ବିଦା ହେଲେ ୨୨ ଲାଞ୍ଚୁଆ ଟିକସ ଅଧିକାରୀ

ନୂଆଦିଲ୍ଲୀ: ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରଖି ମୋଦୀ ସରକାର ୨୨ ଜଣ ଲାଞ୍ଚୁଆ ଟିକସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି। ସେମାନଙ୍କ ବିରୋଧରେ ଲାଞ୍ଚ ନେବା ଏବଂ ଖରାପ ଆଚରଣ ପ୍ରଦର୍ଶନ କରିବା ଭଳି ଅଭିଯୋଗ ରହିଥିଲା। ଏହି ସମସ୍ତ ଅଧିକାରୀ କେନ୍ଦ୍ରୀୟ ପରୋକ୍ଷ କର ଓ କଷ୍ଟମ୍ସ ବୋର୍ଡ (ସିବିଆଇସି) ଅଧୀନରେ କାମ କରୁଥିଲେ। ନାଗପୁର ଓ ଭୋପାଳ ଜୋନ୍‌ରେ କାର୍ଯ୍ୟ କରୁଥିବା ୧୧ ଅଧିକାରୀଙ୍କୁ ବିଦା କରାଯାଇଛି। ଇନ୍ଦୋରରେ ଥିବା ଏକ ସିଗାରେଟ କଂପାନିକୁ ସେମାନେ ବେଆଇନ ଭାବେ ସାହାଯ୍ୟ କରୁଥିଲେ ବୋଲି ଅଭିଯୋଗ ରହିଥିଲା। ସେହିପରି ଚେନ୍ନାଇ, ଦିଲ୍ଲୀ, କୋଲକାତା, ଚଣ୍ଡିଗଡ଼ ଜୋନ୍‌ରେ କାର୍ଯ୍ୟ କରୁଥିବା ଜଣେ ଲେଖାଏଁ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି। ମୁମ୍ବାଇ, ଜୟପୁର ଏବଂ ବେଙ୍ଗାଲୁରୁ ଜୋନ୍‌ରେ କାର୍ଯ୍ୟ କରୁଥିବା ଦୁଇ ଜଣ ଲେଖାଏଁ ଅଧିକାରୀଙ୍କୁ ବିଦା କରାଯାଇଛି।

ଚଳିତ ବର୍ଷ ସ୍ବାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକସ ଅଧିକାରୀଙ୍କ ବ୍ୟବହାର ବିଷୟରେ ଆଲୋଚନା କରି କିଛି ଅଧିକାରୀ ସେମାନଙ୍କ ପଦବିର ଅପବ୍ୟବହାର କରୁଥିବା ଏବଂ ଟିକସଦାତାଙ୍କୁ ଅଯଥା ହଇରାଣ କରୁଥିବା କଥା କହିଥିଲେ। ଏହାର କିଛି ଦିନ ପରେ ସିବିଆଇସି ଅଧୀନରେ କାର୍ଯ୍ୟରତ ଅଧିକାରୀମାନଙ୍କୁ ବିଦା କରାଯାଇଛି। ପୂର୍ବରୁ ଗତ ଜୁନ୍‌ରେ ସିବିଆଇସିର କମିସନର ସ୍ତରରେ କାର୍ଯ୍ୟ କରୁଥିବା ୧୫ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିଲା। ସେମାନଙ୍କ ବିରୋଧରେ ଦୁର୍ନୀତି, ‌ଯୌନ ଉତ୍ପୀଡ଼ନ ଏବଂ ବେଆଇନ ଭାବେ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। କେନ୍ଦ୍ରୀୟ ପ୍ରଶାସନିକ ସେବା (ପେନ୍‌ସନ୍‌) ନିୟମର ଧାରା ୫୬ (ଜେ) ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର