ନୂଆଦିଲ୍ଲୀ: ଅଳ୍ପ ଦିନ ବ୍ୟବଧାନ ପରେ ପୁଣି ଥରେ ପାସ୍ପୋର୍ଟ ସେବାରେ ବିଭ୍ରାଟ ଘଟିଛି। ଆବେଦନ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ହେଉଥିବାରୁ ଲୋକମାନଙ୍କ ମଧ୍ୟ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଏହି ସମସ୍ୟା ଦେଶବ୍ୟାପୀ ଦେଖାଦେଇଛି। ଦିଲ୍ଲୀଠାରୁ ଆରମ୍ଭ କରି ଥାଣେ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଥିବା ପାସ୍ପୋର୍ଟ ସେବା କେନ୍ଦ୍ରରେ ସମସ୍ୟା ରହିଛି। ଅଧିକାଂଶ ସ୍ଥାନରେ ସାକ୍ଷାତକାରକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଉଛି। ଫଳରେ ଦୂରଦୂରାନ୍ତ ସ୍ଥାନରୁ ନିଜ କାମଧନ୍ଦା ଛାଡ଼ି ଆସିଥିବା ଲୋକମାନଙ୍କୁ ନିରାଶ ହୋଇ ଘରକୁ ଫେରିବାକୁ ପଡ଼ୁଛି।
ଏହା ପୂର୍ବରୁ ଏପ୍ରିଲ୍ ମାସରେ ଏଭଳି ବିଭ୍ରାଟ ଘଟିଥିଲା। ଏଥର ପାସ୍ପୋର୍ଟ ସେବାର ୱେବସାଇଟ୍ ଓ ଆପ୍ କାମ କରୁ ନଥିବା ଅଭିଷେକ ରାଠୋର୍ ବୋଲି ଜଣେ ଯୁବକ ସୋସିଆଲ୍ ମିଡିଆରେ ଅଭିଯୋଗ କରିଛନ୍ତି। ସେହିପରି, ଦର୍ଶିଲ୍ ନାମକ ଜଣେ ଯୁବକ ଜଣାଇଛନ୍ତି ଯେ ବୈଷୟିକ ତ୍ରୁଟି ପାଇଁ ତାଙ୍କ ସାକ୍ଷାତକାର ବାତିଲ କରାଯାଇଥିବାର ଏକ ମେସେଜ୍ ତାଙ୍କ ପାଖକୁ ଆସିଛି। ଆସନ୍ତା ସପ୍ତାହକୁ ନିଜ ସାକ୍ଷାତକାର ବଦଳାଇବାକୁ ଚାହୁଥିବା ଲୋକମାନଙ୍କୁ ସେତିକି ସୁବିଧା ମଧ୍ୟ ମିଳୁନାହିଁ। ବିଦେଶ ଯିବା ଲାଗି ଯୋଜନା କରିସାରିଥିବା ଲୋକମାନେ ଏହି ବିଭ୍ରାଟ ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଶେଷ ମୁହୂର୍ତ୍ତରେ ଏଭଳି ସମସ୍ୟା ପାଇଁ ସେମାନଙ୍କୁ ସମ୍ପୂର୍ଣ୍ଣ ଯୋଜନା ବଦଳାଇବା ଭଳି ସ୍ଥିତି ସୃଷ୍ଟି କରିଛି।