାଇଛି। ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଗଣମାଧ୍ୟମରେ ଘରୋଇକରଣକୁ ନେଇ ଯେଉଁ ଖବର ପ୍ରଚାର ହେଉଛି ସେ ବିଷୟରେ ଆମ ପାଖରେ କୌଣସି ସୂଚନା ନାହିଁ। ବ୍ୟାଙ୍କ ସ୍ତରରେ ଏନେଇ କୌଣସି ଆଲୋଚନା ହୋଇନଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି।
ଆଜି ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍ରେ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ସେୟାର ମୂଲ୍ୟ ୧୩.୬୪% ବୃଦ୍ଧି ପାଇ ୨୨ ଟଙ୍କା ୫୦ ପଇସାରେ ବନ୍ଦ ହୋଇଛି। ସେହିପରି ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ସେୟାର ମୂଲ୍ୟ ୯.୯୮% ବୃଦ୍ଧି ପାଇଛି। ଚଳିତ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ଯେ ଦୁଇଟି ସରକାରୀ ବ୍ୟାଙ୍କ ଓ ଗୋଟିଏ ବୀମା କଂପାନିର ଘରୋଇକରଣ କରାଯିବ। ବ୍ୟାଙ୍କ ଘରୋଇକରଣ ଲାଗି ବ୍ୟାଙ୍କିଙ୍ଗ୍ କଂପାନିଜ୍ (ଆକ୍ବିଜିସନ୍ ଆଣ୍ଡ୍ ଟ୍ରାନ୍ସଫର ଅଫ୍ ଅଣ୍ଡରଟେକିଂ) ନିୟମ ୧୯୭୦ ଓ ୧୯୮୦ରେ ଆବଶ୍ୟକ ସଂଶୋଧନ କରାଯିବ। ଏହା ସହିତ ବ୍ୟାଙ୍କିଙ୍ଗ ନିୟାମକ ନିୟମ ୧୯୪୯ରେ ମଧ୍ୟ ସଂଶୋଧନ କରାଯିବ। ଏ ସମ୍ପର୍କିତ ବିଲ୍କୁ ଶୀତ ଅଧିବେଶନରେ ଉପସ୍ଥାପନ କରିବାକୁ ସରକାର ଯୋଜନା ରଖିଛନ୍ତି। ସଂସଦର ଆସନ୍ତା ଅଧିବେଶନରେ ଯେଉଁ ୨୬ଟି ବିଲ୍ ଉପସ୍ଥାପନ କରାଯିବ ସେଥିରେ ବ୍ୟାଙ୍କ ଘରୋଇକରଣ ସମ୍ପର୍କିତ ବିଲ୍ର ନାମ ରହିଛି। ଚଳିତ ଆର୍ଥିକ ବର୍ଷରେ ପୁଞ୍ଜି ପ୍ରତ୍ୟାହାର ଜରିଆରେ ୧ ଲକ୍ଷ ୭୫ ହଜାର କୋଟି ଟଙ୍କା ହାସଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।